ଭୁବନେଶ୍ବର: ପ୍ରଚାର ପାଇଁ ଡବଲ୍‌ ଇଞ୍ଜିନ୍‌ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମା’ ମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି। ୨୭ ଟଙ୍କାରେ ମା’ମାନେ ନିଜ ପରିବାର ପାଇଁ ଗୋଟିଏ ଲିଟର କ୍ଷୀର କିଣିପାରିବେ କି ବୋଲି ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 

Advertisment

ନବୀନ କହିଥିଲେ ଯେ ମା’ମାନେ ପରିବାରର ଶକ୍ତି। ସମାଜର ଶକ୍ତି। ବିଜୁ ବାବୁ ୧୯୯୦ ମସିହାରେ ମା’ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ। ପଞ୍ଚାୟତରେ ୩୩% ସଂରକ୍ଷଣ ରଖିଥିଲେ। ସରକାରୀ ଚାକିରିରେ ମା’ ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ। ତାହା ସଫଳ ହେବା ସହ ମା’ ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି। କିନ୍ତୁ ପଞ୍ଚାୟତିରାଜ ଅନୁଷ୍ଠାନକୁ ମଜଭୁତ କରିଥିବା ଓ ମା’ ମାନଙ୍କ ଅଧିକାର ପାଇଁ   ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଡବଲ୍‌ ଇଞ୍ଜିନ୍‌ ସରକାର ଅପମାନିତ କରିଛନ୍ତି। ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଗଲା ନାହିଁ। 

ମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ପାଇଁ କାମ କରୁଛି ବିଜେଡି
ପଞ୍ଚାୟତିରାଜ ଦିବସର ତାରିଖ ବଦଳାଇ ଡବଲ୍‌ ଇଞ୍ଜିନ୍‌ ସରକାର ବିଜୁବାବୁଙ୍କୁ ଅସମ୍ମାନ କରିଛି

ସେ ଆହୁରି ମଧ୍ୟ କହିଥିଲେ ଯେ ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ମା’ ମାନଙ୍କୁ ସଶକ୍ତ କରିଛି। ଡବଲ୍‌ ଇଞ୍ଜିନ୍‌ ସରକାର ମିସନ୍‌ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସ୍ୱାଭିମାନୀ ମା’ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ‘ସୁଭଦ୍ରା’ ଯୋଜନାରୁ ମା’ମାନେ କିଛି ଉପକାର ପାଇବେ ନାହିଁ। ମା’ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡିର ମହିଳା କର୍ମୀଙ୍କୁ ଆହ୍ୱାନ ଜଣାଇଥିଲେ। ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମା ଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ, ପାର୍ବତୀ ଗିରି, ଶୈଳବାଳା ଦାସ, କବି କୁନ୍ତଳା କୁମାରୀ ସାବତ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହି ଅବସରରେ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର, କୁଞ୍ଜଳତା ସାମଲ, ଓଜସ୍ୱିନୀ ମାହାର, ଜୟନ୍ତୀ ପ୍ରଧାନ, ଜ୍ୟୋତିର୍ମୟୀ ମହାନ୍ତି ଓ ରୋଜା ଘୋଷ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ସୁଲତା ଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ।