ଦୁର୍ଗମ ଅଞ୍ଚଳର ବିକଳ ଚିତ୍ର: ବଞ୍ଚିଲାନି ନବଜାତକ, ବାଇକ୍‌ରେ ଗର୍ଭବତୀ

ଟ୍ରାଫିକ୍‌ ଜାମ୍‌ରେ ଫସିଗଲା ଆମ୍ବୁଲାନ୍ସ

ଗୁଆଲି: ଗାଁରୁ ବାହାରିବାକୁ ବି ରାସ୍ତା ନାହିଁ। ରାସ୍ତା ସାରା ମାଳ ମାଳ ଟ୍ରକ୍‌। ଫଳରେ ଗୁଆଲିରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଯାଉଥିବା ଜଣେ ଗର୍ଭବତୀ ରାସ୍ତାରେ ଶିଶୁ ସନ୍ତାନ ଜନ୍ମ ଦେଇଥିଲେ । କିଛି ସମୟ ମଧ୍ୟରେ ରାସ୍ତାରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଯୋଡା ବ୍ଲକ ଅନ୍ତର୍ଗତ ଗୁଆଲି ଗ୍ରାମର ମନୀଷା ସଏ(୨୦)ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଗୁଆଲି ଟ୍ରକ ମାଲିକ ସ˚ଘ ଆମ୍ବୁଲାନ୍ସରେ ଯୋଡାସ୍ଥିତ ଟିସ୍କୋ ମେଡିକାଲକୁ ଯାଉଥିଲେ। ରାସ୍ତା ସାରା ପ୍ରବଳ ଜାମ୍‌ ଥିବାରୁ ଆମ୍ବୁଲାନ୍ସ ଗୁଆଲି ଫେରି ଆସିଥିଲା। ଏହାପରେ ପୁଣି ଅନ୍ୟ ଏକ କମ୍ପାନିର ଆମ୍ବୁଲାନ୍ସ ଯୋଗେ କାଟେସାହି ବାଇପାସ୍‌ ରାସ୍ତା ଯୋଗେ ଯାଉଥିଲେ। ପୁଣି ସେଇଭଳି ରାସ୍ତାରେ ଜାମ୍‌ ରହିବାରୁ ଆମ୍ବୁଲାନ୍ସ ଫସି ଯାଇଥିଲା। କିଛି ସମୟ ପରେ ଚେରମାଲଦା ନିକଟରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଶିଶୁ ସନ୍ତାନଟି ପ୍ରସବ ହୋଇଥିଲା। ଏହାପରେ ଶିଶୁଟିକୁ ମେଡିକାଲ ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ବାଟରେ ହିଁ ତାର ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଗୁଆଲି ନିକଟସ୍ଥ କେନ୍ଦୁଡିହି ଗ୍ରାମର ଗର୍ଭବତୀ ମହିଳା ସୁମି ଲୁଗୁନ ଗତକାଲି ସନ୍ଧ୍ୟାରେ ମେଡିକାଲ ଯାଉଥିବା ବାଟରେ ବାରବାଙ୍କ ଘାଟିରେ ତାଙ୍କର ସନ୍ତାନ ପ୍ରସବ ହୋଇଥିଲା। ରାତି ଗୋଟାଏରେ କମାରଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ତେତେ ଏହି ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ବାଇକ୍‌ରେ ଗର୍ଭବତୀ

ବା˚ଶପାଳ: ପାହାଡ଼ିଆ ଅଞ୍ଚଳ। ଗାଁକୁ ରାସ୍ତା ନାହିଁ। ଏପଟେ ଗାଁରୁ ବାହାରିଲେ ନଦୀ ନାଳ ପାର ହେବାକୁ ପଡୁଛି। ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ। ଏଭଳି ସ୍ଥିତିରେ ଗର୍ଭ ଯନ୍ତ୍ରଣାରେ କଲବଲ ହେଉଥିବା ଜଣେ ଆଦିବାସୀ ମହିଳାଙ୍କୁ ମୋଟର ସାଇକେଲରେ ଡାକ୍ତରଖାନା ଯିବାକୁ ପଡ଼ିଛି। ନଦୀ, ପାହାଡି ନାଳ ସହିତ ଦୀର୍ଘ ୧୫ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିବା ଯନ୍ତ୍ରଣା ଗର୍ଭ ଯନ୍ତ୍ରଣାଠୁ ବଳି ପଡ଼ିଥିଲା । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକର ଶାଗପାଲି ଗାଁରେ। ଶାଗପାଲି ଗାଁର ସୁମି ମୁଣ୍ତା(୨୨)ଆଜି ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ ଲଗାଇଥିଲେ। ସିଗ୍‌ନାଲ ନ ଥିବାରୁ ଫୋନ୍‌ ଲାଗି ନ ଥିଲା। ପାହାଡ଼ ଉପରକୁ ଚଢ଼ି ଫୋନ୍‌ କରିବା ପରେ ଆମ୍ବୁଲାନ୍ସ ଆସିଥିଲା। ରାସ୍ତା ନଥିବାରୁ ଗାଡ଼ିଟି ଗାଁକୁ ଯାଇ ପାରି ନ ଥିଲା। ଗାଁଠୁ ଦୂରରେ ସିମିଳାପଟାଳୀ ନାଳ ନିକଟରେ ପାଣି ପ୍ରବାହିତ ହେଉଥିବା ଦେଖି ଫେରି ଚାଲିଯାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ସୁମି ମୁଣ୍ଡାଙ୍କୁ ଆଶା ଦିଦି ଓ ତାଙ୍କ ସ୍ବାମୀଙ୍କ ସହଯୋଗରେ ଦୁଇଟି ନାଳ ପାର‌୍‌ କରି ଦୀର୍ଘ ୧୫ କିଲୋମିଟର ବାଇକ୍‌ରେ ଆଣିଥିଲେ। ଏହାପରେ ଜମ୍ଭିରିପଶି ନିକଟରୁ ଆମ୍ବୁଲାନ୍ସରେ ବା˚ଶପାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଏବେ ଗର୍ଭବତୀ ସୁମି ମୁଣ୍ତା ବା˚ଶପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବା˚ଶପାଳ ବ୍ଳକର ଅଧିକା˚ଶ ଦୁର୍ଗମ ଗାଁ ଗୁଡିକୁ ଯାତାୟାତ ସୁବିଧା ନ ଥିବାରୁ ଆଦିବାସୀମାନେ କୌଣସି ପ୍ରକାର ସ୍ବାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି। ଏ ସ˚ପର୍କରେ ସୁମିଙ୍କ ସ୍ବାମୀ ରବି ମୁଣ୍ତା କହିଛନ୍ତି, ଦୁଇ ଦୁଇଟି ନାଳ ପାର‌୍‌ ହୋଇ ମୋଟର ସାଇକେଲରେ ପତ୍ନୀଙ୍କୁ ହସ୍ପିଟାଲ ଆଣିବା କଷ୍ଟକର ଥିଲା। ଭଗବାନଙ୍କ କୃପାରୁ ଏବେ ହସ୍ପିଟାଲରେ ପହଞ୍ଚିବା ପରେ ମୁଁ ଆଶ୍ବସ୍ତ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର