ବିନା ଲକ୍ଷଣରୁ ଭେଣ୍ଟିଲେଟର ମଧ୍ୟରେ ଦୂରତା ହେଉଛି ମାତ୍ର ୨୪ ଘଣ୍ଟା; ତେଣୁ କୋଭିଡର ସାମାନ୍ୟତମ ଲକ୍ଷଣ ଥିଲେ ବି ଲୁଚାନ୍ତୁ ନାହିଁ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ଯଦି ଆପଣଙ୍କ ନିକଟରେ କରୋନା ବା କୋଭିଡ୍‌-୧୯ ମହାମାରୀର ସାମନ୍ୟତମ ଲକ୍ଷଣ ବି ଦେଖା ଦେଉଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ କିମ୍ବା ଏହାକୁ ଲୁଚାଇବାର ଅପଚେଷ୍ଟା କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି ଆଜି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ କରୋନା ବା କୋଭିଡ୍‌-୧୯କୁ ନେଇ ଯେଉଁ ସଦ୍ୟତମ ତଥ୍ୟ ସାମନାକୁ ଆସିଛି ସେଥିରୁ ଜାଣିବା ପାଇଁ ମିଳିଛି ଯେ କୋଭିଡ୍‌-୧୯ର ବିନା ଲକ୍ଷଣରୁ ହଠାତ ଲକ୍ଷଣ ଯୁକ୍ତ ହୋଇ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିବା ମଧ୍ୟରେ ଦୂରତା ହେଉଛି ମାତ୍ର ୨୪ ଘଣ୍ଟା। ଅର୍ଥ, ଆପଣଙ୍କ ନିକଟରେ କୋଭିଡ୍‌-୧୯ର ସମସ୍ତ ବା ପର୍ଯ୍ୟାପ୍ତ ଲକ୍ଷଣ ଦେଖା ଦେଉ ନଥିବ କିନ୍ତୁ ହଠାତ୍‌ ଆପଣଙ୍କ ଶରୀରରେ ଲକ୍ଷଣ ଦେଖାଦେବ ଏବଂ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ଭେଣ୍ଟିଲେଟର ସହାୟତାର ଲୋଡ଼ିବାକୁ ପଡ଼ିବା ସହ ଜୀବନ ଓ ମୃତ୍ୟୁର ଦୋଛକିରେ ଛନ୍ଦି ହୋଇଯିବ ଆପଣଙ୍କ ଜୀବନ।

ରାଜ୍ୟ ସରକାରଙ୍କ ପାଇଁ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନ ହେଉଛି ବହୁ ମୂଲ୍ୟବାନ। ସେଥିପାଇଁ, ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏବଂ ପ୍ରତି ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଓ କରୋନା ଲକ୍ଷଣର ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ କାଳରେ ରାଜ୍ୟର ଆଶାଦିଦି ଓ ଏଏନ୍‌ଏମ୍‌ ଦିଦିମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର କରୋନା ନମୁନା ପରୀକ୍ଷଣର ବ୍ୟବସ୍ଥା କରାଇବେ। ତେଣୁ, ଯଦି ଆପଣଙ୍କ ନିକଟରେ କରୋନାର ସାମନ୍ୟତମ ଲକ୍ଷଣ ବି ଅଛି ତେବେ ବିନା ଭୟରେ ସେମାନଙ୍କୁ ଜଣାନ୍ତୁ ଓ ପରୀକ୍ଷଣ ସହ ଚିକିତ୍ସା କରାଇ ନିଜେ ସୁସ୍ଥ ହେବା ସହ ପରିବାରକୁ ନିରାପଦରେ ରଖନ୍ତୁ। ଆଉ ଯଦି ଲକ୍ଷଣ ଅଛି ତେବେ ତାକୁ ଲଚାଇବା ପାଇଁ ଅପଚେଷ୍ଟା କରି ଯମରାଜାଙ୍କ କୋଳକୁ ଯିବା ପାଇଁ ବାଟ ପ୍ରସ୍ତୁତ କରନ୍ତୁ ନାହିଁ ବୋଲି ଆଜି ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ସମ୍ବନ୍ଧିତ ଖବର