ବାଂଶପାଳ/କୋରେଇ: ରାଜ୍ୟ ରାଜକୋଷ ଭରୁଥିବା ଦୁଇ ଆଗୁଆ ଜିଲ୍ଲାକେନ୍ଦୁଝର ଓ ଯାଜପୁର। ମାଳମାଳ କଳକାରଖାନା, ବିସ୍ତୀର୍ଣ୍ଣ ଖଣି, ପ୍ରାକୃତିକ ସଂପଦରେ ଭରପୂର ଥିବା ଏହି ଦୁଇ ଜିଲ୍ଲାରେ ବିକାଶକୁ ନେଇ ଯେତିକି ଚର୍ଚ୍ଚା, ବାସ୍ତବତା ତା’ଠାରୁ ସମ୍ପୂର୍ଣ୍ଣ ଅଲଗା। ସାମାନ୍ୟ ବର୍ଷା ହେଲେ ପ୍ରଗତିର ଚିତ୍ର ଏଠାରେ ଆପଣାଛାଏଁ ପ୍ରତିଫଳିତ ହେଉଛି। ଶନିବାର ଦିନ ଦୁଇ ଜିଲ୍ଲାର ଦୁଇଟି ଚିତ୍ର, ବିକାଶର ଅସଲ ଚେହେରାକୁ ପଦାରେ ପକାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳରେ ଜଣେ ଅଙ୍ଗନବାଡ଼ି ଦିଦି ଭରା ନଈ ପାର ହୋଇ, ଜୀବନକୁ ବାଜି ଲଗାଇ ପିଲାଙ୍କୁ ପାଠ ପଢ଼ାଇବାକୁ ଯାଉଥିବା ବେଳେ ଅନ୍ୟଟି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଫିରୋଜାବାଦ ଗାଁର ଜଣେ ବୃଦ୍ଧଙ୍କୁ ପ୍ଲାଷ୍ଟିକ୍ ଚେୟାରରେ ଭାରା ବାନ୍ଧି ଦୁଇ କିମି ଆଣିବା ପରେ ଡାକ୍ତରଖାନାକୁ ପଠାଯାଇଛି।
କେନ୍ଦୁଝର ବାଂଶପାଳ ବ୍ଲକ୍ର ମଲଦା ନଦୀରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ସ୍ରୋତ ଏତେ ପ୍ରଖର ଯେ, ସାମାନ୍ୟ ଅସାବଧାନ ହେଲେ ନଦୀରେ ଭାସିଯିବାର ଆଶଙ୍କା ରହିଛି। ମାତ୍ର ନିଜ ଜୀବନକୁ ବାଜିରେ ଲଗାଇ ପ୍ରତିଦିନ କୋମଳମତି ଶିଶୁଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି କାଦକଳା ଗ୍ରାମର କରିସ୍ମା ନାଏକ। ଏବେ ଏହି ପଞ୍ଚାୟତର ହଳଡ଼ିହି ଗାଁ’କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନଦୀରେ ପୋଲ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତି ଜରୁରୀ ଥିଲେ ଲୋକେ ପହଁରି ପହଁରି ନଦୀ ପାର ହୋଇ ଗାଁ ବାହାରକୁ ଯାଉଛନ୍ତି। ହଳଡ଼ିହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ଭାବେ କରିସ୍ମା ନାଏକ ତିନିବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ କାଦକଳା ଗାଁରୁ ଦୁଇ କିଲୋମିଟର ଚାଲି ଏବଂ ମଲଦା ନଦୀ ପାର ହୋଇ ହଳଡ଼ିହି ଗାଁକୁ ଆସୁଥିବା କହିଛନ୍ତି।
ଅନ୍ୟପକ୍ଷରେ ଯାଜପୁର କୋରେଇ ବ୍ଲକ୍ ଫିରୋଜାବାଦ ଗ୍ରାମର ଗୟାଧର ବେହେରା (୬୮)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ ଡାକ୍ତରଖାନା ନେବା ଜରୁରୀ ଥିଲା। ମାତ୍ର ଗାଁକୁ ରାସ୍ତା
ନଥିବାରୁ ଗାଡ଼ି ବା ଆମ୍ବୁଲାନସ୍ ଯାଇପାରିନଥିଲା। ଗ୍ରାମବାସୀ ତାଙ୍କୁ ଏକ ପ୍ଲାଷ୍ଟିକ୍ ଚେୟାର ବସାଇ କାନ୍ଧରେ ଦୁଇ କିମି ନଦୀବନ୍ଧ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଯାଜପୁରଟାଉନ ଡାକ୍ତରଖାନାକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାସନଗର ସହରଠାରୁ ମାତ୍ର ୧୦ କିମି ଦୂର ତଣ୍ଡାର ପଞ୍ଚାୟତର ଏହି ଗାଁକୁ ବିକାଶ ଯେ ଅପହଞ୍ଚ ହୋଇରହିଛି, ତାହା ଏଥିରୁ ସ୍ପଷ୍ଟ।