ଶିକାରୀ ସାଜିଥିଲେ, ଶିକାର ହୋଇଗଲେ

ବ୍ରହ୍ମପୁରରେ ଡବଲ ଏନ୍‌କାଉଣ୍ଟର

ଭଂଜନଗର : ଗଞ୍ଜାମ ଜିଲ୍ଲାର ଜଣେ ଅପରାଧୀଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ ୩ଜଣ ଅନ୍ତଃରାଜ୍ୟ ସୁପାରି କିଲର୍‌। ଝାଡ଼ଖଣ୍ଡରୁ ଆସିଥିବା ଏହି କିଲର୍‌ମାନଙ୍କ ସମ୍ପର୍କରେ ଆଗୁଆ ସୂଚନା ପାଇ ଯାଇଥିଲା ଗଞ୍ଜାମ ପୁଲିସ। ଅପରାଧୀ ତାଙ୍କର ମିସନ୍‌ ସଫଳ କରିବା ପୂର୍ବରୁ ପୁଲିସ ସେମାନଙ୍କୁ ମାଡ଼ି ବସି ଏକ ବଡ଼ ଧରଣର ହତ୍ୟାକାଣ୍ଡକୁ ରୋକିବାରେ ସକ୍ଷମ ହୋଇଛି। ଭଞ୍ଜନଗର ପୁଲିସ ସେହି ସୁପାରି କିଲର୍‌ଙ୍କୁ ଧରିବାକୁ ଯାଇ ଏନ୍‌କାଉଣ୍ଟର୍‌ କରିଛି। ଗଞ୍ଜାମ ପୁଲିସର ୩୩ନମ୍ବର ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛନ୍ତି ଝାଡ଼ଖଣ୍ଡ ସିମିଡ଼ୋଗା ଅଞ୍ଚଳର ମୋଷ୍ଟ ଓ୍ଵାଣ୍ଟେଡ୍‌ ନାଗେଶୁ ଓରଫ୍‌ ବବଲୁ ପାଶଓ୍ଵାନ୍‌ ଓ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଅଞ୍ଚଳର ଜିତେନ୍ଦ୍ର ନାୟକ। ଏମାନଙ୍କର ଅନ୍ୟ ଜଣେ ସହଯୋଗୀ ଫେରାର୍‌ ହୋଇ ଯାଇଥିବା ଭଞ୍ଜନଗର ଏସ୍‌ଡିପିଓ ଉତ୍କଳକେଶରୀ ଦାଶ ସୂଚନା ଦେଇଛନ୍ତି। ଫେରାର୍‌ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ପୁଲିସ ଏମାନଙ୍କ ନିକଟରୁ ୨ଟି ୯ଏମ୍‌ ଏମ୍‌ ପିସ୍ତଲ, ଗୋଟିଏ ବୋମା, ଗୋଟିଏ ଆଇ-ଟେ୍ଵଣ୍ଟି କାର୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି। ଏହା ଗଞ୍ଜାମ ପୁଲିସର ଏକ ବଡ଼ ସଫଳତା ବୋଲି ସାଧାରଣରେ ଆଲୋଚନା ହେଉଛି। ଉଭୟ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁସାରେ ଝାଡ଼ଖଣ୍ଡ ସିମିଡ଼ୋଗାର ବବଲୁ ତାର ଦୁଇଜଣ ସହଯୋଗୀଙ୍କ ସହିତ କିଛିଦିନ ତଳେ ଭଂଜନଗର ଆସିଥିଲେ। ଏମାନେ ଗଞ୍ଜାମ ଜିଲ୍ଲାର ଜଣେ ଅପରାଧୀଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ। ଏ ନେଇ ଝାଡ଼ଖଣ୍ଡ ପୁଲିସର ଗୁଇନ୍ଦା ବିଭାଗ ସୂଚନା ପାଇ ତୁରନ୍ତ ଓଡ଼ିଶା ପୁଲିସକୁ ଜଣାଇଥିଲା। ଏହା ପରେ ଗଞ୍ଜାମ ଏସ୍‌ପି ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିଲା ସର୍ଚ ଅପରେସନ୍‌। ଭଂଜନଗର ଏସଡିପିଓ ଦାଶଙ୍କ ତତ୍ୱାବଧାନରେ ଭଂଜନଗର ଆଇଆଇସି ଅଶ୍ୱିନୀ କୁମାର ସାହୁ, ଆସିକା ଆଇଆଇସି ସନ୍ତୋଷ କୁମାର ଜେନା, ତାରସିଂ ଆଇଆଇସି ଅନିରୁଦ୍ଧ ମୁଦୁଲି, ଗାଙ୍ଗପୁର ଆଇଆଇସି ଚିତ୍ତରଂଜନ ବେହେରାଙ୍କୁ ନେଇ ୪ଟି ଟିମ୍‌ ଗଠନ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ପୁଲିସ ଟିମ୍‌ ଭଂଜନଗର ସହରର ସମସ୍ତ ଲଜ୍‌ରେ ଚଢ଼ାଉ କରି ଯାଞ୍ଚ କରିଥିଲା। ହେଲେ ପୁଲିସକୁ କୌଣସି ପ୍ରକାର ସଫଳତା ମିଳି ନଥିଲା। ଆଜି ସକାଳୁ ଏହି ୩ଜଣ ଅଭିଯୁକ୍ତ ଏକ କାର୍‌ରେ ଯାଉଥିବା ବେଳେ ଭଂଜନଗର ଆଇଆଇସି ସାହୁ ଓ ଆସିକା ଆଇଆଇସି ଜେନା ଗାଡ଼ି ଅଟକାଇ ଥିଲେ। ହେଲେ ସେମାନେ କାର ନରଖି ଦ୍ରୁତ ଗତିରେ ଫୁଲବାଣୀ ରାସ୍ତା ପଟେ ଚମ୍ପଟ ମାରିଥିଲେ।

ପୁଲିସ ଟିମ୍‌ ସେମାନଙ୍କ ପିଛା କରିଥିଲା। ସେପଟେ ଆଉ ଏକ ପୁଲିସ ଟିମ୍‌ ନିିଦିଆପଲ୍ଲୀ ନିକଟରେ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହୋଇଥିଲା। ଏଥିରେ ବବଲୁ ପୁଲିସକୁ ଦେଖି ଗୋଟିଏ ବୋମା ଫିଙ୍ଗିବା ପରେ ଗୁଳି ଫୁଟାଇଥିଲା। ପୁଲିସ ଏହାର ଜବାବ୍‌ରେ ଫାୟାରିଂ କରିଥିଲା। ଏଥିରେ ବବଲୁ ଆହତ ହୋଇ ଥିବା ବେଳେ ତାର ଉଭୟ ଗୋଡ଼ରେ ଗୁଳି ବାଜିଥିଲା। ସେ ତଳେ ପଡ଼ିଯିବା ପରେ ତାର ଦୁଇଜଣ ସହଯୋଗୀ ଘଟଣା ସ୍ଥଳରୁ କାର୍‌ ଛାଡ଼ି ଚମ୍ପଟ ମାରିଥିଲେ। ଉଭୟେ ଗାଲେରୀ ଜଙ୍ଗଲ ଆଡ଼କୁ ଧାଇଁ ପଳାଇଥିବା ବେଳେ ତାରସିଂ ଥାନା ଆଇଆଇସି ମୁଦୁଲିଙ୍କ ନେତୃତ୍ୱରେ ଜଙ୍ଗଲରେ ସର୍ଚ ଅପରେସନ୍‌ କରାଯାଇଥିଲା। ଅପରାହ୍ନ ପ୍ରାୟ ୩ଟା ବେଳେ ଅଭିଯୁକ୍ତ ଜିତେନ୍ଦ୍ର ସହ ପୁଲିସ ଜଙ୍ଗଲରେ ମୁହାଁମୁହିଁ ହୋଇଥିଲା। ଜିତେନ୍ଦ୍ର ପୁଲିସକୁ ଦେଖି ଗୁଳି ଫୁଟାଇଥିଲା। ଏଥିରେ ପୁଲିସ ପାଲଟା ଗୁଳି ଚାଳନା କରିବାରୁ ଜିତେନ୍ଦ୍ରର ଉଭୟ ଗୋଡ଼ରେ ଗୁଳି ବାଜିଥିଲା। ପୁଲିସ ତାକୁ ଗାଲେରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲା। ଏମାନଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର୍‌ ରହିଛି। ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ତେବେ କେଉଁମାନେ ଏହି ଅପରାଧୀଙ୍କୁ ଭଞ୍ଜନଗର ଆଣିଥିଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏହି ଅଭିଯୁକ୍ତମାନେ ଆସିକାର ଜଣେ ଅପରାଧୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଭଞ୍ଜନଗରରେ ରହି ଏମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଆସିକା ଯାଇଥାନ୍ତେ। ସେଠାରେ ସମ୍ପୃକ୍ତ ଅପରାଧୀଙ୍କୁ କୋର୍ଟକୁ ଆଣିବା ସମୟରେ ହତ୍ୟା କରିବା ପାଇଁ ଯୋଜନା ରହିଥିଲା ବୋଲି ଜଣାପଡ଼ିଛି। ତେଣୁ କରି ପୁଲିସ ଆଜି ଆସିକା କୋର୍ଟ ଓ ଜେଲ୍‌ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। କିନ୍ତୁ ପୁଲିସ ଏ ଦିଗରେ ଅଦ୍ୟାବଧି କିଛି ସ୍ପଷ୍ଟ କରି ନାହିଁ। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଭଂଜନଗର ଏସ୍‌ଡିପିଓ ଦାଶ କହିଛନ୍ତି।

ପୁଲିସ ଏନ୍‌କାଉଣ୍ଟର୍‌ରେ ପଡ଼ିଥିବା ଉଭୟ ଅପରାଧୀଙ୍କ ନାଁରେ ଝାଡ଼ଖଣ୍ଡ, ରାଞ୍ଚି, ରାଉରକେଲା ଅଂଚଳରେ ହତ୍ୟା, ଡକାୟତି, ରାହାଜାନୀ ଭଳି ମାମଲା ରହିଛି। ଗଂଜାମ ଜିଲ୍ଲାରେ ଅପରାଧ ଘଟାଇବା ପାଇଁ ଯେଉଁମାନେ ଏମାନଙ୍କୁ ସୁପାରି ଦେଇଥିଲେ ସେମାନଙ୍କ ନାମ ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର