ଭୁବନେଶ୍ବର: ୨୦୨୫-୨୬ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ୍ ଆଲୋଚନାବେଳେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟ ସରକାରଙ୍କୁ ଋଣ ଗ୍ରସ୍ତ ବୋଲି ଉପସ୍ଥାପିତ କରିବା ସହ ଆଗାମୀ ଦିନରେ ବିଜେପି ସରକାର ଓଡ଼ିଶାକୁ ଋଣ ଭାରରେ ବୁଡ଼ାଇ ଦେବ, ଓଡ଼ିଶାକୁ ନିଲାମ କରିଦେବେ ବୋଲି ଅଭିଯୋଗ ଆଣିଥିଲେ। ଏପରିକି ବଜେଟ୍ର ଆକାର ବଢ଼ାଇ ଦେଉଥିଲେ ହେଁ ଏଥିରେ ବରାଦ ହେଉଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବୋଲି ସମାଲୋଚନା କରିଥିଲେ। ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେଇ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମେ ଧାର୍ଯ୍ୟ ସୀମା ଠାରୁ ବହୁତ କମ୍ ଋଣ କରିଛୁ। କମ୍ ସୁଧରେ ଯେପରି ଋଣ ଆଣିବୁ ଏବଂ ଏହାକୁ ପ୍ରତିବର୍ଷ ପରିଶୋଧ କରି ଓଡ଼ିଶାର ଋଣ ଭାର କମାଇବୁ ସେନେଇ ଯୋଜନା କରିଛୁ। ବିରୋଧୀ ଋଣର ପୋଷଣୀୟତା ବାବଦକୁ ଚିନ୍ତା ପ୍ରକଟ କରିବାର ଅବକାଶ ନାହିଁ। ଆମେ ଯେତିକି ବଜେଟ୍ କରିଛୁ, ଧାର୍ଯ୍ୟ ସମୟ ମଧ୍ୟରେ ତାକୁ ଖର୍ଚ୍ଚ କରିବୁ।
ମୁଖ୍ୟମନ୍ତ୍ରୀ ଆଜି ଗୃହରେ ବଜେଟ୍ ଆଲୋଚନାର ଉତ୍ତର ରଖି କହିଛନ୍ତି, ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ ଆଣୁଛନ୍ତି ଯେ ୪ବର୍ଷରେ ସେମାନେ ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ, ଆମେ ୯ମାସରେ ୯୧ହଜାର କୋଟି ଟଙ୍କା ଋଣ କରିଦେଲୁ। କିନ୍ତୁ ପରିସଂଖ୍ୟାନ ଦେଖିଲା ବେଳକୁ ମୁଁ ଜାଣିଲି ୨୦୨୩-୨୪ ବର୍ଷ ଶେଷରେ ରାଜ୍ୟର ଋଣ ଭାର ଥିଲା ୯୬,୩୧୦ କୋଟି ଟଙ୍କା। ଡିସେମ୍ବର,୨୦୨୪ରେ ଏହା ୯୬,୮୦୪ କୋଟି ଟଙ୍କା ହୋଇଛି। ଏହାର ଅର୍ଥ ୭ମାସରେ ଋଣ ଭାର ମାତ୍ର ୪୯୪ କୋଟି ଟଙ୍କା ବଢ଼ିଛି। ଆମେ ଏହି ଅବଧି ମଧ୍ୟରେ ୧୨,୮୯୮କୋଟି ଟଙ୍କା ଋଣ କରିଛୁ ଏବଂ ୧୨,୪୦୪ କୋଟି ଟଙ୍କାର ଋଣ ପରିଶୋଧ କରିଛୁ। ଅନ୍ୟମାନେ ଏହି ତଥ୍ୟ ବିଷୟରେ ଆଲୋକପାତ କରି ନ ପାରିଲେ, ମୋର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବାସ୍ତବ ତଥ୍ୟ ଜାଣି ଦଳର ପକ୍ଷ ରଖିବାକୁ ଏହି ଭ୍ରମାତ୍ମକ ତଥ୍ୟ ରଖିଛନ୍ତି।
ବଜେଟ୍ ଅର୍ଥ ଖର୍ଚ୍ଚରେ ଟାର୍ଗେଟ୍ ହାସଲ କରିବୁ
ଧାର୍ଯ୍ୟ ସୀମାଠାରୁ କମ୍ ଋଣ କରିଛୁ
୭ମାସରେ ଋଣ ଭାର ବଢ଼ିଛି ୪୯୪ କୋଟି
୫୦୦ ବିଲିୟନ୍ ଡଲାର ଅର୍ଥନୀତି ପାଇଁ ବାର୍ଷିକ ୯% ଅଭିବୃଦ୍ଧି ଦରକାର
ଆମେ ସିଏଜିଙ୍କ ଅନୁମତି ପରେ ଓମ୍ବାଡସି ଓ କାମ୍ପା ପାଣ୍ଠିରୁ ସ୍ୱଳ୍ପ ସୁଧରେ ଏକ ବର୍ଷ ଅବଧିର ଋଣ ଆଣୁଛୁ, ଯାହାକି ପ୍ରତି ବର୍ଷ ପରିଶୋଧ କରିବାକୁ ପଡ଼େ। ତେଣୁ ୨୦୨୫-୨୬ ବର୍ଷ ପାଇଁ ଋଣ ପରିଶୋଧ ବାବଦକୁ ୨୩,୨୦୦ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ। ୨୦୨୫-୨୬ ବର୍ଷ ପାଇଁ ମୋଟ୍ ଋଣ ୪୭,୪୦୦କୋଟି ଟଙ୍କାରୁ ଏହାକୁ ବାଦ୍ ଦେଲେ, ନିଟ୍ ଋଣ ହେଉଛି ମାତ୍ର ୨୪,୨୦୦କୋଟି ଟଙ୍କା। ଏହାକୁ ମିଶାଇଲେ ବର୍ଷ ଶେଷରେ ଋଣ ଭାର ୧,୩୪,୯୧୪ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଯାହା ଜିଡିଏସ୍ପିର ମାତ୍ର ୧୨.୬୮% ଅଟେ । ଏହା ଏଫ୍ଆର୍ବିଏମ୍ ଆକ୍ଟ ନିର୍ଦ୍ଧାରିତ ସୀମା ୨୫%ଠାରୁ ଯଥେଷ୍ଟ କମ୍। ଏହି ବଜେଟ ଏକ ଲୋକାଭିମୁଖୀ ଓ ବିକାଶଶୀଳ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବଜେଟ୍ ଅର୍ଥ ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରଥମ ୩ମାସ ଅର୍ଥ ଖର୍ଚ୍ଚ କରିବାରେ ପ୍ରତିବନ୍ଧକ ଥିଲା। ଜୁଲାଇ ମାସରେ ପୂର୍ଣାଙ୍ଗ ବଜେଟ ଆଣିବା ପରେ ଏହାକୁ ଖର୍ଚ୍ଚ କରିବାକୁ ୬ମାସ ପାଇଛୁ। ଏହାସତ୍ତ୍ବେ ଜାନୁଆରି ଶେଷ ସୁଦ୍ଧା ବଜେଟ୍ ଆକଳନର ୫୮% ଅର୍ଥ ଖର୍ଚ୍ଚ ହୋଇଛି। ଯାହା ଗତବର୍ଷର ଏହି ସମୟ ତୁଳନାରେ ମାତ୍ର ୧% କମ୍। ସେହିପରି ୨୦୩୬ ସୁଦ୍ଧା ୫୦୦ନିୟୁତ ଡଲାର ଅର୍ଥନୀତି ହାସଲ କରିବା ନେଇ ଆମେ ଯେଉଁ ଲକ୍ଷ୍ୟ ରଖିଛୁ ତାହା ଉପରେ ବିରୋଧୀ ଦଳ ସନ୍ଦେହ ପ୍ରକଟ କରିଛନ୍ତି। ଏବେ ରାଜ୍ୟ ୭.୨% ଅଭିବୃଦ୍ଧି ହାସଲ କରିଥିବାବେଳେ ଆଗକୁ ୧୩%ରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କଲେ ଏହା ସମ୍ଭବ ବୋଲି କହୁଛନ୍ତି। ସେମାନେ ଜାଣନ୍ତୁ ଯେ ଏଥିପାଇଁ ଆମକୁ ବଡ଼ ଅଭିବୃଦ୍ଧି ଆବଶ୍ୟକ ଦରକାର ନାହିଁ। ଯଦି ହାରାହାରି ମୁଦ୍ରାସ୍ଫୀତି ୪ରୁ ୪.୫% ମଧ୍ୟରେ ରହେ, ତେବେ ଆମକୁ ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରାୟ ୯% ହାରରେ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହା ଏକ ମହତ୍ତ୍ବକାଂକ୍ଷୀ ଟାର୍ଗେଟ୍। କିନ୍ତୁ ଡବଲ୍ ଇଞ୍ଜିନ ସରକାର ପାଇଁ ଏହା ସମ୍ଭବ। ଏହି ପରିକଳ୍ପନାକୁ ସାକାର କରିବା ପାଇଁ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଗୁରୁତ୍ୱ ଦେଇଛୁ। ଏହାଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ଉଚ୍ଚ ହାରରେ ଅଭିବୃଦ୍ଧି ହାସଲ କରିବା ସମ୍ଭବପର ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀ ଦଳ ନେତାଙ୍କ ‘ବସ୍ତାନୀ ଭାରୀ କିନ୍ତୁ ପାଠଘର ଶୂନ’ କଟାକ୍ଷ ଉପରେ ଉତ୍ତର ରଖି କହିଥିଲେ, କିଏ ବସ୍ତାନୀ ଭାରୀ କରିଥିଲା ସମସ୍ତେ ଜାଣିଛନ୍ତି। ପିଲାଙ୍କୁ ପାଠ ନପଢ଼ାଇ ୫-ଟି ସ୍କୁଲ ନାଁରେ ସ୍କୁଲ ରୂପାନ୍ତରଣ କଲ। ହେଲେ ପିଲା ୮ମ ଓ ୯ମରେ ପଢ଼ୁଥିବା ପିଲାଙ୍କୁ ୫ମ ଓ ୬ଷ୍ଠ ଶ୍ରେଣୀର ହରଣ, ଗୁଣନ, ଶ୍ରୁତଲିଖନ ଆସୁନି। କାହାର ପାଠଘର ଶୂନ ସମସ୍ତେ ଜାଣି ପାରୁଛନ୍ତି। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉପଲବ୍ଧ ସମ୍ୱଳର ସୁବିନିଯୋଗ ନିମନ୍ତେ ଏ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରାଯାଇଛି। ଏହାକୁ ସମସ୍ତେ ସମର୍ଥନ କରିବାକୁ ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/05/PxI9hxlND2F5MHDpwy2I.png)