ଡବଲ ଇଞ୍ଜିନକୁ ନେଇ ଜୋର ଧରିଛି ଚର୍ଚ୍ଚା : ଯେଉଁ ଗୁଜରାଟର ବିକାଶ ମଡେଲକୁ ଦେଖାଇ ମୋଦି କେନ୍ଦ୍ରରେ କ୍ଷମତାକୁ ଆସିଥିଲେ ତାହା ପଛରେ କଣ ଡବଲ ଇଞ୍ଜିନ ଥିଓରୀ କାର୍ଯ୍ୟ କରିଥିଲା କି?

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାହା ହେଉଛି ବିଜେପିର ଶୀର୍ଷ ନେତାଙ୍କ ଡବଲ ଇଞ୍ଜିନ ଥିଓରୀ । ଡବଲ ଇଞ୍ଜିନ ହିଁ ବିକାଶର ମାପଦଣ୍ଡ। ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନରେ ଏଭଳି ଏକ ଧାରଣା ସୃ୍ଷ୍ଟି କରିବାକୁ ବିଜେପିର ମୋଦି, ଶାହା, ଧର୍ମେନ୍ଦ୍ରଙ୍କ ଭଳି ଶୀର୍ଷ ସ୍ତରୀୟ ନେତା ଜୋରଦାର ପ୍ରୟାସ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଡବଲ ଇଞ୍ଜିନ ବାସ୍ତବରେ କାହା ପାଇଁ? ବିକାଶ ପାଇଁ ନା ସାଂପ୍ରତିକ ରାଜନୀତିରେ ନିଜର ସ୍ଥିତି ବଞ୍ଚାଇବା ପାଇଁ ।

ବିକାଶ ପାଇଁ କଣ ସତରେ ଡବଲ ଇଞ୍ଜିନର ଆବଶ୍ୟକତା ରହିଛି । କେବଳ କଣ ଡବଲ ଇଞ୍ଜିନରେ ହିଁ ବିକାଶ ସମ୍ଭବ । ବିଜେପିର ଶୀର୍ଷ ନେତାଙ୍କ ଡବଲ ଇଞ୍ଜିନ ଥିଓରୀ ବୟାନ ପରେ ଭୋଟରଙ୍କ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ବିଜେପି ନେତା ଖାସକରି ମୋଦି ଓ ଶାହାଙ୍କ ଡବଲ ଇଞ୍ଜିନ ଥିଓରୀ ଅନୁଯାୟୀ, ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ରହିଲେ ହିଁ ପ୍ରକୃତ ବିକାଶ ହୋଇପାରିବ । ଅଥାର୍ତ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ସରକାର ରହିଲେ ବିକାଶ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି ମୋଦି-ଶାହା ଯୋଡି । କ୍ଷମତାକୁ ଆସିବାକୁ ଏଭଳି ଷ୍ଟ୍ରାଟେଜି ଆପଣାଇବା ନେତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ତେବେ ରାଜ୍ୟରୁ ନବୀନ ସରକାରକୁ ହଟାଇବାକୁ ମୋଦି ଯେଉଁ ଡବଲ ଇଞ୍ଜିନ ଥିଓରୀ କଥା କହୁଛନ୍ତି ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି । ଏଭଳି କହି ମୋଦି ନିଜ ଅତୀତକୁ ଭୁଲି ଯାଉନାହାନ୍ତି କି?

ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରୁ ଦିଲ୍ଲୀ । ଯେଉଁ ଗୁଜରାଟ ମଡେଲକୁ ଦେଖାଇ ମୋଦି କେନ୍ଦ୍ରରେ କ୍ଷମତାକୁ ଆସିଥିଲେ ତାହା ପଛରେ କଣ ଡବଲ ଇଞ୍ଜିନ ଥିଓରୀ କାର୍ଯ୍ୟ କରିଥିଲା କି? ଏହାର ଉତ୍ତର ମଧ୍ୟ ବେଶ ସ୍ପଷ୍ଟ । ମୋଦି ଯେତେବେଳେ ଗୁଜୁରାଟର ବିକାଶ ମଡେଲ ଦେଶବାସୀଙ୍କ ସାମ୍ନାରେ ରଖି କେନ୍ଦ୍ରରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିଲା ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ରହିଥିଲା । ଏପରିକି ମୋଦି ୧୨ ବର୍ଷ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ୧୦ ବର୍ଷ କେନ୍ଦ୍ରରେ ଥିଲା ୟୁପିଏ ସରକାର । ୨୦୦୪ରୁ ୨୦୧୪ । ଏହି ସମୟରେ କେନ୍ଦ୍ରରେ ୟୁପିଏ ସରକାର କ୍ଷମତାକୁ ଆସିଥିବା ବେଳେ ଗୁଜୁରାଟର କ୍ଷମତାର ଡୋରି ଥିଲା ମୋଦିଙ୍କ ହାତରେ ।

ଏହି ସମୟରେ ଗୁଜୁରାଟରେ ଯେଉଁ ବିକାଶ ହୋଇଥିଲା ତାହାକୁ ୨୦୧୪ରେ ସାମ୍ନାକୁ ଆଣି କେନ୍ଦ୍ରରେ କ୍ଷମତାକୁ ଆସିଥିଲେ ମୋଦି । ଏପରିକି ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ଥିଓରୀର ଆବଶ୍ୟକତା ନାହିଁ ବୋଲି ପ୍ରମାଣିତ କରିଥିଲେ ମୋଦି । ପୂରା ଦେଶକୁ ଗୁଜରାଟର ବିକାଶ ମଡେଲ ଯେତେବେଳେ ମୋଦି ଦେଖାଇଥିଲେ ସେତେବେଳେ କେନ୍ଦ୍ରରେ କ୍ଷମତାରେ ଥିଲା ୟୁପିଏ ସରକାର । ଅଥାର୍ତ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ସରକାର ଥିବା ସତ୍ତ୍ୱେ ମଧ୍ୟ ଗୁଜୁରାଟର ବିକାଶର ଧାରାରେ ବ୍ରେକ ଲାଗିନଥିଲା ।

୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲେ ମୋଦି । ଏହା ଭିତରେ ୫ ବର୍ଷ ବିତିଯାଇଛି । ଆଉ ଯେତେବେଳେ ନିର୍ବାଚନ ପାଖେଇ ଆସିଛି ସେତେବେଳେ ଡବଲ ଇଞ୍ଜିନ ଥିଓରୀ ଷ୍ଟ୍ରାଟେଜି ସାମ୍ନାକୁ ଆଣିଛନ୍ତି ମୋଦି । ଅଥାର୍ତ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ସରକାର ରହିଲେ ହିଁ ରାଜ୍ୟର ବିକାଶ ଆଗକୁ ବଢିପାରିବ ବୋଲି କହି ଆସୁଛନ୍ତି ବିଜେପି ନେତା । କିନ୍ତୁ ପ୍ରଶ୍ନ ଏହି ଡବଲ ଇଞ୍ଜିନ ଥିଓରୀ ରାଜ୍ୟର ବିକାଶ ପାଇଁ ନା ନିଜର ରାଜନୈତିକ ଫାଇଦା ପାଇଁ । କାରଣ ଗୁଜୁରାଟରେ ମୋଦିଙ୍କ ଶାସନ କାଳରେ ଯେତେବେଳେ ସିଙ୍ଗଲ ଇଞ୍ଜିନ ସରକାର ବିକାଶରେ ବାଧକ ସାଜିନଥିଲା ସେତେବେଳେ ଅନ୍ୟ ରାଜ୍ୟରେ ଥିବା ସିଙ୍ଗଲ ଇଞ୍ଜିନ ସରକାର ସମୟରେ ବିକାଶରେ ବାଧକ କେମିତି ହେଉଛି ସେନେଇ ବିଜେପି ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର