ବନ୍ଦ ହେବନି ଯାତ୍ରା : କଳାକାର ଓ କର୍ମଚାରୀଙ୍କ ଅନୁରୋଧକ୍ରମେ ନିଷ୍ପତ୍ତି ବଦଳାଇଲା ମାଲିକ ସଂଘ

ଭୁବନେଶ୍ୱର : ବନ୍ଦ ହେବନି ଯାତ୍ରା, ଯଥାବତ୍‌ ଚାଲୁ ରହିବ। ଆସନ୍ତା ଯାତ୍ରା ବର୍ଷରୁ ଯାତ୍ରା ପରିବେଷଣ ବନ୍ଦ ରଖିବା ପାଇଁ ଯାତ୍ରା ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୂନର୍ବିଚାର କରାଯାଇଛି। ପରିଚାଳନାରେ ସମସ୍ତ ସହଯୋଗର ପ୍ରତିଶ୍ରୁତି ସହିତ ଯାତ୍ରା କଳାକାର ଏବଂ କର୍ମଚାରୀମାନେ ଯାତ୍ରା ଚଳାଇ ରଖିବା ପାଇଁ ମାଲିକ ସଂଘକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ମାଲିକ ସଂଘର ଏକ ଜରୁରୀ ବୈଠକ ଗତ ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଜସଜ୍ଜାକୁ ସଂକୁଚିତ କରିବା, ଯାତ୍ରା ପରିଚାଳନାକୁ ଶୃଙ୍ଖଳିତ କରିବା ସହିତ ଅନୁଷ୍ଠାନର କ୍ଷତି ଭରଣା ପାଇଁ ଖର୍ଚ୍ଚକାଟ କରି ଯାତ୍ରା ପରିବେଷଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଯାତ୍ରା କଳାକାର ଏବଂ ଯାତ୍ରା ଶିଳ୍ପ ସହିତ ସଂପୃକ୍ତ କର୍ମଚାରୀମାନଙ୍କ ସହଯୋଗ ପାଇଁ ମାଲିକ ସଂଘ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଯାତ୍ରା ପରିବେଷଣରେ ଯାତ୍ରା କମିଟିମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯାତ୍ରା ଶିଳ୍ପକୁ ସଂକଟର ଉଦ୍ଧାର କରିବା ପାଇଁ ସେମାନଙ୍କର ସହଯୋଗ କାମନା କରାଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ଓଡ଼ିଶାର ଯାତ୍ରା କମିଟିମାନଙ୍କର ଏକ ବୈଠକ ଆୟୋଜନ କରାଯାଇ ଅନ୍ୟ ବିଷୟରେ ଆଲୋଚନା କରାଯିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ମାଲିକ ସଂଘ ସଭାପତି ସୌମ୍ୟରଂଜନ ପଟ୍ଟନାୟକ, ଉପଦେଷ୍ଟା ପ୍ରଦୀପ ମହାରଥୀଙ୍କ ସମେତ ସମସ୍ତ ଯାତ୍ରା ପ୍ରଯୋଜକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର