ଭୁବନେଶ୍ୱର: ଯେତିକି ଦୁର୍ନୀତିଖୋର ଧରାପଡ଼ୁଛନ୍ତି ତା’ଠାରୁ ଢେର ଅଧିକ ଲୁଚି ଯାଉଛନ୍ତି। ପ୍ରଥମେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଯଦି ଧରାପଡ଼ୁନାହାନ୍ତି; ତେବେ ସ୍ଥିତି ଏଭଳି ହେବା ଆବଶ୍ୟକ ଯେ ପ୍ରତିକ୍ଷଣରେ ସେମାନଙ୍କ ମନରେ ଗିରଫଦାରୀର ଭୟ ସଂଚାର ହେଉଥିବ। ନିଜେ ନିଜେ ଧରାଦେବାକୁ ବାଧ୍ୟ କରାଇଦିଆଯିବ। ଆଜି ଲୋକସେବା ଭବନ କନ୍ଭେନ୍ସନ ହଲଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ-୨୦୨୪ ପାଳନ ଅବସରରେ ଭିଜିଲାନ୍ସ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ ପୂର୍ବ ସରକାର ସମୟର ୫-ଟି ବ୍ୟବସ୍ଥାକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇଗଲାଣି ତ ଆଉ କେଉଁଠି ୫-ଟି ସ୍କୁଲ୍ର କାନ୍ଥରୁ ଚୂନ ଖସିଲାଣି। ପୁଣି ବିଶ୍ବସ୍ତରୀୟ ହସ୍ପିଟାଲ୍ରୁ ଛାତ ଖସିପଡ଼ିଲାଣି। ଏଠୁ ବାଟମାରଣା ହେଉଥିବା ଟଙ୍କା କାହା ପକେଟ୍କୁ ଯାଉଥିଲା? ଏହି ଦୁର୍ନୀତି ଟଙ୍କାରେ କିଏ ନିର୍ବାଚନ ଲଢ଼ୁଥିଲା? ଏକଥା କାହାକୁ ଅଛପା ନାହିଁ। ପୂର୍ବ ସରକାରରେ ଦୁର୍ନୀତିର ଚେର ରାଜ୍ୟରେ ମଜଭୂତ୍ ହେଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର। ଦୁର୍ନୀତି ବିରୋଧରେ ଲଢ଼େଇ କେବଳ ରାଜଧାନୀରେ ସୀମିତ ନରହି ତୃଣମୂଳସ୍ତର ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲ୍ଲାସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ ଡାଉନ ଓ ବଟମ୍ ଅପ୍ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି।
୫-ଟି ଦୁର୍ନୀତି ଟଙ୍କାରେ କିଏ ନିର୍ବାଚନ ଲଢ଼ୁଥିଲା?
ହେବ ନୂଆ ଫରେନ୍ସିକ ବିଜ୍ଞାନାଗାର
୮ ଅତିରିକ୍ତ ଏସ୍ପି ଓ ୨୪ ଡିଏସ୍ପି ପଦବି ସୃଷ୍ଟି ହେବ
ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଆସିବାର ୧୪୦ ଦିନ ମଧ୍ୟରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଜଣ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି। ଏହାଛଡ଼ା ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଓ ଆୟବହିର୍ଭୂତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ ରହିଛି।
ଦୁର୍ନୀତିକୁ ମୂଳପୋଛ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ, ମାନବ ସମ୍ବଳ ବୃଦ୍ଧି କରି ବିଭାଗକୁ ଆହୁରି ସୁଦୃଢ଼ କରାଯିବ। ଏଥିଲାଗି ୮ଟି ନୂତନ ଅତିରିକ୍ତ ଏସ୍ପି ଓ ୨୪ଟି ଡିଏସ୍ପି ପଦବି ସୃଷ୍ଟି କରାଯିବ। ତଦନ୍ତ ଓ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍ଇନ୍ସପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ୨୪ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞଙ୍କୁ ବିଭାଗରେ ସାମିଲ୍ କରାଯିବାକୁ ଅନୁମୋଦନ ହୋଇଛି। ଟିମ୍ର ଗତିଶୀଳତା ବୃଦ୍ଧି ପାଇଁ ୧୩୫ଟି ନୂତନ ବାଇକ୍, ୧୫୦ଟି ଲ୍ୟାପ୍ଟପ୍ ଯୋଗାଇ ଦିଆଯିବ।
ଖାଲି ଏତିକି ନୁହେଁ; ବିଭାଗ ପାଇଁ ଏକ ସ୍ବତନ୍ତ୍ର ଫରେନ୍ସିକ ବିଜ୍ଞାନାଗାର ନିର୍ଦ୍ଦେଶାଳୟ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ୍ ଭାବେ କୋରାପୁଟ ଡିଭିଜନକୁ, ଶ୍ରେଷ୍ଠ ୟୁନିଟ୍ ଭାବେ ବଲାଙ୍ଗୀର ଡିଭିଜନକୁ, ଶ୍ରେଷ୍ଠ ତଦନ୍ତକାରୀ ଅଫିସର ଭାବେ ବାଲେଶ୍ବର ଡିଭିଜନର ଡିଏସ୍ପି ଦୁଷ୍ମନ୍ତ କୁମାର ନାୟକ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ସବିତାଞ୍ଜଳି ନାୟକ ଓ ଶ୍ରେଷ୍ଠ ପବ୍ଲିକ ପ୍ରସିକ୍ୟୁଟର ଭାବେ ଭୁବନେଶ୍ବରର ହେମନ୍ତ କୁମାର ସ୍ବାଇଁଙ୍କୁ ପୁରସ୍କୃତ କରିଥିଲେ।
ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ଆସନ୍ତା ୨ମାସ ମଧ୍ୟରେ ସବୁ ବିଭାଗ ଓ କାର୍ଯ୍ୟାଳୟରେ ଫିଡ୍ବ୍ୟାକ୍ ଦେବା ପାଇଁ ବ୍ୟବସ୍ଥା କରାଯିବ। ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସ୍ବାଗତ ଭାଷଣ ଓ ଏଡିଜି ଅସିତ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ସଚିବ,ସମସ୍ତ ଜିଲ୍ଲାପାଳ, ପୁଲିସ ଅଧିକାରୀ, ଭିଜିଲାନ୍ସ ଅଧିକାରୀ, ପୂର୍ବତନ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଶପଥପାଠ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/29/xv9sMG6qGJTfaUsSjB6h.jpg)