ନନ୍ଦପୁର: ଦେଶୀ ଡଙ୍ଗାବୁଡ଼ି ଅନେକ ପରିବାର ଉଜୁଡ଼ି ଯାଇଛି। ତଥାପି ଏହି ବିପଦପୂର୍ଣ୍ଣ ଜଳଯାତ୍ରାରେ ଏଯାଏ ରୋକ ଲାଗିଲାନି। ଅନ୍ୟପକ୍ଷରେ ପ୍ରଶାସନର ବିନା ଅନୁମତିରେ ଘାଟଗୁଡ଼ିକରୁ ହାତ ତିଆରି ଡଙ୍ଗାରେ ଯାତ୍ରୀଙ୍କୁ ପରିବହନ କରାଯାଉଛି। କୌଣସି ପ୍ରକାର ଅଙ୍କୁଶ ନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଉନି। କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଏବଂ ଲମତାପୁଟ ବ୍ଲକର ୧୮ଟି ପଞ୍ଚାୟତକୁ ଜଲାପୁଟ ଓ କୋଲାବ ଜଳଭଣ୍ଡାର ଘେରି ରହିଛି। ନନ୍ଦପୁର ବ୍ଲକର ଚାଟୁଆ, ପାଡୁଆ, କୁଲାବିର, ପରଜାବଡ଼ପଡ଼ା, କୁଲାରସିଂ, ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, ବାଡେଲ, ବାଲଡା ଓ ଅତଣ୍ଡା ପଞ୍ଚାୟତକୁ ଲାଗି ରହିଛି ଜଲାପୁଟ ଜଳଭଣ୍ଡାର। ସେହିପରି ଲମତାପୁଟ ବ୍ଲକର ଲମତାପୁଟ, ଟିକରପଡ଼ା, କୁମାରଗନ୍ଧଣା, ବନମାଳିପୁଟ, ଉମ୍ବେଲ, ପେଟା, ଦାବଗୁଡା ପଞ୍ଚାୟତ ସମେତ ନନ୍ଦପୁର ବ୍ଲକର ଥୁବା, ମାଳିବେଲଗାଁ, ଖୁର୍ଜି ପଞ୍ଚାୟତକୁ ଲାଗି ରହିଛି କୋଲାବ ଜଳଭଣ୍ଡାର। ଉପରୋକ୍ତ ପଞ୍ଚାୟତର ଅନେକ ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିନି। ଯେଉଁ ଗାଁକୁ ପକ୍କା ରାସ୍ତା ରହିଛି ସେହି ରାସ୍ତାରେ ବ୍ଲକ କିମ୍ବା ଜିଲ୍ଲା ସଦର ମହକୁମା ଦୂରତା ଅଧିକ। ଏହାବ୍ୟତୀତ ଅନେକ ଗାଁକୁ ବସ୍ ସେବା ଆରମ୍ଭ ହୋଇନି। କମାଣ୍ଡାର ଭଳି ଛୋଟ ଗାଡି ହିଁ ଚଳାଚଳ କରୁଛି। ସେଥିରେ ଯାତ୍ରା କରିବା ଲୋକଙ୍କ ପାଇଁ ମହଙ୍ଗା ପଡ଼ୁଛି। ଅନ୍ୟପଟେ ଦେଶୀଡଙ୍ଗାରେ ଭଡ଼ା ୨୦ରୁ ୪୦ଟଙ୍କା ଦେବାକୁ ପଡ଼ୁଛି। କମ ଦୂରତା ସହ କମ ଭଡ଼ା ଯୋଗୁଁ ନୌକାଯାତ୍ରା କରୁଛନ୍ତି ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳବାସୀ।
ଅନ୍ୟପକ୍ଷରେ ସରକରୀ ବିଭିନ୍ନ ଘାଟକୁ ଯାତ୍ରୀ ପରିବହନ ନିମନ୍ତେ ବୋଟ୍ ଦେଇଛନ୍ତି। କିନ୍ତୁ ବୋଟ୍ ଅନେକ ଅଞ୍ଚଳକୁ ଯାଉନଥିବା ଜଣାପଡ଼ିଛି। ସେହିପରି ନିର୍ଦ୍ଦିଷ୍ଟ ସମୟରେ ହିଁ ବୋଟ୍ ଚଳାଚଳ କରୁଛି। ଏମିତି ସ୍ଥିତିରେ ଦେଶୀ ଡଙ୍ଗାରେ ଯାତ୍ରୀ ସଂଖ୍ୟା ବଢ଼ିବାରୁ ପ୍ରତିବର୍ଷ ନୂଆ ଦେଶୀଡଙ୍ଗା ବିଭିନ୍ନ ଘାଟରୁ ଚଳାଚଳ କରୁଛି। ଦେଶୀଡଙ୍ଗା ଚଳାଚଳ ଉପରେ ପ୍ରଶାସନ ଅନେକ କଟକଣା ଲାଗୁ କରିଥିବାରୁ ଦେଶୀଡଙ୍ଗା ଚାଳକ ପ୍ରଶାସନକୁ ଅବଗତ ନକରି ଲୁଚାଛପାରେ ଚଳାଉଛନ୍ତି। ସରକାରୀ ଭାବେ ଯେତିକି ଦେଶୀଡଙ୍ଗା ଚଳାଚଳ କରୁଛି ବୋଲି ତଥ୍ୟ ଦିଆଯାଉଛି ତାହାଠାରୁ ଢେର ଅଧିକ ଡଙ୍ଗା ଜଳଭଣ୍ଡାରରେ ଯାତ୍ରୀ ପରିବହନ କରାଯାଉଛି। ଉପରୋକ୍ତ ଦୁଇଟି ବ୍ଲକରେ ୮ଶହରୁ ଊର୍ଦ୍ଧ୍ବ ଦେଶୀ ଡଙ୍ଗା ଚଳାଚଳ କରୁଥିବା ଜଣାପଡ଼ିଛି। ଲୁଚାଛପାରେ ଚଳାଚଳ କରୁଥିବା ଦେଶୀଡଙ୍ଗାକୁ ଅନଭିଜ୍ଞ ଚାଳକ ଚଲାଉଛନ୍ତି। ସୁରକ୍ଷିତ ଜଳଯାତ୍ରା ନିମନ୍ତେ ୨୦୨୧-୨୨ ବର୍ଷରେ ପ୍ରଶାସନ ପକ୍ଷରୁ ନନ୍ଦପୁର ବ୍ଲକର ସାବୁନ, ଡାଙ୍ଗବିର ଓ ରାସେଲ ଗ୍ରାମବାସୀଙ୍କୁ ତିନିଟି ବୋଟ୍ ମିଳିଥିଲା। କିଛି ଦିନ ଚଳାଚଳ କରିବା ପରେ ବୋଟ୍ ଗୁଡ଼ିକ ଅଚଳ ହୋଇଯିବାରୁ ମରାମତି ପ୍ରତି ଗୁରୁତ୍ବ ଦିଆଗଲା ନାହିଁ। ଏ ନେଇ ନନ୍ଦପୁର ବ୍ଲକ ଜିପିଇଓ ବେଦାନ୍ତ ମାଝୀଙ୍କୁ ଯୋଗାଯୋଗ କରିବାରୁ ଗତବର୍ଷ ଅଚଳ ବୋଟ୍ ମରାମତି ନିମନ୍ତେ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଅନୁରୋଧ କରାଯାଇଥିବା କହିଛନ୍ତି। କିନ୍ତୁ ଏଯାଏ ମରାମତି କିମ୍ବା ନୂତନ ବୋଟ୍ ଯୋଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦେଖିବାକୁ ମିଳିଛି। ଡଙ୍ଗାବୁଡ଼ି ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ବେଆଇନ ଭାବେ ଚଳାଚଳ କରୁଥିବା ଦେଶୀଡଙ୍ଗାକୁ ଚିହ୍ନଟ କରି ଚାଳକଙ୍କୁ ପ୍ରଶିକ୍ଷଣ ଦେବା ସହ ଯାତ୍ରୀଙ୍କୁ ସଚେତନ କରିବାକୁ ଦାବି ହୋଇଛି। ଏହାବ୍ୟତୀତ ଜରୁରୀ ପରିସ୍ଥିତର ମୁକାବିଲା ନିମନ୍ତେ ଗ୍ରାମବାସୀଙ୍କୁ ତାଲିମ ଦେବାକୁ ପରାମର୍ଶ ଦିଆଯାଇଛି। ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ, ବିଡିଓ ଦୁର୍ଗା ପ୍ରସାଦ ଦୋରା, ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଓ ଅଗ୍ନିଶମ ବିଭାଗ ଏସ୍ଓ ବିଶ୍ୱଜିତ୍ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।