ଯାଜପୁର : ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ତଥାପି ପ୍ରାର୍ଥୀଙ୍କର ଭରସା ନାହିଁ ବ୍ୟବସ୍ଥା ଉପରେ। କାଳେ ଭୋଟ୍ବାକ୍ସକୁ ଏପଟସେପଟ କରାଯିବ, ଏହି ଆଶଙ୍କାରେ ପ୍ରାର୍ଥୀ ଓ ସମର୍ଥକମାନେ ଷ୍ଟ୍ରଙ୍ଗରୁମ୍ ଆଗରେ ତମ୍ବୁ ପକାଇ ଦିନରାତି ଜଗି ରହିଛନ୍ତି। ସେହିଠାରେ ରୋଷେଇବାସ କରି ଖିଆପିଆ କରୁଛନ୍ତି। ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଧର୍ମଶାଳା, ଦଶରଥପୁର, ବଡ଼ଚଣା, ବିଂଝାରପୁର; କେନ୍ଦୁଝର ଜିଲ୍ଲାର ଭୋଟ ସରିଥିବା ଅଞ୍ଚଳରେ ମଧ୍ୟ ଭୋଟ ବାକ୍ସରେ ଗଡ଼ବଡ଼ ଆଶଙ୍କାରେ ପ୍ରର୍ଥୀ ରାତି ଉଜାଗର ରହୁଛନ୍ତି। ଜିଲ୍ଲାର କୋରେଇ ବ୍ଲକର କାହ୍ନୁଚରଣ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ ଆଗରେ ବିଭିନ୍ନ ରାଜନୈତିକ ଦଳର ୧୨ ଜଣଙ୍କୁ ଜଗିବାକୁ ଅନୁମତି ଦେଇଛି ପ୍ରଶାସନ। ଏଠାରେ ବିଦ୍ୟୁତ୍ ନାହିଁ କି ସିସି କ୍ୟାମେରା ଲାଗି ନଥିବା ଅଭିଯୋଗ ହୋଇଥିଲା। ଭୋଟର ନାମ ତାଲିକାରୁ ଗାଏବ କରିବାଠାରୁ ଆରମ୍ଭ କରି ଭୋଟଗ୍ରହଣ କେନ୍ଦ୍ରରେ ଭୋଟବାକ୍ସ ନେଇଯିବା ପରି ଅଘଟଣ ଘଟୁଥିବାରୁ ପୁଲିସ/ପ୍ରଶାସନ ତଥା ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ପ୍ରାର୍ଥୀମାନେ ନିଜେ ବାଲଟ ବାକ୍ସକୁ ଜଗୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି। ସେହିପରି ଚଣ୍ଡିଖୋଲ କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ ଆଗରେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟବାକ୍ସ ଜଗି ରହିଛନ୍ତି। ବଡ଼ଚଣା ବ୍ଲକର ଚମ୍ପାପୁର, ସିହା ଆଦି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ସେଠାରେ ଡେରା ପକାଇଛନ୍ତି। ଦଶରଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ ଆଗରେ ରାତିରେ ୨୦ରୁ୨୫ ଜଣ ଓ ଦିନବେଳା ୪୦ରୁ୫୦ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକ (ବିଶେଷକରି ବିରୋଧୀଦଳ)ମାନେ ପାଳିକରି ଜଗି ରହୁଛନ୍ତି। ସେହିଭଳି, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ବାଉଁଶରେ ମଞ୍ଚା ବାନ୍ଧି ଭୋଟ ବାକ୍ସ ଥିବା ଘର ଉପରେ ନଜର ରଖିବା ପରି ଘଟଣା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/02/cpi.jpg)
ତମ୍ବୁ ଟାଣି ବସିଲେ ସିପିଆଇ ନେତା
ଇବ୍ଥର୍ମାଲ/ଲଖନପୁର : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ତିନି ଜୋନ୍ର ବାଲଟ୍ ବାକ୍ସକୁ ଆଦର୍ଶ ବିଦ୍ୟାଳୟ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି। ବାଲଟ୍ ବକ୍ସର ସୁରକ୍ଷା ନେଇ ସନ୍ଦେହ ପ୍ରକାଶ କରିଛି ସିପିଆଇ। ଯେଉଁଥିପାଇଁ ଦଳର ବରିଷ୍ଠ ନେତା ରମେଶ ତ୍ରିପାଠୀ ସୋମବାର ଦିନ କର୍ମୀମାନଙ୍କ ସହ ବିଦ୍ୟାଳୟ ବାହାରେ ତମ୍ବୁମାରି ଜଗିବା ଆରମ୍ଭ କରିଛନ୍ତି।
ଶ୍ରୀ ତ୍ରିପାଠୀ କହିଛନ୍ତି, ସରକାରଙ୍କ କର୍ମଚାରୀଙ୍କ ଉପରେ ତାଙ୍କର ଭରସା ନଥିବା କହିଛନ୍ତି। ବାଧ୍ୟ ହୋଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଟେଣ୍ଟ୍ ପକାଇ ବକ୍ସ ଜଗୁଛି ବୋଲି କହିଛନ୍ତି। ଏଥିସହିତ; ଭୋଟ୍ ବାକ୍ସ ରଖାଯାଇଥିବା ଲଖନପୁର ଆଦର୍ଶ ବିଦ୍ୟାଳୟ ନିଛାଟିଆ ସ୍ଥାନରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରିବା, ବିଦ୍ୟାଳୟ ଚାରିପଟେ ଆଲୋକିତ କରିବା ଏବଂ ଦୁର୍ବଳ ଥିବା ମୋବାଇଲ ନେଟ୍ୱର୍କକୁ ଠିକ୍ କରିବା ଆଦି ଦାବିରେ ଶ୍ରୀ ତ୍ରିପାଠୀ, ଦଳର ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ଯୋଗେନ୍ଦ୍ର ମାଝି ଓ ଜୋନ୍-୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁଚିତ୍ରା ଦୀପ ଜିଲ୍ଲାପାଳ ସରୋଜ ସାମଲ ଓ ଏସପି ବିକାଶ ଦାଶଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଅନ୍ୟପକ୍ଷରେ; ମତଦାତାଙ୍କ ମତଦାନପତ୍ର ଗୁଡ଼ିକ ଯେପରି ଭୋଟ୍ ବାକ୍ସଗୁଡ଼ିକରେ ସୁରକ୍ଷିତ ରହିବ, ତା’ ଉପରେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଏବଂ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବଢ଼େଇ, ଜୋନ୍-୨ର ଦଳୀୟ ପ୍ରାର୍ଥୀ ବେଣୁଧର ଭୋଇ, ମହେଦ୍ର ପଧାନ ଓ ପୁରୁଷୋତ୍ତମ ଜୟସ୍ୱାଲ ପ୍ରମୁଖ ସୋମବାର ବିଦ୍ୟାଳୟର ଷ୍ଟ୍ରଙ୍ଗ ରୁମ ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି ଏବଂ ପ୍ରଶାସନ ପକ୍ଷରୁ ଏଠି କରାଯାଇଥିବା ଢିଲା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/c.jpg)
