ଲକଡାଉନ୍ କାଳରେ ତାସ୍‌ ପାଲି ପକାଅ ନାହିଁ କି କରୋନାକୁ ନିମନ୍ତ୍ରଣ କରନାହିଁ; ଜାଣନ୍ତୁ, ଯୁବଗୋଷ୍ଠୀକୁ ଏପରି ପରାମର୍ଶ କାହିଁକି ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସଂପ୍ରତି ସମଗ୍ର ଦେଶ ତଥା ରାଜ୍ୟରେ ଲକ୍‌ଡାଉନ୍‌ ଜରି ରହିଥିବା ବେଳେ ଲକ୍‌ଡାଉନ୍‌ର ଚିଟା ଭାଙ୍ଗିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ଯୁବଗୋଷ୍ଠୀ ତାସ୍‌ ପାଲି ବାଡ଼େଇବାରେ ଅଧିକ ମାତ୍ରାରେ ମାତି ଯାଇଛନ୍ତି। ଆଉ ତାସ୍‌ ପାଲି ନିଶାରେ ଏତେ ମାତ୍ରରେ ମସଗୁଲ ହୋଇ ଉଠୁଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଅପରିହାର୍ଯ୍ୟ ହୋଇଥିବା ବେଳେ ତାକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ପକାଉଛନ୍ତି।

ଏ ପରିପ୍ରେକ୍ଷୀରେ ଏପରି କାର୍ଯ୍ୟରେ ଲିପ୍ତ ଯୁବଗୋଷ୍ଠୀକୁ ସତର୍କ କରାଇଦେବାକୁ ଯାଇ ଚମକାଇଦେଲା ଭଳି ଏକ ତଥ୍ୟ ରାଜ୍ୟବାସୀଙ୍କୁ ଆଜି ପ୍ରଦାନ କରିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କ ଦ୍ୱାରା ସଂକ୍ରମଣର ମାତ୍ରା ଅଧିକ ରହିଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କର ପରିଧି ମଧ୍ୟରେ ରହିଥିବା ସୁସ୍ଥ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇ ପଡ଼ିଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶରୁ ବାହାରୁ ଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୧୯ ଫୁଟ ପର୍ଯ୍ୟନ୍ତ ଗତି କରିପାରିବାର କ୍ଷମତା ରଖୁଥିବା ବେଳେ ଆକ୍ରାନ୍ତ ବ୍ୟକ୍ତିର ଛିଙ୍କରୁ ନିର୍ଗତ ହେଉଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୨୯ ଫୁଟ ପର୍ଯ୍ୟନ୍ତ ଗତି କରିପାରେ ବୋଲି କହିଛନ୍ତି ଶ୍ରୀ ବାଗଚୀ। ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଅତ୍ୟନ୍ତ କିଛି ଦିନ ଲାଗି ଯୁବଗୋଷ୍ଠୀ ତାସ ପାଲି ପକାଇବାରୁ ନିଜକୁ ନିବୃତ ରଖିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର