ନେତାଙ୍କ ସଂପର୍କୀୟ ନେଇଗଲେ ଆବାସ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନିଲେନି
ପୁରୀ ଜିଲ୍ଲାରେ ସୀମା ଟପିଛି ଆବାସ ଦୁର୍ନୀତି
ପୁରୀ: ପୁରୀ ଜିଲ୍ଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସୀମା ଟପିଛି। ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଜିଲ୍ଲାର ନିମାପଡ଼ା ବ୍ଲକ ଧଳେଶ୍ବର ପଞ୍ଚାୟତରେ ୩୦ରୁ ଅଧିକ ଆବାସ ଦୁର୍ନୀତି ହୋଇଥିବାରୁ ଏ ନେଇ ତନାଘନା ଆରମ୍ଭ ହୋଇଛି। ଗୋଟିଏ ଘରୁ ସ୍ବାମୀ-ସ୍ତ୍ରୀକୁ, ଭାଇ-ଭାଇକୁ, ବାପ-ପୁଅକୁ ବି ଆବାସ ଯୋଜନାରେ ସାମିଲ କରାଯାଇଛି। ସ୍ବାମୀକୁ ଇନ୍ଦିରା ଆବାସ ମିଳିଥିବା ବେଳେ ସ୍ତ୍ରୀକୁ ମୋ କୁଡ଼ିଆ ଯୋଜନାରେ ସାମିଲ କରାଯାଇଛି। ଏଭଳି ଦୁର୍ନୀତି ଦିନେ କି ଦୁଇ ଦିନ ନୁହେଁ; ବର୍ଷ ବର୍ଷ ଧରି ତଦନ୍ତ ନ କରି ଚାପି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଫୁଃ କରି ଦିଆଯାଇଛି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ପାଇଁ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ହୋଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜିଲ୍ଲାରେ ନେତାଙ୍କ ସଂପର୍କୀୟମାନେ ଏକାଧିକ ଘର ହାତେଇଛନ୍ତି। ନିମାପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ସଂପର୍କୀୟମାନେ ମଧ୍ୟ ଆବାସ ଯୋଜନାରେ ଘର ହାତେଇଥିବା ଅଭିଯୋଗ ହୋଇଛି। ଏପରିକି ନେତା ଓ ସେମାନଙ୍କ ସଂପର୍କୀୟଙ୍କୁ ଏକାଧିକ ଘର ମିଳିଥିବା ନେଇ ଅଭିଯୋଗ ହୋଇଛି। ଗୋଟିଏ ପରିବାରରୁ ଦୁଇଜଣ ଘର ପାଇଛନ୍ତି। ପ୍ରମାଣପତ୍ର ଓ ନାମ ଜାଲିଆତି କରି ଘର ନିଆଯାଇଛି। ଦହିଜଂଗର ପ୍ରଶାନ୍ତ ଖଟୋଇ (ପିତା-ଭାସ୍କର ଖଟୋଇ) ଘର ନେଇଛନ୍ତି। ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ପ୍ରଦୀପ୍ତ ଖଟୋଇଙ୍କ ଭାଇ ପ୍ରଶାନ୍ତଙ୍କୁ ୨୦୦୬ରେ ମୋ କୁଡ଼ିଆ ଯୋଜନାରେ ଘର ମିଳିଛି। ସେହିଭଳି ଅନ୍ୟ ଜଣେ ପ୍ରଶାନ୍ତ ଖଟୋଇ ପିତା ମହଦେବ ଖଟୋଇ ଓ ପ୍ରମୋଦ ଖଟୋଇ ପିତା ସହଦେବ ଖଟୋଇଙ୍କୁ ମଧ୍ୟ ଘର ମିଳିଛି। ତେବେ ଏମାନେ କାହାର ସମ୍ପର୍କୀୟ ସେ ନେଇ ତଦନ୍ତ କରିବାକୁ ଦାବି ହୋଇଛି। ଏ ନେଇ ଗତ ୧୭ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହାର ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗ୍ରାମର ଇନ୍ଦିରା ଆବାସରୁ ବଂଚିତ କିଛି ଗ୍ରାମବାସୀ ଏ ନେଇ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଡିଆର୍ଡିଏ, ଜିଲ୍ଲାପାଳ ପୁରୀ, ବିଡିଓ ନିମାପଡ଼ା ଓ ଧଳେଶ୍ବର ପଞ୍ଚାୟତର ସରପଞ୍ଚକୁ ପକ୍ଷ ରଖାଯାଇଥିଲା। ଗତ ୨୦୧୮ରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆବେଦନକରୀମାନେ ପକ୍କାଘର ଥିବା ଲୋକଙ୍କୁ ପକ୍କାଘର ଦିଆଯାଇଥିବା ଅଭିଯୋଗ କରିବା ସହିତ ସୂଚନା ଅଧିକାର ଆଇନ ବଳରେ ପାଇଥିବା ଏକ ତଥ୍ୟ ସଂଲଗ୍ନ କରିଥିଲେ। ତଥ୍ୟ ମୁତାବକ, ଧଳେଶ୍ବର ଗ୍ରାମର ସରୋଜ ବରାଳ ପିତା ଆନନ୍ଦ ବରାଳଙ୍କୁ ୨୦୦୧-୦୨ରେ ‘ମୋ କୁଡ଼ିଆ’ ଯୋଜନାରେ ଘର ମିଳିଥିଲା। ପୁନର୍ବାର ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ୨୦୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ଅର୍ଥାତ ଜଣେ ଲୋକଙ୍କୁ ଦୁଇଟି ଘର ଦିଆଯାଇଛି। ଉକ୍ତ ଗ୍ରାମର କାହ୍ନୁ ଭୋଇ ପିତା-ବଳ ଭୋଇଙ୍କୁ ମୋ କୁଡ଼ିଆ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ମିଳିଛି। ସେହି ଗ୍ରାମର ସ୍ବାମୀ ପ୍ରଶାନ୍ତ ବରାଳଙ୍କୁ ମୋ କୁଡ଼ିଆ ଯୋଜନାରେ ଘର ମିଳିଥିବା ବେଳେ ସ୍ତ୍ରୀ କଳ୍ପନା ବରାଳଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ଧଳେଶ୍ବର ପଞ୍ଚାୟତ ଅରିଲୋ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କୁ ମୋ କୁଡ଼ିଆ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ଦିଆଯାଇଛି। ଦହିଜଂଗର ସୁଲୋଚନା ବେହେରା ପତି-ଶଙ୍କର ବେହେରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ଦୁଇଟି ଘର ମିଳିଛି। ସେହିଭଳି ଅକ୍ଷୟ କୁମାର ଭୋଇ ପିତା-ଉଦୟନାଥ ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ କୁଡ଼ିଆ ଯୋଜନାରେ ଦୁଇଟି ଘର ଦିଆଯାଇଛି। କାଳିନ୍ଦୀ ନାୟକ ପିତା-ପ୍ରଭାକର ନାୟକଙ୍କୁ ମୋ କୁଡ଼ିଆ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ଦିଆଯାଇଛି। ଭାନୁମତୀ ପରିଡ଼ା ସ୍ବାମୀ-ପବିତ୍ର ପରିଡ଼ାଙ୍କୁ ମୋ କୁଡ଼ିଆ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ମିଳିଛି। ସର୍ବେଶ୍ବର ବେହେରା ପ୍ରଧାନମନ୍ତ୍ରୀ ଓ ଇନ୍ଦିରା ଆବାସ ଯୋଜନାରେ ଦୁଇଟି ଘର ପାଇଥିବା ବେଳେ ଜୟନ୍ତ ସାହୁଙ୍କୁ ମୋ କୁଡ଼ିଆ ଯୋଜନାରେ ଗୋଟିଏ ଘର ମିଳିଛି।
ଜୟନ୍ତଙ୍କ ପତ୍ନୀଙ୍କୁ ମଧ୍ୟ ମୋ କୁଡ଼ିଆ ଯୋଜନାରେ ଆଉ ଗୋଟିଏ ଘର ମିଳିଛି। ଅର୍ଚ୍ଚନା ବରାଳଙ୍କୁ ମୋ କୁଡ଼ିଆ ଓ ସ୍ବାମୀ ପ୍ରହ୍ଲଲାଦ ବରାଳଙ୍କୁ ମୋ କୁଡ଼ିଆରେ ଅର୍ଥାତ ସମାନ ଯୋଜନାରେ ଦୁଇଟି ଘର ମିଳିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଧଳେଶ୍ବର ପଞ୍ଚାୟତରେ ଆବାସ ଯୋଜନାରେ ଏଭଳି ଦୁର୍ନୀତି ହୋଇଛି। ଧଳେଶ୍ବର ପଞ୍ଚାୟତର ଧଳେଶ୍ବଳ, ଦହିଜଂଗ, ଅରିଲୋ ଆଦି ଗ୍ରାମରେ ଆବାସ ଯୋଜନାରେ ହୋଇଥିବା ଜାଲିଆତି ଧରାପଡ଼ିଛି। ସ୍ବାମୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିବା ବେଳେ ସ୍ତ୍ରୀକୁ ମୋ କୁଡ଼ିଆ କିମ୍ବା ଇନ୍ଦିରା ଆବାସ ଯୋଜନାରେ ଘର ମିଳିଛି। ଆଉ କେଉଁଠି ଜଣେ ଲୋକଙ୍କୁ ଏକାଧିକ ଯୋଜନାରେ ଘର ମଧ୍ୟ ମିଳିଛି। ଅନେକ ସ୍ଥାନରେ ବାପ ଓ ପୁଅକୁ ମଧ୍ୟ ଘର ମିଳିଛି। ଏଭଳି ଜାଲିଆତି ଗତ ଦୁଇ ବର୍ଷ ତଳୁ ଧରାପଡ଼ିଥିଲେ ବି ଏହାର ତଦନ୍ତ କରାଯାଉନାହିଁ। ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ସହିତ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ସହିତ ଅର୍ଥ ଆଦାୟ କରିବାକୁ ମାନ୍ୟବର ହାଇକୋର୍ଟ ଡବ୍ଲୁପିସି(୧୧୭୯୨) ବଳରେ ଗତ ୨୦୧୮ରେ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଏଭଳି ଏକ ଜାଲିଆତିକୁ ଚାପି ଦେଇଛି। ପ୍ରଶାସନ କେବଳ କାମଚଳା ଢଙ୍ଗରେ ପଦକ୍ଷେପ ନେବାକୁ ଉଦ୍ୟମ କରିଛି। ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ୧୩/୨/୧୯ରେ ଚିଠି ନଂ ୧୫୪୧ରେ ଅତିରକ୍ତ ପିଡି ଡିଆରଡିଏ ଓ ନିମାପଡ଼ା ବିଡିଓଙ୍କୁ ଏହାର ତଦନ୍ତ କରିବାକୁ ଚିଠି ଲେଖିଥିଲେ। ମାତ୍ର ୮ ମାସ ପରେ ବି ଏହାର ତଦନ୍ତ କରାଯାଇନାହିଁ। ଏଥିରେ କିଛି ବଡ଼ମୁଣ୍ଡ ପଡୁଥିବାରୁ ଏଭଳି ଏକ ଭୟଙ୍କର ଜାଲିଆତିକୁ ଜାଣିଶୁଣି ଚାପି ରଖାଯାଇଛି।