ମାର୍ଶାଘାଇ : ଗଗନ ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଏନ୍‌କାଉଣ୍ଟର

ମାର୍ଶାଘାଇ : ମାର୍ଶାଘାଇ ଥାନା ମଣିକୁଣ୍ଡାର ଯୁବ ବ୍ୟବସାୟୀ ଗଗନ ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଗତକାଲି ରାତି ପ୍ରାୟ ସାଢେ ୨ଟାରେ ପୁଲିସ ଏନକାଉଣ୍ଟର କରିଛି l ଉଭୟ ଅଭିଯୁକ୍ତ ଏବେ କଟକରେ ଚିକିତ୍ସାଧୀନ ଅଛନ୍ତି।

ପୁଲିସ ସୂଚନା ମୁତାବକ, ଗଗନ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭେଲୁ ଓରଫ ଅନନ୍ତ ଜେନା ଓ ତାର ସହଯୋଗୀ ମିଟୁନା ଓରଫ ପ୍ରଭାତ ନାୟକ ଏକ କଳା ରଙ୍ଗର ପଲ୍‌ସର ବାଇକ୍‌ରେ ଆସୁଥିବା ଖବରପାଇ ପୁଲିସ ସେମାନଙ୍କ ପିଛା କରିଥିଲା। କେନ୍ଦ୍ରାପଡା-ମାର୍ଶାଘାଇ ରାସ୍ତାର କଳାନଳା ସେତୁ ନିକଟରେ ଏହି ଦୁଇ ଅପରାଧୀଙ୍କ ସହ କେନ୍ଦ୍ରାପଡ଼ା ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ମାର୍ଶାଘାଇ ପୁଲିସର ମୁହାଁମୁହିଁ ହୋଇଥିଲା। ସେମାନେ ପୁଲିସକୁ ସାମ୍ନାରେ ଦେଖି ହଡ଼ବଡେ଼ଇ ଯିବା ସହ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯିବାକୁ ବସିଥିବା ଏହି ଦୁଇ ଅଭିଯୁକ୍ତଙ୍କ ଉପରକୁ ପୁଲିସ ପାଲ୍‌ଟା ଗୁଳିମାଡ଼ କରିଥିଲା। ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା ଭେଲୁ ଓ ମିଟୁନା ଉପରକୁ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଦୁହେଁ ବାଇକରୁ ଖସି ପଡିଥିଲେ। ଭେଲୁର ଦୁଇ ଗୋଡ଼ରେ ଦୁଇଟି ଗୁଳି ଲାଗିଥିବା ବେଳେ ମିଟୁନାର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା। ସେମାନେ ତଳେ ଖସି ପଡିଥିଲେ। ସେମାନଙ୍କୁ କାବୁ କରି ପୁଲିସ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ଏହି ଦୁଇ ଅଭିଯୁକ୍ତ ବ୍ୟବହାର କରୁଥିବା ନମ୍ବର ବିହୀନ କଳା ରଙ୍ଗର ପଲସର ବାଇକ୍‌ ଓ ଏକ ବନ୍ଧୁକ ପଡ଼ି ରହିଥିଲା। ପୁଲିସ ଏଗୁଡ଼ିକୁ ଜବତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି। କେନ୍ଦ୍ରାପଡା ଜିଲ୍ଲା ଏସ୍‌ପି ନିତି ଶେଖରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ମାର୍ଶାଘାଇ ଥାନା ପୁଲିସ ସହାୟତାରେ ସ୍ୱତନ୍ତ୍ର ସ୍କ୍ବାଡ୍‌ ସବ ଇନ୍ସପେକେଟର ପ୍ରଦୀପ୍ତ କୁମାର କାନୁନଗୋ ଅଭିଯୁକ୍ତଙ୍କୁ ଧରିବାକୁ ୩ ଦିନ ହେଲା ଜାଲ ବିଛାଇଥିଲେ।

ଗତ ମାସ ୧୮ତାରିଖ ସକାଳ ସାଢେ଼ ୯ଟାରେ ମଣିକୁଣ୍ତା ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ସାହୁ(୨୭) କେନ୍ଦ୍ରାପଡା ଯିବା ବାଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୫ରାଉଣ୍ତ ଗୁଳିକରି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଗଗନଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର