ଆସିକାରେ ଡବଲ୍ ଏନ୍‌କାଉଣ୍ଟର୍: ଦୁଇ ଭାଇ ସୁନିଲ, କୃଷ୍ଣ ଜଖମ

ବିଜେଡି ନେତା ବାହାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଡବଲ୍ ଏନ୍‌କାଉଣ୍ଟରେ ପଡ଼ିଛନ୍ତି ଦୁର୍ଦ୍ଦାନ୍ତ ଦୁଇ ଭାଇ ସୁନିଲ୍ ଜେନା ଓ କୃଷ୍ଣ ଜେନା। ଆଜି ସକାଳ ୯ଟା ୫୦ରେ ଭେଟନଈ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ କିଛିଦୂର ପଲ୍ଲୀମାଳ-ଜଗତି ପଡ଼ିଆ ୱାଚ୍ ଟାୱାର ରାସ୍ତାରେ ଆସିକା ପୁଲିସ ଉଭୟଙ୍କୁ ଏନ୍‌କାଉଣ୍ଟର କରିଛି। ଦୁହିଁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ସେମାନେ ହୁମୁକି ଗ୍ରାମରୁ ବାଲିପଦର ଆଡକୁ ବାଇକ୍‌ରେ ଯାଉଥିବା ସୂଚନା ମିଳିବା ପରେ ଥାନା ଅଧିକାରୀ ଶ୍ରୀ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ସେମାନଙ୍କ ପିଛା କରିଥିଲେ। ପୁଲିସ ଟିମର ବୋଲେରୋ ଓ ବାଇକକୁ ଦେଖି ଦୁଇ ଭାଇ ଭେଟନଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପଲ୍ଳୀମାଳ-ଜଗତିପଡ଼ିଆ ୱାଚ ଟାୱାର ରାସ୍ତାରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ଟିମ୍ ସହ ମୁହାଁମୁହିଁ ହେବାରୁ ସେମାନେ ବୋମା ଫୋପାଡ଼ିବା ସହ, ଗୁଳି କରିଥିଲେ। ଗୁଳିଟି ପୁଲିସ ଟିମ୍‌ର ବାଇକ ହେଡ୍‌ଲାଇଟରେ ବାଜିଥିଲା। ଏହାପରେ ପୁଲିସ୍‌ ପକ୍ଷରୁ ପାଲଟା ଗୁଳିଚାଳନାରେ ଉଭୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ କାବୁ କରି ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତିର୍ କରିଥିଲେ।  ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେହିପରି ଅପରାଧୀଙ୍କ ସହ ଧସ୍ତାଧସ୍ତି ବେଳେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଓ କନଷ୍ଟେବଳ ରବିନ୍ଦ୍ର ସେଠୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଗତ ଡିସେମ୍ବର ୩୧ ତାରିଖରେ ପୂର୍ବ ବିବାଦକୁ କେନ୍ଦ୍ରକରି ସୁନିଲ ଓ କୃଷ୍ଣ ଯୋଜନାବଦ୍ଧ ଭାବେ ବିଜେଡି ନେତା ବାହାନଙ୍କୁ ଗୁଳି କରି ହତ୍ୟା କରିବା ପରେ ଫେରାର୍ ହୋଇ ଯାଇଥିଲେ। ଦୁଇ ଭାଇ ପୁଲିସ ଜାଲରେ ପଡ଼ିବା ପରେ ବାହାନ ହତ୍ୟା ମାମଲାର ଗୁମର ପେଡ଼ି ଖୋଲିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର