ବ୍ରହ୍ମପୁର/ଗୋଳନ୍ଥ:‌ ଶିକ୍ଷାକୁ କେବଳ ଡିଗ୍ରିରେ ସୀମିତ ରଖନ୍ତୁ ନାହିଁ। ସମାଜ ପରିବର୍ତ୍ତନରେ ତାହାକୁ ବିନିଯୋଗ କରନ୍ତୁ। କେବଳ ଚାକିରି ପାଇଁ ଡିଗ୍ରି ହାସଲ କରିବା ଲକ୍ଷ୍ୟରେ ରୁହନ୍ତୁ ନାହିଁ ବୋଲି ରାଜ୍ୟପାଳ ଡ. ହରିବାକୁ କମ୍ଭମ୍‌ପାଟି କହିଛନ୍ତି। ବ୍ରହ୍ମପୁର ସହର ଉପକଣ୍ଠ ଲାଉଡ଼ିଗାଁସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର୍‌)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଛନ୍ତି। 

Advertisment

‘ଆଇଜର୍‌’ର ପଞ୍ଚମ ସମାବର୍ତ୍ତନ ସମାରୋହ
ଚାକିରି ଅନ୍ବେଷଣରେ ନ ରହି ଚାକିରିଦାତା ହୁଅନ୍ତୁ: ଧର୍ମେନ୍ଦ୍ର

‘ଆଇଜର୍‌’ର ନିର୍ଦ୍ଦେଶକ ପ୍ରଫେସର ଆଶୋକ କୁମାର ଗାଙ୍ଗୁଲି ପୌରୋହିତ୍ୟ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଶିକ୍ଷା ଏବଂ ବିଜ୍ଞାନ ହେଉଛି ଉତ୍ତମ ଭବିଷ୍ୟତ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ବୋଲି ମତବ୍ୟକ୍ତ କରିଥିଲେ। ଚାକିରି ଅନ୍ୱେଷଣରେ ନ ରହି ଚାକିରିଦାତା ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ଅନୁଷ୍ଠାନର ଚେୟାରମ୍ୟାନ ତଥା ବୋର୍ଡ ଅଫ୍ ଗଭର୍ଣ୍ଣର ପ୍ରଫେସର ଅରବିନ୍ଦ ଅନନ୍ତ ନାଟୁ, ଡିନ୍‌ ପ୍ରଫେସର ପ୍ରସନ୍ନଜିତ ମଣ୍ଡଳ ଓ ରେଜିଷ୍ଟ୍ରାର୍‌ ପ୍ରଦୀପ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ୧୩୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଓ ୨୨ଜଣଙ୍କୁ ପିଏଚ୍‌ଡି ପ୍ରଦାନ କରାଯାଇଥିଲା।