ଜୟପୁର: ଦୀର୍ଘ ଦିନର ଦାବି ପରେ ନିଜର ଅଧିକାର ପାଇଲେ ଦୋରା ଓ ଦୁରୁଆ ସଂପ୍ରଦାୟର ଲୋକେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥଇବା ଏହି ଲୋକେ  ଆଦିବାସୀ ମାନ୍ୟତା  ପାଇବା ପାଇଁ ବ୍ଲକସ୍ତରରୁ ଜିଲ୍ଲାସ୍ତର, ରାଜ୍ୟସ୍ତରରେ ଆନ୍ଦୋଳନ କରି ଆସିବା ସହ ନିର୍ବାଚନକୁ ବି ବର୍ଜନ କରିଥିଲେ। ଗତ ୨୦୧୯ମସିହା ପର ଠାରୁ ବହୁ ବାର  ଏ‌ ନେଇ ବିଧାନସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସଂସଦରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ରାୟଗଡା ଜିଲ୍ଲାର ଝଡ଼ିଆ, କୋରାପୁଟ ଜିଲ୍ଲାର ଦୋରା ଓ ଦୁରୁଆ ସମ୍ରଦୟକୁ ଆଦିବାସୀ ମାନ୍ୟତା  ଦେବା ପାଇଁ ସଂସଦରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ  ଗତ କିଛି  ଦିନ ତଳେ କେନ୍ଦ୍ରରୁ ଅନୁସୂଚିତ ଜାତି କମିସନ ଅଧ୍ୟକ୍ଷଙ୍କ ସହ ନିଜେ କେନ୍ଦ୍ର ମନ୍ତ୍ରୀ  ମଧ୍ୟ ସଂପୃକ୍ତ ଅଂଚଳ ଗୁଡିକୁ ଗସ୍ତରେ ଯାଇ ଉକ୍ତ ସଂପ୍ରଦାୟର ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ।

Advertisment

ଲୋକସଭାରେ ଦୋରା ଓ ଦୂରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ନେଇ ବିଲ ପାସ ହେବା ପରେ ସାଂସଦ ଶ୍ରୀ ଉଲ୍ଲାକା ଖୁସି ଜାହିର କରିଛନ୍ତି। ସେଭଳି ଝୋଡିଆକୁ ବି ଆଦିବାସୀ ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନା କରିଛନ୍ତି। ସେ ଏକ ପ୍ରେସ ବିଞପ୍ତିରେ  ରାଜ୍ୟସରକାର ବିଳମ୍ବରେ ହେଲେ ସୁଦ୍ଦା ଅନୁମୋଦନ କରି ପଠାଇବା ପରେ କେନ୍ଦ୍ର ସରକାର ସାଂସଦରେ ଆଦିବାସୀ ମାନ୍ୟତା ଏହି ଦୁଇ ସଂପ୍ରଦାୟକୁ‌ ଦେବା ନିଶ୍ଚିତ ରୁପେ ସ୍ବାଗତ ଯୋଗ୍ୟ ବୋଲି କହିଛନ୍ତି। ଜୟପୁର ବିଧାୟକ ମଧ୍ୟ ଏହାକୁ ସ୍ବାଗତ କରିବା ସହ ଝୋଡିଆକୁ ବି ଆଦିବାସୀ ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି। ପରଜା ସଂପ୍ରଦାୟର ଅନ୍ୟ ନାମ ଝୋଡ଼ିଆ ହୋଇଥିବାରୁ ଏହି ସଂପ୍ରଦାୟକୁ ବି ଆଦିବାସୀ ମାନ୍ୟତା ଦେବାକୁ ଦାବି କରିଛନ୍ତି ଜୟପୁର ବିଧାୟକ।