ଭୁବନେଶ୍ବର: ବିଧାୟକ/ସାଂସଦମାନେ ଲୋକଙ୍କ ବିଶ୍ବାସ ଜିତି ଗୃହକୁ ଆସିଥାନ୍ତି। ଗୃହର କାର୍ଯ୍ୟକଳାପରେ ସେମାନେ ସକ୍ରିୟ ଅଂଶଗ୍ରହଣ କରିବା ଦରକାର। ସେମାନଙ୍କ ଅଞ୍ଚଳର ଓ ରାଜ୍ୟର ସମସ୍ୟା ଉଠାଇବା ଦରକାର। ଗୃହରେ ହଟ୍ଟଗୋଳ କଲେ ଦୁଇ ମିନିଟ୍ ହେଡଲାଇନ୍ରେ ରହିପାରିବେ। କିନ୍ତୁ ଲମ୍ବା ରାଜନୈତିକ କ୍ୟାରିଅର ହେବ, ଏମିତି ଗ୍ୟାରେଣ୍ଟି ଦେଇହେବନି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶା ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କହିଛନ୍ତି। ଆଜିଠାରୁ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆରମ୍ଭ ହୋଇଥିବା ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଶ୍ରୀ ରିଜିଜୁ ବିଧାୟକମାନଙ୍କୁ କହିଛନ୍ତି ଯେ ଜଣେ ଭଲ ସାଂସଦ କି ବିଧାୟକ ହେବା ପାଇଁ ଗଭୀର ଅଧ୍ୟୟନ ଓ ଜ୍ଞାନ ଆହରଣ କରିବା ଦରକାର। ଏହାଦ୍ବାରା ସେମାନେ ରାଜନୀତିରେ ଲମ୍ବା ସମୟ ତିଷ୍ଠି ପାରିବେ। ରାଜନୈତିକ ଜୀବନରେ ଉତ୍ଥାନ ଓ ପତ୍ତନ ଲାଗି ରହିଥାଏ। ଆମକୁ ଜୀବନରେ ସ୍ଥିର ପ୍ରଦର୍ଶନ ଦେବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ପରସ୍ପର ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ତଥା ନିଜ ନିଜର ଅନୁଭୂତିକୁ ବାଣ୍ଟିଲେ ସେଥିରୁ ବହୁତ କିଛି ଶିକ୍ଷଣୀୟ ଉପାଦାନ ମିଳିଥାଏ। ଆମକୁ ଗୃହର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ମାନ ଓ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତା କରି କହିଥିଲେ ରାଜ୍ୟରେ ଶାନ୍ତି, ସଂହତି ଓ ସୁଶାସନ ପ୍ରତିଷ୍ଠା ପାଇଁ ଗଣତନ୍ତ୍ର ମନ୍ଦିର ରୂପେ ପରିଚିତ ଏହି ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ସଦସ୍ୟମାନଙ୍କ ପାଇଁ ଏହି କର୍ମଶାଳା ନିଶ୍ଚିତରୂପେ ଶିକ୍ଷଣୀୟ ଓ ଉପାଦେୟ ହେବ। ଏହି କର୍ମଶାଳାରେ ଗୃହର ବିଭିନ୍ନ ବୈଧାନିକ ପ୍ରକ୍ରିୟା, ବଜେଟ୍ ଉପସ୍ଥାପନ, ଗୃହର ପରମ୍ପରା ଓ ଶିଷ୍ଟାଚାର, ଆଇନ ପ୍ରଣୟନ ପ୍ରକ୍ରିୟା ଇତ୍ୟାଦି ଶିକ୍ଷଣୀୟ ଅଟେ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତମ ବିଧାୟକ ଭାବେ ନିଜକୁ ଗଢ଼ିତୋଳିବାରେ ସହାୟକ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆଶା କରୁଛି ଯେ, ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ। ଗାଣତନ୍ତ୍ରିକ ଶାସନ ପଦ୍ଧତିର ଠିକ୍ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ଯାହାଫଳରେ ବିଶ୍ୱ ଦରବାରରେ ଆମ ଦେଶର ଓ ରାଜ୍ୟ ଗୁଡ଼ିକର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡ଼ିଶାକୁ ବିକଶିତ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି।
ଗାଣତନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଧିକ ମତକୁ ନେଇ ପ୍ରତିନିଧି ସଭା ଗଠନ କରାଯାଇ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟା କରି ଚାଲିଛନ୍ତି। ଏହି କ୍ଷେତ୍ରରେ ନିର୍ବାଚିତ ବିଧାୟକ, ବିଧାୟିକା ଓ ସାଂସଦମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ସମ୍ବିଧାନର ବ୍ୟବସ୍ଥା ଭିତରେ ରହି ମାନ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା। କାରଣ ଜନସାଧାରଣଙ୍କ ମତରେ ‘ଜଣେ ଲୋକ ପ୍ରତିନିଧି ଉପଯୁକ୍ତ ସ୍ଥାନରେ ରହି ଦେଶ ଓ ରାଜ୍ୟର ସେବାରେ ବ୍ରତୀ ହେବାପାଇଁ ସୁଯୋଗ ପାଉ ଏବଂ ଶାସନ ପରିଚାଳନା ଲୋକାଭିମୁଖୀ ହେଉ’ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଆମ ଗାଣତନ୍ତ୍ରିକ ଶାସନ ବ୍ୟବସ୍ଥା ହେଉଛି ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା। ଯେଉଁମାନେ କି ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ହୋଇ ପ୍ରତିନିଧିସ୍ବରୂପ ଆସି ନୀତିନିୟମ ତଥା ଆଇନ ପ୍ରଣୟନ କରି ରାଷ୍ଟ୍ରରେ ଶାସନକୁ ନିୟନ୍ତ୍ରିତ କରିଥାନ୍ତି। ତେଣୁ ଗୃହରେ ଆମ ବ୍ୟବହାର ଓ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ଥାଏ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଉପସ୍ଥିତ ଥିବାବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଇ-ବିଧାନ ପ୍ରୟୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇସିର ଅଶୋକ କୁମାର ହୋତା, ନେଭାର ମୁଖ୍ୟ ସଂଜୀବ ପ୍ରମୁଖ ଏହାର ପ୍ରୟୋଗ ଦ୍ବାରା କିପରି ବିଧାନସଭାର କାର୍ଯ୍ୟ ସହଜ ହେବ ସେନେଇ ଆଲୋକପାତ କରିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ପରେ ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକଙ୍କ ବିଶେଷ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ଉପସନା ମହାପାତ୍ର ଧନ୍ୟବାଦ ଦେଇଥିଲେ। ବିଧାୟକ ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ବଜେଟ୍ ପ୍ରସ୍ତୁତି ଓ ଉପସ୍ଥାପନା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଧାୟକ ମାନସ ରଂଜନ ଦତ୍ତ ଧନ୍ୟବାଦ ଦେଇଥିଲେ। ବିଧାୟକ ରଘୁନାଥ ଜଗଦ୍ଦଳାଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ପ୍ରଶ୍ନ ଉପସ୍ଥାପନା ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମସଚିବ ବିନୟ କୁମାର ମୋହନ ଏ ସମ୍ପର୍କରେ ବିଶଦ ଆଲୋଚନା କରିଥିବାବେଳେ ବିଧାୟକ ଗୌରୀଶଙ୍କର ଝା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବୈଠକରେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ଯୋଗଦେଇନଥିଲେ।