ପୁରୀ: ଶ୍ରୀମନ୍ଦିର ଦୋଳବେଦି କୋଣ ରାସ୍ତା ବନ୍ଦ ଏକ ବିରାଟ ସମସ୍ୟା ସୃଷ୍ଟିକଲାଣି। ସବୁଦିନିଆ ଏହି ରାସ୍ତାରେ ପୁଲିସ ପ୍ରଶାସନ ଯା’ଆସ ବନ୍ଦ କରିଦେବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବସବାସ କରୁଥିବା ଲୋକେ କଲବଲ ହେଉଛନ୍ତି। ଦୈନିକ ଏଠାରେ ଠିଆ ହେବାକୁ ପଡ଼ୁଛି। ସକାଳୁ ବି ଏହି ରାସ୍ତା ବନ୍ଦ କରି ଦିଆଯାଉଥିବାରୁ ଜରୁରୀ କାମରେ ଯାଉଥିବା ଶ୍ରୀମନ୍ଦିର ଆଖପାଖ ଲୋକେ କଲବଲ ହେଉଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହୁଥିବା ଲୋକଙ୍କ ଦୋଳବେଦି କୋଣ ରାସ୍ତା ପ୍ରମୁଖ ରାସ୍ତା ଥିଲା। ବିଶେଷ କରି ଉତ୍ତରଦ୍ବାର, ପଶ୍ଚିମଦ୍ବାର ପାଖରେ ଓ ଲୋକନାଥ ରୋଡ୍‌ ଆଦି ଅଞ୍ଚଳରେ ବସବାସ କରୁଥିବା ସାହି ଲୋକେ ଏହି ରାସ୍ତା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। ପୂର୍ବରୁ ଭକ୍ତଙ୍କ ଦର୍ଶନ ପାଇଁ ଛାୟାପ୍ରଦ ସେଡ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରହିଥିଲା। ଏଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସାହି ଲୋକେ ସୁବିଧାରେ ଦୋଳବେଦି କୋଣ ରାସ୍ତା ଦେଇ ବଡ଼ଦାଣ୍ଡକୁ ବାହାରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ନିଜ ନିଜ କାମରେ ଯାଉଥିଲେ। କିନ୍ତୁ ନୂଆ ଦର୍ଶନ ବ୍ୟବସ୍ଥାରେ ଏହି ବାଟକୁ ବନ୍ଦ କରି ଦିଆଯାଇଛି।

Advertisment

ଭକ୍ତମାନେ ଦୋଳବେଦି କୋଣ ରାସ୍ତା ଦେଇ ଦର୍ଶନ ପାଇଁ ଯାଉଛନ୍ତି। ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ପଶି ଦୋଳବେଦି କୋଣ ରାସ୍ତା ହୋଇ ଯିବାକୁ ପଡ଼ୁଛି। ଏଣୁ ଦୋଳବେଦି କୋଣର ଏହି ରାସ୍ତାରେ ଗହଳି ରହୁଛି। ଭକ୍ତଙ୍କ ଯାଆସ ଯୋଗୁଁ ପୁଲିସ ବି ଅଧିକାଂଶ ସମୟ ଏହି ରାସ୍ତାରେ ଆଖପାଖ ସାହି ଲୋକଙ୍କ ଯାଆସ ବନ୍ଦ କରିଦେଉଛି। ଭକ୍ତଙ୍କ ଗହଳି ଭାଙ୍ଗିବା ପରେ ଆଖପାଖ ଲୋକଙ୍କୁ ଛଡ଼ାଯାଉଛି। ଫଳରେ ଅଯଥା ଏହି ରାସ୍ତାରେ ଭିଡ଼ ହେଉଛି। ଏଣୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଆଖପାଖ ସାହି ଲୋକେ ଦାବି କରିଛନ୍ତି। ଆଜି ସକାଳେ ବି ଏହି ରାସ୍ତାକୁ ପୁଲିସ ସଂପୂର୍ଣ୍ଣ ସିଲ୍‌ କରି ଦେଇଥିଲା। ଫଳରେ ଲୋକେ ଯାଆସରେ ଅସୁବିଧା ଭୋଗିଥିଲେ। ଅପରପକ୍ଷେ ଦୋଳବେଦି କୋଣ ଦେଇ ଆସୁଥିବା ଲୋକଙ୍କୁ ଶ୍ରୀଦାଣ୍ଡ ଦେଇ ଛଡ଼ାଯାଉନି କି ଶ୍ରୀକୃଷ୍ଣ ଗଳି ଦେଇ ଛଡ଼ାଯାଉନି। ଏଣୁ ଯଦି ରାସ୍ତା ବନ୍ଦ ରହୁଛି, ଲୋକଙ୍କୁ ଚୁଡ଼ଙ୍ଗ ସାହି ଦେଇ ଗଳି ରାସ୍ତାରେ ଭିଡ଼ ଭିତରେ ବହୁବାଟ ବୁଲିବା ପରେ ବଡ଼ଦାଣ୍ଡରେ ବାହାରୁଛନ୍ତି। ଶ୍ରୀମନ୍ଦିର ସୁନା ଗୋସାଇଁଇଁ ସେବକ ଦେବେନ୍ଦ୍ର ନାରାୟଣ ବ୍ରହ୍ମଚାରୀ କହିଛନ୍ତି, ଦୋଳବେଦିକୁ ଲାଗି ଆମ ଘର। ପ୍ରତିଦିନ ଛୋଟବଡ଼ କାମରେ ଏକାଧିକ ଥର ଏହି ବାଟ ଦେଇ ଯିବାକୁ ପଡ଼େ। କିନ୍ତୁ ପୁଲିସ ରାସ୍ତା ବନ୍ଦ କରି ଦେଉଥିବାରୁ ଅଯଥା ହଇରାଣ ହେବାକୁ ପଡ଼ୁଛି। ପିଲାମାନେ ଟ୍ୟୁସନ୍‌ ଯିବା ବେଳେ ହଇରାଣ ହେଉଛନ୍ତି। ଜରୁରିକାଳୀନ ପରିସ୍ଥିତିରେ ଅଧିକ କବବଲ ହେବାକୁ ପଡ଼ୁଛି। ପୁଲିସଙ୍କୁ ନେହୁରା ହେବାକୁ ପଡ଼ୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଛନ୍ତି।