ଆଜିଠାରୁ ରାଜ୍ୟରେ ଘର ଘର ବୁଲି କରୋନା ଲକ୍ଷଣ ଯାଞ୍ଚ

ଭୁବନେଶ୍ବର : ମଙ୍ଗଳବାରଠାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ କରୋନା ଲକ୍ଷଣ ଯାଞ୍ଚ ହେବ। ଆଶାକର୍ମୀ ଓ ଏଏନ୍‌ଏମ୍ ଘରକୁ ଘର ବୁଲି କାହାର କରୋନା ଲକ୍ଷଣ ରହିଛି କି ନାହିଁ, ତାହାର ଯାଞ୍ଚ କରିବେ। ଯାହାର କୌଣସି ଲକ୍ଷଣ ଦେଖାଯିବ, ସେମାନଙ୍କ ପରୀକ୍ଷା କରିବା ପାଇଁ ସେମାନେ ସୁପାରିସ୍‌ କରିବେ ବୋଲି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

Pragativadi

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଲେ, ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି। ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତିବିଶେଷଙ୍କର ସରକାର ନମୁନା ପରୀକ୍ଷା କରୁଛନ୍ତି। ତେଣୁ ପରୀକ୍ଷଣ ପାଇଁ କେହି ବ୍ୟସ୍ତ ବିବ୍ରତ କିମ୍ବା ଉଦ୍‌ବିଗ୍ନ ହେବାର କୌଣସି କାରଣ ନାହିଁ।

Anadolu Agency

ରାଜ୍ୟର ୫୦ ହଜାର କୋଭିଡ୍‌ ପରୀକ୍ଷଣ ପାଇଁ ୨ମାସ ସମୟ ଲାଗିଥିଲା। ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ନମୁନା ପରୀକ୍ଷା କରାଯାଉଛି। ରାଜ୍ୟର ୧୦ ଜିଲ୍ଲାର ୧୭ଟି ଲ୍ୟାବ୍‌ରେ କରୋନା ପରୀକ୍ଷା କରାଯାଉଛି। ଲକ୍ଷଣ ଥିବା ଓ ପଜିଟିଭ୍ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କର ନିଶ୍ଚିତ ଭାବେ ପରୀକ୍ଷା କରାଯିବ। ପୂର୍ବରୁ ଲକ୍ଷଣ ନ ଥିବା ଲୋକଙ୍କର ବି ନମୁନା ପରୀକ୍ଷା କରାଯାଉଥିଲା। ଲକ୍ଷଣ ନ ଥିବା ୨ଶହ ଲୋକଙ୍କ ନମୁନା ପରୀକ୍ଷଣରୁ ଜଣେ ପିଜିଟିଭ୍‌ ଚିହ୍ନଟ ହେଉଥିଲେ। ଏବେ ଲକ୍ଷଣ ଥିବା ଲୋକଙ୍କ ୨୦ଟି ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଲକ୍ଷଣ ଥିବା ଲୋକଙ୍କ ନମୁନା ପରୀକ୍ଷା ଯୋଗୁଁ ଅଧିକରୁ ଅଧିକ କେସ୍ ମିଳୁଛି।

ସେହିପରି ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ ରହିଛି। ଭାରତରେ ୦. ୭, ଦିଲ୍ଲୀରେ ମୃତ୍ୟୁହାର ୬.୬ ଓ ଓଡ଼ିଶାରେ ମାତ୍ର ୦.୦୩ ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ ଆରୋଗ୍ୟ ହାର ୫୧ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୬୭ ପ୍ରତିଶତ ରହିଛି। କୋଭିଡ୍‌-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ୪ରୁ ୬ସପ୍ତାହ କାଳ ମଧ୍ୟରେ ରାଜ୍ୟବାସୀ ଯଦି ସତର୍କ ଓ ସଚେତନ ରହିବା ସହ ସଂଯମତା ବଜାୟ ରଖିବେ, ତେବେ ନିଶ୍ଚିତ ରୂପେ ଓଡ଼ିଶା ଜିତିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସମ୍ବନ୍ଧିତ ଖବର