କେନ୍ଦ୍ରାପଡା: କିଛି ଦିନର ନିରବତା ପରେ ପୁଣି କେନ୍ଦ୍ରାପଡାରେ ଫୁଟିଲା ଗୁଳି । କେନ୍ଦ୍ରାପଡା ପୁଲିସ ଆଜି ମଧ୍ୟ ରାତିରେ କରିଛି ଡବଲ ଏନକାଉଣ୍ଟର। ମାର୍ଶାଘାଇ ମାଣିକୁଣ୍ଡାଇ ଗଗନ ସାହୁ ହତ୍ୟା କାଣ୍ଡର ସାମିଲ ଥିବା ଦୁଇ ଅଭିଯୁକ୍ତ ମିଟୁନ ଓ ଭେଲୁକୁ କେନ୍ଦ୍ରାପଡ଼ା ସ୍ପେସାଲ୍ ସ୍କ୍ୱାର୍ଡ ପୁଲିସ ପିଏନ୍ କଲେଜ ରୋଡରେ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । କିଛି ଦିନର ନିରବତା ପରେ ପୁଣି ଅପରାଧିଙ୍କ ନିଦ ହଜାଇ ଦେଇଛି କେନ୍ଦ୍ରାପଡା ପୁଲିସ୍ । ଏବେ ସାରା ରାଜ୍ୟରେ ପୂଜାର ଆସର ଚାଲିଥିବା ବେଳେ ପୁଲିସ୍ କରିଥିବା ଏନକାଉଣ୍ଟର ଅପରାଧିଙ୍କ ମନରେ ଛନକା ପଶାଇ ଦେଇଛି ।
ସୂଚନା ଅନୁସାରେ ବହୁଦିନ ହେବ ପୁଲିସ ଏହି ଦୁଇ ଅପରାଧିଙ୍କୁ ଖୋଜୁଥିଲା। ଆଜି ଏହି ଦୁଇ ଜଣ ଅପରାଧି ପିଏନ୍ କଲେଜ ରୋଡରେ ଥିବା ଜାଣି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲା। କିନ୍ତୁ ଉଭୟ ଅପରାଧି ପୁଲିସକୁ ଦେଖି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟରରେ ଆହତ ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ସୂଚନା ମିଳିଛି ।