ବୋଲଗଡ଼: ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଦଶହରା ପ୍ରସିଦ୍ଧ ପର୍ବ। ତେବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ମାଣିକଗୋଡ଼ା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାର୍ବଣର ବିଶେଷତ୍ବ ସ୍ବତନ୍ତ୍ର। ଏହା କେବଳ ଏକ ଭକ୍ତି ଓ ଆନନ୍ଦର ପରିବେଶ ସୃଷ୍ଟି କରି ନଥାଏ, ବରଂ ସାମ୍ପ୍ରଦାୟିକ ସଦ୍ଭାବର ନିଦର୍ଶନ ସାଜିଥାଏ। ବର୍ଷ ବର୍ଷ ଧରି ଏହି ଗ୍ରାମରେ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରି ଚାଲିଆସୁଛି। ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ରାତିରୁ ଆରମ୍ଭ ହୋଇଛି ଏହି ପ୍ରସିଦ୍ଧ ପର୍ବ। ରାଜାରାଜୁଡ଼ା ଅମଳରୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରୁ ଏଠାରେ ଏହି ପର୍ବ ପାଳନ କରାଯାଉଥିବା କୁହାଯାଉଛି। ଏହି ଗ୍ରାମରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକେ ମିଳିମିଶି ପାଳନ କରିଥାନ୍ତି ଏହି ପର୍ବ। ଦଶହରା ରାତ୍ରୀରେ ଅପରାଜିତା ହୋମ ପର୍ବର ମୁଖ୍ୟ ଆକର୍ଷଣ। ଏଠାରେ ଅପରାଜିତା ହୋମରେ କର୍ତ୍ତା ହୁଅନ୍ତି l
ଚଳିତ ବର୍ଷ ସପ୍ତମୀ ରାତିରେ ମଶାଲ ଆଲୋକ, ପାରମ୍ପରିକ ଢୋଲ ଓ ଘଣ୍ଟ ବାଦ୍ୟ ମଧ୍ୟରେ ତତ୍କାଳୀନ ଗଜପତିଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଦିବ୍ୟସିଂହପୁ୍ର ଶାସନ ଗ୍ରାମରେ ଅବସ୍ଥାପିତ ମା’ ଶ୍ରୀକନକଦୁର୍ଗାଙ୍କୁ ପୂଜକ ଦେବେନ୍ଦ୍ର ହୋତା ଖଟୁଲିରେ ଧରି ମାଣିକଗୋଡ଼ା ଗ୍ରାମର ଭାଗବତୀଙ୍କ ପୀଠକୁ ଆସିଥିଲେ। ପରେ ଗଜପତିଙ୍କ ପ୍ରଦତ୍ତ ଖଡ଼୍ଗ ଯାହାକି ମାଣିକଗୋଡ଼ା ଗ୍ରାମର ମୁସଲମାନ ଦଳବେହେରା ଶେଖ ଅଜିଜୁର ରହେମାନଙ୍କ ଘରେ ରହିଛି, ସେହି ଖଡ଼୍ଗକୁ ଭାଗବତୀଙ୍କ ପୀଠକୁ ଆଣିବା ପାଇଁ ମଶାଲ ଆଲୋକରେ ଢୋଲବାଦ୍ୟ ବଜାଇ ପ୍ରଦୀପ୍ତ କୁମାର ମାନସିଂହ ଦଳବେହେରାଙ୍କ ଦୁଆର ସମ୍ମୁଖରେ ପହଞ୍ଚିଥିଲେ।
ମଶାଲ ଓ ଢୋଲ ବାଦ୍ୟରେ ମୁସଲମାନ ଦଳବେହେରା ଗଜପତିଙ୍କ ପ୍ରଦତ୍ତ ଖଡ଼୍ଗକୁ ଘରୁ ଆଣି ମାନସିଂହଙ୍କୁ ଦେଇଥିଲେ। ମାନସିଂହ ଖଡ଼୍ଗ ଧରି ରୋଶଣି ପଟୁଆରରେ ଆସିଥିଲେ ଭାଗବତୀଙ୍କ ପୀଠକୁ। ସେହିପରି ମଶାଲ ଓ ଢୋଲବାଦ୍ୟରେ ଗାଁକରଣ ଅବନି କୁମାର ପଟ୍ଟନାୟକ ଲେଖନୀ ଓ ତାଳପତ୍ର ନେଇ ଆସିଥିଲେ। ପୁଣି ଆଉ ଏକ ରୋଶଣି ପଟୁଆରରେ ଡୁମାଳଗଉଡ (ଶବର) ପୂଜିତ ଉକ୍ତ ଗ୍ରାମସ୍ଥିତ ଶ୍ରୀମହିସାସୁର ମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରୀ (ଲମ୍ବା କଟୁରି) ଧରି ପୂଜକ ଦୁର୍ଯ୍ୟୋଧନ ଦିହୁଡି ଆସିଥିଲେ। ଏହି ୪ଟି ପୃଥକ୍ ପୃଥକ୍ ରୋଶଣି ପଟୁଆର ଗ୍ରାମର ଦେବୀପୀଠ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ଏକତ୍ରିତ ହୋଇଥିଲେ। ଏହି ମନ୍ଦିର ସମ୍ମୁଖ ମଣ୍ଡପ ଉପରେ ନବନିର୍ମିତ ସ୍ୱତନ୍ତ୍ର ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ଼୍ଗ, କରଣଙ୍କ ଲେଖନୀ ଓ ତାଳପତ୍ର ଏବଂ ଶ୍ରୀମହିଷାସୁର ମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରିକୁ ନବନିର୍ମିତ ପିଢା ଉପରେ ଅବସ୍ଥାନ କରାଯିବା ବେଳେ ଶ୍ରୀକନକଦୁର୍ଗା ଖଟୁଲିରେ ଅବସ୍ଥାନ କରିଛନ୍ତି।
ସପ୍ତମୀ ରାତ୍ରୀରୁ ଏଠାରେ ପୂଜା ଆରମ୍ଭ ହୋଇଥିଲା। ପୂଜା ସମୟରେ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିର ଖୋଲାରହେ। ଶନିବାରରୁ ଆରମ୍ଭ ହୋଇଛି ନିରାମଷ ଅନ୍ନ ଶଙ୍ଖୁଡି ଭୋଗ। ତେବେ ପାର୍ବଣର ଆରମ୍ଭରେ ଏଠାରେ ପରାମ୍ପରା ଅନୁସାରେ ପ୍ରତିବର୍ଷ ଧୋବା ବର, ବେଲ ଅଥବା ବରୁଣ କାଠ ଆଣି ନୂତନ ପିଢା ଓ ରୂଖା ପ୍ରସ୍ତୁତି ପାଇଁ ବଢ଼େଇକୁ ଦିଏ। ବଢ଼େଇ ସେହି କାଠରୁ ତିଆରି କରନ୍ତି ପିଢ଼ା।
ଏହି ପିଢ଼ାରେ ଉପବେସନ କରିଛନ୍ତି ବିଜେପ୍ରତିମା। ମଣିକା ଗୋଡ଼ା ଗ୍ରାମରେ ଶତାଧିକ ବର୍ଷ ଧରି ଏକତା ଓ ଭାଇଚାରର ବାର୍ତ୍ତା ବହନ କରି ପାଳନ ହୋଇଆସୁ ଥିବା ଏହି ଦଶହରା ପର୍ବ ମାଣିକାଗୋଡ଼ା ଗ୍ରାମବାସୀଙ୍କ ସମେତ ସର୍ବୋପରି ଅଞ୍ଚଳ ରାଜ୍ୟ ତଥା ଦେଶ ପାଇଁ ଜାତି ଧର୍ମ ନିର୍ବିଶେଷରେରେ ଏକତାର ବାର୍ତ୍ତା ଦେଇ ଆସୁଥିବା ମାଣିକଗୋଡ଼ା ଦଶହରା ପରିଚାଳନା କମିଟିର ଆବାହକ ତଥା ଟ୍ରଷ୍ଟି ଅମୀୟ କୁମାର ପଟ୍ଟନାୟକ କହନ୍ତି।