ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର। ଅର୍ଥାତ୍‌ ଏବେ ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଆରମ୍ଭ ହୋଇଯାଇଛି। ତା’ ସାଙ୍ଗକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ ଓଡ଼ିଶାର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ଚମତ୍କାର ସଂଯୋଗ ସମୟରେ ବାଣୀବିହାରକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଆଶା ପୁଣିଥରେ ଉଜ୍ଜିବିତ ହୋଇଛି। ଏକ ଦଶନ୍ଧି ହେଲା ଏହି ଶିକ୍ଷାନୁଷ୍ଠାନକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଯେଉଁ ଦାବି ହୋଇ ଆସୁଛି, ତାହା ଚୂଡ଼ାନ୍ତ ରୂପ ନେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

Advertisment

ଏହାର ପ୍ରମୁଖ କାରଣ ହେଉଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୨୦ ନଭେମ୍ବର ୨୭ରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ତତ୍‌କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଓଡ଼ିଶାର ଶିକ୍ଷାବିତ୍‌ମାନଙ୍କ ଦୀର୍ଘଦିନର ଦାବି ଏବଂ ଗବେଷଣାକୁ ପ୍ରୋତ୍ସାହନ ସହ ଶିଳ୍ପଯୋଗୀ ମାନବ ସମ୍ବଳ ସୃଷ୍ଟି କରିବାକୁ ଏହାର ବହୁତ ଆବଶ୍ୟକତା ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ଏବେ ଦ୍ବିତୀୟ ଥର ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ କରିଥିବାରୁ ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଶିକ୍ଷାବିତ୍‌ଙ୍କଠାରୁ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି। ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ, କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ସମସ୍ତ ଅଂଶୀଦାରମା‌ନେ ୨୦୨୧ ଜୁଲାଇ ମାସରେ କେନ୍ଦ୍ରମନ୍ତ୍ରୀ ତଥା ପୁରାତନ ଛାତ୍ର ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରୀୟ ମାନ୍ୟତା ନେଇ ଯେଉଁ ଆଶା ରହିଛି ତାହା ବାସ୍ତବ ରୂପ ଦେବାକୁ ଚିଠି ଲେଖି ନିବେଦନ କରିଥିଲେ।
କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ନୁହେଁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଠାରୁ ଓଡ଼ିଶା ଏବେ ବହୁତ କିଛି ଆଶା ରଖିଛି। ଓଡ଼ିଶାରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା ନେଇ ୨୦୨୦ ନଭେମ୍ବରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେତେବେଳର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବିହାରରେ ୪ଟି, ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି।

ମାତ୍ର ଓଡ଼ିଶାରେ କେବଳ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ରହିଛି। ଏହାଦ୍ୱାରା କେବଳ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀ ଲାଭ ପାଉଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱର ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷାକ୍ଷେତ୍ରର ପେଣ୍ଠସ୍ଥଳୀ ହେବାକୁ ଯାଉଥିବାରୁ ଏଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ସେହି ସମୟ ଉପନୀତ ହୋଇଥିବା ନେଇ ବାଣୀବିହାରର ଛାତ୍ରଛାତ୍ରୀ ମତପ୍ରକାଶ କରିଛନ୍ତି।

ଶିକ୍ଷାବିତ୍‌ଙ୍କ ମତରେ, ଉଭୟ କେନ୍ଦ୍ର ଓ ‌ରାଜ୍ୟ ସରକାରଙ୍କ ଉଦ୍ୟମରେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିପାରିବ। ଯଦି କେନ୍ଦ୍ର ସରକାର ଏନେଇ ରାଜ୍ୟକୁ ପ୍ରସ୍ତାବ ଦିଅନ୍ତି ଏବଂ ରାଜ୍ୟ ସରକାର ତାହାକୁ ଗ୍ରହଣ କରନ୍ତି, ତାହାହେଲେ ମାନ୍ୟତା ମିଳିପାରିବ। ନ ହେଲେ ରାଜ୍ୟ ସରକାର ପ୍ରସ୍ତାବ ପଠାଇବା ପରେ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିବା ପରେ ମଧ୍ୟ ତାହା ସଫଳ ହୋଇପାରିବ। ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନରେ କୌଣସି ପ୍ରକାର ସମସ୍ୟା ହେବନାହିଁ। ଶୀଘ୍ର ପଦକ୍ଷେପ ନିଆଗଲେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସେହିପରି ଓଡ଼ିଶା ବିଶ୍ବବିଦ୍ୟା‌ଳୟ ସଂଶୋଧନ ଆଇନକୁ ନେଇ ଚାଲିଥିବା ବିବାଦର ସମାଧାନ ହେବା ନେଇ ମଧ୍ୟ ଏବେ ଆଶା ସଞ୍ଚାର ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାର ଥିବାରୁ ଏହି ଆଇନକୁ ନେଇ ସୁପ୍ରିମକୋର୍ଟରେ ଗଡ଼ୁଥିବା ମାମଲାର ସମାଧାନ ହୋଇପାରିବ। ଫଳରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ବନ୍ଦ ରହିଥିବା ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି।