ଭୁବନେଶ୍ବର: ଗୁରୁବାର ରାତିରେ ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ। ହାତରେ ଆଉ କମ୍‌ ସମୟ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଆପଣମାନେ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ହୁଅନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।  ଆପଣମାନେ ସୁରକ୍ଷିତ ହାତରେ ଅଛନ୍ତି। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ।

Advertisment

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ୍‌ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦସଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିପଦସଙ୍କୁଳ ଅଞ୍ଚଳରୁ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ରାତି ସାରା ସ୍ଥାନାନ୍ତର କାର୍ଯ୍ୟ ଚାଲିବ। ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ୯୦% ସ୍ଥାନାନ୍ତର ହେବ। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। 

ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା
ଆଜି ପୂର୍ବାହ୍ଣ ୧୧ଟା ସୁଦ୍ଧା ୯୦% ସ୍ଥାନାନ୍ତର ହେବେ

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ବାତ୍ୟା ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି। ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭିନ୍ନ ସାଟେଲାଇଟ ସୂଚନା ସମ୍ପର୍କରେ ଅବଗତ ହୋଇଥିଲେ। ଏହାସହ ଜରୁରିକାଳୀନ ଯୋଗାଯୋଗ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଏସ୍‌ଆର୍‌ସି ଡି କେ ସିଂହ,  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ଧଳ, ପୁଲିସ ଡିଜି ୱାଇ ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।