ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସେବା, ଏହାର ଅପବ୍ୟବହାର କରାନଯାଉ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସେବା । ତେଣୁ ଏହାର ଅପବ୍ୟବହାର ନ ହେବା ଦରକାର ବୋଲି ରାଜ୍ୟ ସରକାରଙ୍କ କୋଭିଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟର ଅନେକ ସ୍ଥାନରେ ଆମ୍ବୁଲାନ୍ସଗୁଡ଼ିକର ବ୍ୟାପକ ଅପବ୍ୟବହାର ହେଉଥିବା ନଜରକୁ ଆସିଛି । ଅନେକ ଲୋକ ନୀତି ନିୟମ ଉଲଂଘନ କରୁଛନ୍ତି ।

ଶ୍ରୀ ବାଗଚୀ କହିଛନ୍ତି, ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ  ନିୟମ ଉଲଂଘନ କରିଧରାପଡ଼ିଛି । ପଡୋଶୀ ରାଜ୍ୟରୁ ଏକ ଘରୋଇ ଆମ୍ବୁଲାନ୍ସରୁ ୩ ଜଣଙ୍କୁ ଉଦ୍ଧାର କରିବା ପରେ ଏହା ସ୍ପଷ୍ଟ ହୋଇଛି । ଆମ୍ବୁଲାନ୍ସରେ ଜଣେ ଗର୍ଭବତୀ ମହିଳା, ତାଙ୍କର ସ୍ୱାମୀ ଓ ଚାଳକ ଥିଲେ । ଏମାନେ ବହୁ ଦୂରରୁ ଆସିଥିଲେ ମଧ୍ୟ କୌଣସି ବୈଧ ଅନୁମତି ନେଇ ନ ଥିଲେ । ସେମାନେ ବିନା ଅନୁମତିରେ ରାଜ୍ୟକୁ ପ୍ରବେଶ କରିଥିଲେ ।

ଆମ୍ବୁଲାନ୍ସକୁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବରେ ଗ୍ରହଣ କରାଯାଉଛି । ଏବେ ରାଜ୍ୟରେ ବହୁ ସଂଖ୍ୟାରେ ଘରୋଇ ଆମ୍ବୁଲାନ୍ସ ଚାଲୁଛି । ଘରୋଇ ଆମ୍ବୁଲାନ୍ସ ଚାଳକ ଓ ମାଲିକମାନେ ମଧ୍ୟ ଏ ଦିଗରେ ସଚେତନ ହେବା ଦରକାର । କାରଣ ଗୋଟିଏ ଆମ୍ବୁଲାନ୍ସରେ ଯଦି ଜଣେ କରୋନା ରୋଗୀ ଆସନ୍ତି, ତେବେ ତାହା ସମାଜ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । କାରଣ ପରବର୍ତ୍ତୀ ସମୟରେ ଯେତେ ଲୋକ ଏହି ଆମ୍ବୁଲାନ୍ସକୁ ବ୍ୟବହାର କରିବେ, ସେମାନେ ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ତେଣୁ ପରସ୍ଥିତି ଓ ଆମ୍ବୁଲାନ୍ସର ଉପଯୋଗୀତାକୁ ଦୃଷ୍ଟିରେ ରଖି ଏହାର ବ୍ୟବହାର କରିବାକୁ ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟ କୋଭିଡ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଆମ୍ବୁଲାନ୍ସ ବିଶ୍ୱାସରେ ଚାଲିଥାଏ । କିନ୍ତୁ କିଛି ଲୋକ ଅସାଧୁ ଉପାୟରେ ଆମ୍ବୁଲାନ୍ସର ବ୍ୟବହାର କରିବା ପାଇଁ ଅନ୍ୟମାନେ ସନ୍ଦେହକୁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବେକ ସହ କାମ କରିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ୍ ଲାଗୁ କରାଯାଇଛି । ଅତୀତରେ ଭୁବନେଶ୍ୱରରେ ମଧ୍ୟ ୪୮ ଘଣ୍ଟିଆ ସଟଡାଉନ୍ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ସଟଡାଉନ୍ କରାଯିବା ପରେ ଏପ୍ରିଲ ୧୪ ପରଠାରୁ ଆଉ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ତେଣୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଲୋକେ ରାଜ୍ୟପାଇଁ ଉଦାହରଣ ପାଲଟନ୍ତୁ । ସତ କଥା କହି ଆଗକୁ ଆସନ୍ତୁ । ପଶ୍ଚିମବଙ୍ଗ ଫେରନ୍ତା କରୋନା ମୁକାବିଲା ପାଇଁ ଆଗକୁ ଆସନ୍ତୁ ।

ସମ୍ବନ୍ଧିତ ଖବର