ରାଜ୍ୟବାସୀ ‘ଲକ୍‌ ଡାଉନ୍‌’ର ଆବଶ୍ୟକତାକୁ ହୃଦୟଙ୍ଗମ କରନ୍ତୁ; ସ୍ଥିତିକୁ ହାତମୁଠାରେ ରଖନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ସଂପ୍ରତି କରୋନା ପାଇଁ ସତର୍କତା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟ ସରକାର ସମ୍ବେଦନଶୀଳ ଓ ସ୍ପର୍ଶକାତର ଥିବା ଜିଲ୍ଲା ଓ ସହରଗୁଡ଼ିକ ପାଇଁ ଆଜି ଠାରୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତେବେ, ରାଜ୍ୟବାସୀ ଏହାର ଗୁରୁତ୍ୱ କିମ୍ବା ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ ନକରି ଲକ୍‌ ଡାଉନ୍‌ ଉଲ୍ଲଂଘନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରି ଦେଇଥିବାରୁ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଏ ପରିସ୍ଥିତିରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେବା ସହ ଚେତାଇ ଦେବାକୁ ଯାଇ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଏହାକୁ ରାଜ୍ୟବାସୀ କୌଣସି ରାଜନୈତିକ ଦଳ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡକରା ବୋଲି ଭାବନ୍ତୁ ନାହିଁ, କିମ୍ବା ସେ ଧରଣର ଆଚରଣ ମଧ୍ୟ ପ୍ରଦର୍ଶନ କରନ୍ତୁ ନାହିଁ। ନିଜ ଅନିଚ୍ଛା ସତ୍ତ୍ୱେ କେବଳ ମାତ୍ର ରାଜ୍ୟବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କୁ ଏପ୍ରକାରର କଠୋର ନିଷ୍ପତ୍ତି ନେବା ପାଇଁ ପରିସ୍ଥିତି ବାଧ୍ୟ କରିଛି। କାରଣ, ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଆପଣମାନେ କେବଳ ମାତ୍ର ନିଜ ଘର ଭିତରେ ନିଜକୁ ଗୃହବନ୍ଦୀ କରି ରଖି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ। ଏହାର ଅନ୍ୟ କୌଣସି ପ୍ରକାରର ବିକଳ୍ପ ନାହିଁ।

ଯଦି ଆପଣମାନେ ଏହାକୁ ଗୁରୁତ୍ୱଦେବେ ନାହିଁ ତେବେ ପରିସ୍ଥିତି ଯେ କି ପ୍ରକାରର ଭୟଙ୍କର ରୂପ ଧାରଣ କରିବ ତାହାକୁ ଆପଣ କଳ୍ପନା ସୁଦ୍ଧା କରିପାରିବେ ନାହିଁ। ଯେମିତି ଗାଁରେ ଥିବା ଗୋଟିଏ ଚାଳଘରେ ନିଆଁ ଲାଗିଲେ ଚାହୁଁଚାହୁଁ ପୂରା ଗାଁ ପୂରା ଜଳି ଭସ୍ମୀଭୂତ ହୋଇ ଯାଇଥାଏ; ଶୁଖ୍‌ିଲା ଜଙ୍ଗଲରେ ଗୋଟିଏ ପତ୍ରରେ ନିଆଁ ଲାଗିଲେ ପୂରା ଜଙ୍ଗଲ ଯେମିତି ସଂପୂର୍ଣ ଜଳିପୋଡ଼ି ଛାରଖାର ହୋଇ ଯାଇଥାଏ: ଠିକ୍‌ ସେମିତି ଯଦି କରୋନା ଥରେ ମହାମାରୀର ରୂପ ଧାରଣ କରି ବ୍ୟାପିବାକୁ ଆରମ୍ଭ କରେ, ତେବେ ଆଉ କୌଣସି ପ୍ରକାର ପରିସ୍ଥିତିରେ ବି ତାକୁ ଅଟକାଯାଇ ପାରିବ ନାହିଁ। ଏ ଧ୍ରୁବସତ୍ୟକୁ ସମସ୍ତଙ୍କୁ ବୁଝିବାକୁ ଓ ହୃଦୟଙ୍ଗମ କରିବାକୁ ପଡ଼ିବ।

ପରିସ୍ଥିତିକୁ ଆହୁରି ସରଳ ଭାବେ ବୁଝାଇବାକୁ ଯାଇ ଶ୍ରୀ ବାଗ୍‌ଚୀ କହିଛନ୍ତି ମାତ୍ର ସପ୍ତାହେ /ଦୁଇ ସପ୍ତାହ ତଳେ ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍‌ ଓ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ସଂଖ୍ୟା ବିଶିଷ୍ଟ ଥିଲା। କିନ୍ତୁ, ଆଜିର ତାରିଖରେ ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯,୦୦୦ ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୩୯,୦୦୦, ସ୍ପେନ୍‌ରେ ୨୮,୦୦୦ ଓ ଜର୍ମାନୀରେ ୨୫ ,୦୦୦ ଟପି ସାରିଲାଣି। ତେଣୁ, ଏ ସତ୍ୟକୁ ଉପଲବ୍ଧି କରି ପ୍ରତ୍ୟେକ ରାଜ୍ୟବାସୀ ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ଗ୍ରହଣ କରୁଥିବା ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପରେ ନିଜ ନିଜର ପୂର୍ଣ୍ଣ ସହଯୋଗ ଦେବାକୁ ଶ୍ରୀ ବାଗ୍‌ଚୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର