ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶକୁ ଫାଙ୍କିଦେଲେ! ଏବେ ବି ରାଜପଥରେ ୫୨୧ ମଦ ଦୋକାନ

୩ ମାସରେ ୮୫୮୩ ମଦ୍ୟପ ଚାଳକ ଗିରଫ, ମଦୁଆଙ୍କୁ ଧରୁଛନ୍ତି, ମଦ ଦୋକାନକୁ ଅନୁମତି

ଭୁବନେଶ୍ୱର: ଜାତୀୟ ରାଜପଥ ପାର୍ଶ୍ବରେ ଥିବା ମଦ ଦୋକାନ କଟକଣା ପ୍ରସଙ୍ଗରେ ଆଉ କେହି ନୁହେଁ, ଖୋଦ୍ ସର୍ବୋଚ୍ଚ ଅଦାଲତ ତନାଘନା କଲେ। ଜାତୀୟ ରାଜପଥ ଠାରୁ ୫୦୦ ମିଟର ଦୂର ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ଉପରେ ନିଷେଧାଦେଶ ଜାରି କରାଗଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ନିର୍ଦେଶନାମା ପଠାଇଛନ୍ତି। ରାଜ୍ୟ ସରକାର ଏ କ୍ଷେତ୍ରରେ ଏକ ଗଳା ରାସ୍ତା କାଢିଥିଲେ ଯେ ସହର ସଂଲଗ୍ନ ଜାତୀୟ ରାଜପଥ କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଙ୍କ ୫୦୦ ମିଟର କଟକଣା ନିୟମ ଲାଗୁ ହେବ ନାହିଁ। ଏହାକୁ ନେଇ ସାଧାରଣରେ ରହିଥିବା ଅସନ୍ତୋଷ ଏବେ ବଢିବାରେ ଲାଗିଛି। ଏହି ପ୍ରସଙ୍ଗଟି ଏବେ ପୁଣି ସତେଜ ହୋଇଛି, ଏଇଥିପାଇଁ ଯେ ରାଜ୍ୟ ସରକାର ଗୋଟିଏ ପଟେ ମଦ୍ୟପ ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ପୁଲିସ ଲଗାଇ ରାଜରାସ୍ତାରେ ଧରୁଛନ୍ତି, ବାନ୍ଧି ଜେଲ ପଠାଉଛନ୍ତି। ଅନ୍ୟପଟରେ ରାଜସ୍ବ ଆଦାୟ ନିଶା ଏମିତି ଘାରିଛି ଯେ ଜାତୀୟ ଓ ରାଜ୍ୟ ରାଜପଥ ଉପରେ ଶହ ଶହ ମଦ ଦୋକାନକୁ ଅନୁମତି ଦେଇଛନ୍ତି। ଗୋଟିଏ ସରକାରର ଦୁଇଟି ନୀତିକୁ ନେଇ ଏବେ ବିଭିନ୍ନ ସାମାଜିକ ସଂଗଠନ ପ୍ରଶ୍ନ ଉଠାଇଲେଣି। ରାଜପଥ ଉପରୁ ଶତ ପ୍ରତିଶତ ମଦ ଦୋକାନ ହଟାଇବା ଦାବି ଧୀରେ ଧୀରେ ଜୋର ଧରିଲାଣି। ମଦୁଆଙ୍କୁ ବାନ୍ଧିବା ସହିତ ମଦ ଦୋକାନ ବନ୍ଦ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। ଅବକାରୀ ବିଭାଗରୁ ମିଳିଥିବା ସୂଚନା ମୁତାବକ, ଏବେ ବି ରାଜପଥ ଉପରେ ୫୨୧ଟି ମଦ ଦୋକାନ ରହିଛି । ସେଥି ମଧ୍ୟରୁ ରାଜ୍ୟ ରାଜପଥ କଡ଼ରେ ୧୪୬ଟି ମଦ ଦୋକାନ ରହିଛି। ଜାତୀୟ ରାଜପଥ କଡ଼ରେ ୩୭୫ଟି ମଦ ଦୋକାନକୁ ଅନୁମତି ଦେଇଛନ୍ତି ସରକାର। ଏ ମଧ୍ୟରୁ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୨ଟି ମଦ ଦୋକାନ ଓ ବାର ରାଜପଥ କଡ଼ରେ ରହିଛି। କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ଅର୍ଥାତ୍ ରାଜପଥ ପାର୍ଶ୍ବରେ ମାତ୍ର ଗୋଟିଏ ମଦ ଦୋକାନ ରହିଛି । ଖୋର୍ଧା ପଛକୁ ରହିଛି ଅନୁଗୁଳ ଜିଲ୍ଲା, ଯେଉଁଠି ୫୦ଟି ମଦ ଦୋକାନ ରାଜପଥ କଡ଼ରେ ରହିଛି । ଖୋର୍ଧା ଓ ଅନୁଗୁଳ ପରେ ରହିଛି ମୟୁରଭଞ୍ଜ ଜିଲ୍ଲା । ଏହି ଜିଲ୍ଲାରେ ରହିଛି ୪୯ଟି ମଦ ଦୋକାନ । ସେହିଭଳି କଳାହାଣ୍ଡିରେ ୪୫ଟି ମଦ ଦୋକାନ, ବଲାଙ୍ଗୀରରେ ୪୪ଟି, କୋରାପୁଟରେ ୩୯ଟି, ଗଞ୍ଜାମରେ ୩୮ଟି, ବ୍ରହ୍ମପୁର ଓ କଟକରେ ୩୧ଟି, ଜଗତସିଂହପୁରରେ ୨୩ଟି, ଝାରସୁଗୁଡ଼ାରେ ୧୮ଟି, ସୁନ୍ଦରଗଡ଼ରେ ୧୩ଟି, ରାୟଗଡ଼ାରେ ୧୨ଟି, ନୂଆପଡ଼ାରେ ୮ ଟି, ଦେବଗଡ଼ ଓ ନୟାଗଡରେ ୭ଟି, ବାଲେଶ୍ୱର ଓ ମାଲାକାନଗିରିରେ ୫ଟି, ବୌଦ୍ଧ ଓ ନବରଙ୍ଗପୁରରେ ୪ଟି, ଗଜପତି ଜିଲ୍ଲାରେ ୨ଟି ମଦ ଦୋକାନ ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ ରହିଛି। ଅନ୍ୟପକ୍ଷରେ ରାଜ୍ୟର ୭ଟି ଜିଲ୍ଲା କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଭଦ୍ରକ, ଢ଼େଙ୍କାନାଳ, ସୋନପୁର, ସମ୍ବଲପୁର ଦେଇ ଯାଇଥିବା ରାଜପଥ କଡ଼ରେ ଆଦୌ ମଦ ଦୋକାନ କିମ୍ବା ବାର୍ ନାହିଁ।

ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ପରେ ରାଜ୍ୟ ସରକାର କେତେକ ଜାତୀୟ ରାଜପଥକୁ ରାଜ୍ୟ ରାଜପଥ ଭାବେ ଘୋଷଣା କରି ଦେଇଥିଲେ । ଯାହା ଫଳରେ ଏସବୁ ମଦ ଦୋକାନ ଦୋକାନ ଏବେ ବି ରାଜପଥ ଉପରେ ଅଛି । ଯେଉଁ ଦୋକାନଗୁଡିକ ୫ଶହ ମିଟର ଦୂରକୁ ଉଠି ଯାଇଛନ୍ତି, ସେମାନେ ରାଜପଥ କଡ଼ରେ ହୋର୍ଡିଂ ମାରି ମଦ ଦୋକାନକୁ ରାସ୍ତା ଦେଖାଇ ଦେଉଛନ୍ତି । ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ପୁଲିସ ବିଭାଗ ମଦ୍ୟପ ଚାଳକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ମଦ୍ୟପ ଚାଳକଙ୍କୁ ଗିରଫ କରି ସିଧା ଜେଲ ପଠାଇ ଦେଉଛି । ଗତ ୩ ମାସ ମଧ୍ୟରେ ୮୫୮୩ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହୁଛି । ହେଲେ ଏବେ ବି ରାଜପଥ କଡ଼ରେ ଶହ ଶହ ସଂଖ୍ୟାରେ ମଦ ଦୋକାନ ଖୋଲିଛି ଓ ସେମାନେ ସରକାରଙ୍କ ସୁରକ୍ଷାରେ ରହିଛନ୍ତି। ଏଥିରେ ସଡକ ଦୁର୍ଘଟଣା କମିବ ନା ବଢିବ?

ସମ୍ବନ୍ଧିତ ଖବର