ଆଉ ଭାଗବଣ୍ଟା ହେବନି ସାହିତ୍ୟ ଏକାଡେମି ପୁରସ୍କାର ରାଶି

୨୦୧୩, ୨୦୧୪ ବର୍ଷ ପାଇଁ ୨୪ ଜଣଙ୍କୁ ଏକାଡେମି ସମ୍ମାନ

ଭୁବନେଶ୍ୱର: ଏଣିକି ଆଉ ଆଉ ଓଡ଼ିଶା ସାହିତ୍ୟ ଏକାଡେମିର ସମ୍ମାନ ରାଶି ଭାଗବଣ୍ଟା ହେବନି। ସୁତରାଂ ଯଦି ଏକାଡେମି ପକ୍ଷରୁ ବିଚାରକ ମଣ୍ଡଳୀ ଦ୍ୱାରା ୩ଟି କବିତା ପୁସ୍ତକ ଏକକାଳୀନ ସମାନ ନମ୍ବର ପାଇ କାବ୍ୟ କବିତା ବିଭାଗରେ ଏକାଡେମି ସମ୍ମାନ ପାଇଁ ବଛା ହୁଅନ୍ତି ସେ କ୍ଷେତ୍ରରେ ୩ ଜଣଙ୍କୁ ପୂର୍ଣ୍ଣ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ। ଅର୍ଥାତ ଏକାଡେମି ପୁରସ୍କାର ୩୦ ହଜାର ଟଙ୍କା ଥିବା ବେଳେ ୩ ଜଣଙ୍କ ଭିତରେ ଆଉ ସେ ଟଙ୍କା ଭାଗ ନହୋଇ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ପୂର୍ଣ୍ଣ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏହି ଘୋଷଣା କରିଛନ୍ତି। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ଘୋଷଣା କରିଥିଲେ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ ବାକିଆ ୨୦୧୫-୧୬ ଓ ୨୦୧୬-୧୭ ପୁରସ୍କାର ଦେଇ ଯେଭଳି ୨୦୧୯ର ପୁରସ୍କାର ଉତ୍ସବ ସେଇ ବର୍ଷ ହୋଇପାରିବ ସେନେଇ ଖସଡ଼ା ପ୍ରସ୍ତୁତ କରାଯିବ। ଏଥିପାଇଁ ୨୦୧୫-୧୬ ବର୍ଷର ବହି ପାଇଁ ଆହ୍ଵାନ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହି ପୁରସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ୨୦୧୩ ବର୍ଷ ନିମନ୍ତେ ଉପନ୍ୟାସ ‘ଢେଉ’ ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ତେବେ ତାଙ୍କର ପରଲୋକ ହୋଇଯାଇଥିବାରୁ ତାଙ୍କ ଧର୍ମପତ୍ନୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ନେବା ବେଳେ ସେ ବିଭୂତି ପ୍ରଧାନଙ୍କ କଥା ସ୍ମରଣ କରି ପୁରସ୍କାର ପାଇବା ଅବସରରେ ଛଳଛଳ ହୋଇଯାଇଥିଲେ। ସେହିପରି କ୍ଷୁଦ୍ରଗଳ୍ପ ‘ସନ୍ଦିଗ୍ଧ ଶୈଶବ’ ପାଇଁ ଦୀପ୍ତିରଂଜନ ପଟ୍ଟନାୟକ, କାବ୍ୟ କବିତା ‘ନିବୃତ୍ତ ନିଷାଦ’ ପାଇଁ ବିମଳ ଜେନା, ‘ଅଜନ୍ମା’ ପାଇଁ ସୁଚେତା ମିଶ୍ର ଏବଂ ‘ଅସରନ୍ତି ଅନ୍ତାକ୍ଷରୀ’ ପାଇଁ ରକ୍ଷକ ନାୟକ, ନାଟକ ଓ ଏକାଙ୍କିକା ପାଇଁ ‘ବରଂ ନିବାସ ଭଲ ରଣକ୍ଷେତ୍ରରେ’ ପାଇଁ ରମେଶ ଦାସ, ପ୍ରବନ୍ଧ ଓ ସମାଲୋଚନା ‘ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ’ ପାଇଁ କୃଷ୍ଣଚନ୍ଦ୍ର ପ୍ରଧାନ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଅନନ୍ୟ ସୃଷ୍ଟି କାନଡ଼ା’ ପାଇଁ ରାସବିହାରୀ ବେହେରା ଏବଂ ‘ଭ୍ରମଣରୁ ଶିକ୍ଷା’ ପାଇଁ ପ୍ରଭାତୀ ମିଶ୍ର, ଅନୁବାଦ ‘ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ବିଜୟ କୁମାର ପ୍ରଧାନ, ଶିଶୁ ସାହିତ୍ୟ ‘ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ’ପାଇଁ ସୂର୍ଯ୍ୟମଣି ସାମନ୍ତରାୟ ଓ ‘ନୀଳ ଠେକୁଆ’ ପାଇଁ ରବୀନ୍ଦ୍ରନାଥ ମାଝୀ, ଗୀତି କବିତା ‘ପଦୁଅଁ ପାପୁଲି’ ପାଇଁ ଦେବେନ୍ଦ୍ର ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିସହିତ ୨୦୧୪ ନିମନ୍ତେ ଉପନ୍ୟାସ ‘ନିର୍ବାଣ ଅଭିସାର’ ପାଇଁ ଇନ୍ଦିରା ଦାଶ, କ୍ଷୁଦ୍ରଗଳ୍ପ ‘ମହାଗାନ’ ପାଇଁ ଅଭୟ ବାରିକ, କାବ୍ୟ କବିତା ‘ସ୍ୱରଚିତ୍ର’ ପାଇଁ ବିପିନ୍‌ ନାୟକ, ‘ବୋଧହୁଏ ଭଳ ପାଇବା ମୋତେ ଜଣା ନାହିଁ’ ପାଇଁ ବାସୁଦେବ ସୁନାନୀ, ନାଟକ ଓ ଏକାଙ୍କିକା ‘ନାଟକ ସଂଗ୍ରହ’ ପାଇଁ ବିଜୟ କୁମାର ନନ୍ଦ, ପ୍ରବନ୍ଧ ଓ ସମାଲୋଚନା ‘ଓଡ଼ିଶାରେ ଲୋକଧର୍ମର ପରମ୍ପରା’ ପାଇଁ ଅରବିନ୍ଦ ପଟ୍ଟନାୟକ, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଅଭିଯାତ୍ରୀକ-୨’ ପାଇଁ ପ୍ରିୟବ୍ରତ ପାତ୍ର ଓ ‘ପଶ୍ଚିମ ଓଡ଼ିଶାର ବରପୁତ୍ର’ ପାଇଁ ଗଣେଶରାମ ନାହାକ, ଅନୁବାଦ ‘ନର୍‌ଗିସ୍‌ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସୁଭାଷ ଶତପଥୀ, ଶିଶୁ ସାହିତ୍ୟ ‘ଓସ୍ତ ପତର ପାନିଆ’ ପାଇଁ ବସନ୍ତ କିଶୋର ସାହୁ ଏବଂ ଗୀତି କବିତା ‘ଜହ୍ନ ଝିଲିମିଲି’ ପାଇଁ ହୃଦାନନ୍ଦ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା।

ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମି ପୁରସ୍କାର ପ୍ରଦାନ ଉତ୍ସବକୁ ନୋବେଲ୍‌ ସମ୍ମାନ ପ୍ରଦାନ ଉତ୍ସବ ପାଇଁ ବର୍ଷର ଏକ ନିର୍ଦିଷ୍ଟ ଦିନ ସ୍ଥିରିକୃତ କରାଯାଉ। ସେ କହିଥିଲେ, ସାହିତ୍ୟିକ ପାଣିପାଗ ତଥା ସାହିତ୍ୟ ଓ ସୃଜନ କ୍ଷେତ୍ରରେ ସନ୍ତୁଳନ ବଜାୟ ରହୁ। ନବୀନମାନେ ପ୍ରବୀଣଙ୍କଠୁ ଶିଖନ୍ତୁ ଏବଂ ପ୍ରବୀଣମାନେ ନବୀନମାନଙ୍କୁ ପ୍ରେରଣା ଦିଅନ୍ତୁ। ବିଭାଗୀୟ ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଅଭିଭାଷଣରେ କହିଲେ, ବ୍ୟାସକବିଙ୍କ ୧୭୫ତମ ଜୟନ୍ତୀ ପାଇଁ ଓଡ଼ିଶା, ଜାମ୍‌ସେଦପୁର ଓ ଛତିଶଗଡ଼ର ସ୍କୁଲ୍‌ କଲେଜ୍‌ ସମେତ ଦିଲ୍ଲୀ, ମୁମ୍ବାଇ ଓ ଶାନ୍ତିନିକେତନରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଯାହା ଆମ ସାହିତ୍ୟ ମହଲକୁ ସୁଦୂରପ୍ରସାରୀ ଓ ବଞ୍ଚେଇ ରଖିବାରେ ସମର୍ଥ ହେବ ବୋଲି ସେ କହିଥିଲେ। ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଗାୟତ୍ରୀ ସରାଫ୍‌ ଉପସଂହାର ଏବଂ ସଚିବ ଅଶ୍ୱିନୀ କୁମାର ମିଶ୍ର ସମ୍ପାଦକୀୟ ପାଠ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର