ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଞ୍ଚଳରେ ହୋଇଛି ଡବଲ୍ ଏନ୍କାଉଣ୍ଟର୍। ନାବାଳିକା ଦୁଷ୍କର୍ମ ଘଟଣାର ୨ ଅଭିଯୁକ୍ତ ପୁଲିସ୍ ନିକଟରୁ ବନ୍ଧୁକ ଛଡ଼ାଇ ଫେରାର୍ ହୋଇଯାଉଥିବା ସମୟରେ ଏହି ଏନ୍କାଉଣ୍ଟର୍ ହୋଇଛି। ପୁଲିସ ଗୁଳିରେ ଅଭିଯୁକ୍ତ ବେଲପାହାଡ଼ର ଶେଖ୍ ଆଶିଷ (୨୨) ଓ ଅଭିଷେକ ବାରିକ(୩୦) ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଦ୍ବୟ ପୁଲିସ୍ର ବନ୍ଧୁକ ଛଡ଼ାଇ ଗୁଳି ଚଳାଇବାରୁ ଆତ୍ମରକ୍ଷା ପାଇଁ ପୁଲିସ୍ ପାଲଟା ଜବାବ ଦେଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସମ୍ବଲପୁରରେ ଓ ଏସ୍ପି ସ୍ମିତ୍ ପି ପରମାର୍ ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କୌଣସି ଦୁଷ୍କର୍ମ ମାମଲାରେ ପୁଲିସ୍ର ଏନ୍କାଉଣ୍ଟର୍ ନେଇ ଜିଲ୍ଲାରେ ଏହା ପ୍ରଥମ ଘଟଣା।
୨ ଦୁଷ୍କର୍ମ ଅଭିଯୁକ୍ତ ଆହତ
ପୁଲିସ୍ ଠାରୁ ବନ୍ଧୁକ ଛଡ଼ାଇ ୬ ରାଉଣ୍ଡ ଗୁଳି ଫୁଟାଇଲେ
ପୁଲିସ ସୂଚନା ଅନୁସାରେ, ଗୁରୁବାର ରାତିରେ ବେଲପାହାଡ଼ ଥାନା ଅଞ୍ଚଳର ଜଣେ ନାବାଳିକା(୧୫)ଙ୍କୁ ଅଭିଯୁକ୍ତମାନେ ଘରୁ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ନାବାଳିକା ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏନେଇ ବେଲପାହାଡ଼ ପୁଲିସ୍ ଦୁଷ୍କର୍ମ ମାମଲା ରୁଜୁ
କରି ଗତକାଲି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଡାକ୍ତରୀ ମାଇନା କରାଇଥିଲା। କିନ୍ତୁ ରାତି ହୋଇଯିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ନଥିଲା। ଆଜି ସକାଳେ ୭ଟାରେ ବେଲପାହାଡ଼ ପୁଲିସ ସେମାନଙ୍କୁ ନେଇ କୋର୍ଟକୁ ଆସୁଥିଲେ।
ବେଲପାହାଡ଼ ଥାନା ଆମଦରହ୍ ଜଙ୍ଗଲ ନିକଟରେ ଶେଖ୍ ଆଶିଷ ବାନ୍ତି କରିବାର ନାଟକ କରିଥିଲା। ପୁଲିସ ଗାଡ଼ି ଅଟକିବା ପରେ ଉଭୟ ଅଭିଯୁକ୍ତ ପୁଲିସକୁ ଧକ୍କା ଦେବା ସହ କାର୍ଯ୍ୟରତ ଏସ୍ଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ପିସ୍ତଲ ଛଡ଼ାଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଛଡ଼ାଇଥିବା ବନ୍ଧୁକରୁ ପୁଲିସ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଯେଉଁଥିରେ ଗୋଟିଏ ଗୁଳି ଜଣେ ପୁଲିସ୍ ଅଧିକାରୀଙ୍କ ଦେହରେ ଘଷି ହୋଇ ଚାଲି ଯାଇଥିବା ଜଣାପଡ଼ିଛି। ଏହାପରେ ବେଲପାହାଡ଼ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହି ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ମାଡ଼ କରିଥିଲେ। କିନ୍ତୁ ସେମାନେ ଶୁଣି ନଥିଲେ। ପରେ ଶ୍ରୀ ମେହେର ପୁଣି ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରୁ ୨ଟି ଗୁଳି ଉଭୟ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିଲା। ଆହତ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ଝାରସୁଗୁଡ଼ା ଏସ୍ପି ଶ୍ରୀ ପରମାର୍, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/mFagmbMU6gb9wHq3gQR0.jpg)