ଚାକିରି ପଛରେ ଗୋଡ଼ାଅ ନାହିଁ, ତୁମ ପଛରେ ଚାକିରି ଗୋଡ଼ାଉ: ସୌମ୍ୟରଂଜନ

ଭୁବନେଶ୍ୱର: ନିଜକୁ ଏମିତି ଯୋଗ୍ୟ କର,ଯେମିତି ତୁମକୁ ଚାକିରି ପଛରେ ଧାଇଁବାକୁ ପଡ଼ିବ ନାହିଁ,ବରଂ ଚାକିରି ତୁମ ପଛରେ ଗୋଡ଼ାଇବ। ଦକ୍ଷତା ଥିଲେ ଚାକିରି ଆପେ ଆପେ ପାଖକୁ ଆସିବ। ଶିକ୍ଷା ଆହରଣ କରି ନିଜକୁ ଯୋଗ୍ୟ କରି ଗଢ଼ିତୋଳିବାକୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ଭୁବନେଶ୍ୱରର ଜୟଦେବ ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ +୨ କଳା ଓ ବାଣିଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ଅଭିଭାଷଣ ଅବସରରେ ସୌମ୍ୟରଂଜନ କହିଛନ୍ତି ଯେ ଡିଗ୍ରି ସହିତ ବୃତ୍ତିର କୌଣସି ସଂପର୍କ ନାହିଁ। ଯେଉଁ ବିଷୟ ପଢିବାକୁ ଭଲ ଲାଗୁଛି,ସେଇ ବିଷୟରେ ପାରଦର୍ଶିତା ହାସଲ କଲେ, ସେଥିରୁ ମିଳୁଥିବା ସଫଳତା ଆନନ୍ଦ ଦେବ। ଏଥିସହ ସେ କହିଥିଲେ ଯେ ଶିକ୍ଷାର ପ୍ରକୃଷ୍ଟ ଅର୍ଥ ହେଉଛି, ଯାହା ଚିନ୍ତା କରିବା ଲାଗି ଶକ୍ତି ଓ ସାମର୍ଥ୍ୟ ଦେଇଥାଏ। ଯେକୌଣସି ପରିସ୍ଥିତିର ମୁକାବିଲା କିଭଳି କରି ହେବ ତାହା ନିର୍ଣ୍ଣୟ କରିବା ଲାଗି ଶକ୍ତି ଓ ସାମର୍ଥ ଦେଇଥାଏ ଶିକ୍ଷା। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନବ ଯୁବକଯୁବତୀମାନଙ୍କୁ ରକ୍ତଦାନ କରିବାକୁ ଉପଦେଶ ଦେଇଥିଲେ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୁଧାଂଶୁ ଶେଖର ଷଡଙ୍ଗୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। କେବଳ ବିଜ୍ଞାନ ପଢ଼ି ଇଞ୍ଜିନିୟର ହୋଇଗଲେ ଯେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିହେବ, ତା’ ନୁହେଁ କଳା ଓ ବିଜ୍ଞାନରେ ମଧ୍ୟ ଶ୍ରେଷ୍ଠତ୍ୱ ହାସଲ କରି ହେବ ବୋଲି ଶ୍ରୀଷଡଙ୍ଗୀ କହିଥିଲେ।

ଅନ୍ୟତମ ଅତିଥି ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିରଞ୍ଜନ ସାହୁ କେବଳ କଠିନ ପରିଶ୍ରମ ନୁହେଁ, ତା’ ସାଙ୍ଗେ ବୁଦ୍ଧିର ପ୍ରୟୋଗ କରିବାକୁ ସମବେତ  ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ ଗ୍ରୁପର’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଏବଂ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର