୨ ଜଣଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ମାମଲା : ଅଭିଯୁକ୍ତଙ୍କ ତଲାସରେ ପୁଲିସ୍‌ର ୨ ସ୍ବତନ୍ତ୍ର ଟିମ୍‌, ଟ୍ରକ୍‌ର ବି ପତ୍ତା ମିଳୁନି

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଛକ ଠାରେ ଟ୍ରକ ଚଢ଼ାଇ ୨ ଜଣକୁ ହତ୍ୟା କରାଯିବା ଘଟଣାକୁ ୪୮ ଘଣ୍ଟା ବିତିଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି। ଧକ୍କା ଦେଇ ହତ୍ୟା କରିବା ଲାଗି ବ୍ୟବହୃତ ଟ୍ରକ୍‌ର ପତ୍ତା ବି ପୁଲିସକୁ ମିଳିପାରି ନାହିଁ। ଏପଟେ ପରିବାର ‌ଲୋକେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ସନ୍ଧାନ ପାଇପାରି ନାହିଁ। ଏଥିପାଇଁ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ଏ ସମ୍ପର୍କରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ମିଶ୍ର କହିଛନ୍ତି ଯେ, ଏହି ମାମଲା ତଦନ୍ତ ଚାଲିଛି, ଏବଂ ଅଭିଯୁକ୍ତଙ୍କ ତଲାସ ପାଇଁ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତାଙ୍କ ନିଜ ତତ୍ବାବଧାନରେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ବୁଗୁଡା ଥାନା ଅଧିକାରୀ ସୁଧାଂଶୁ ମାନ୍ଧାତାଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ‌ଅଭିଯୁକ୍ତଙ୍କୁ ‌ଖୋଜିବାରେ ଜୋର୍‌ସୋର୍‌ ଉଦ୍ୟମ ଚଳାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମରେ ଗଣ୍ଡ‌ଗୋଳ ହୋଇଥିଲା। ସେହି ଗ୍ରାମର ଟୁକୁ ପଣ୍ଡା ନାମକ ଜଣେ ବ୍ୟକ୍ତି ରାମଚନ୍ଦ୍ର ଗୌଡ଼ଙ୍କ ଘର ସମ୍ମୁଖରେ ପାଟିତୁଣ୍ଡ ସହ ଗାଳିଗୁଲଜ କରିଥିଲେ। ଏ ନେଇ ରାମଚନ୍ଦ୍ର ଥାନାକୁ ଖବର ଦେଇଥିଲେ ମଧ୍ୟ ପୁଲିସ ପହଞ୍ଚିବା ବିଳମ୍ବ ହେବାରୁ ସେ ଓ କୃଷ୍ଣ ନାଇକ ଦୁହେଁ ମିଶି ଜଗନ୍ନାଥପ୍ରସାଦ ଥାନାକୁ ଅଭିଯୋଗ ଦେବାକୁ ଯାଉଥିଲେ। ସେ ସମୟରେ କୁଶାପଲ୍ଲୀ ଗ୍ରାମ ଛକ ନିକଟରେ ଗୋଟିଏ ଟ୍ରକ ତାଙ୍କ ବାଇକ୍‌କୁ ପିଛା କରି ଆସିଥିଲା ଓ ପଛରୁ ଧକ୍କା ଦେଇ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ରାମଚନ୍ଦ୍ର ଓ କୃଷ୍ଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ପୁଲିସ ଦୁଇଟି ମୃତ ଦେହକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ ଓ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଉଭୟଙ୍କୁ ଟ୍ରକ୍‌ ଚଢ଼ାଇ ମାରି ଦିଆ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ମୃତକଙ୍କ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି। ଏନେଇ ଜଗନ୍ନାଥ ପ୍ରସାଦ ଥାନାରେ ୧୧୧/୧୯ ନମ୍ବରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।

ସମ୍ବନ୍ଧିତ ଖବର