କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ୨୦୨୪, ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ବଢିଛି। ସାଲେପୁର ଜେଏମ୍ଏଫ୍ସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ଫେବ୍ରୁଆରି ପହିଲା ଯାଏଁ ବଳବତ୍ତର ରହିଛି। ଉଭୟ ପକ୍ଷଙ୍କ ସହମତିରେ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଆଗାମୀ ଫେବ୍ରୁଆରି ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ। ଡିସେମ୍ବର ୧୯ ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନଭେମ୍ବର ୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମ୍ଏଫ୍ସି ଅଦାଲତରେ ପ୍ରୋଟେଷ୍ଟ୍ ପିଟିସନ ଦାଖଲ କରିଥିଲେ।
ଅଦାଲତ ଏହି ପିଟିସନର ଶୁଣାଣି କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫୋନ୍ ବାର୍ତ୍ତାଳାପର ରେକର୍ଡ (ସିଡିଆର) ଯାଞ୍ଚ କରିବାକୁ ଅଦାଲତ କହିଥିଲେ। ଏହାପରେ ପୁଲିସ ପୁଣି ତଦନ୍ତ କରିଥିଲା। କିନ୍ତୁ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ଓ ପୁଲିସ ଫାଇନାଲ ଫର୍ମ ଦାଖଲ କରିଥିଲା। ଏହାପରେ ପୁଣି ଅଦାଲତରେ ପ୍ରୋଟେଷ୍ଟ୍ ପିଟିସନ ଦାଖଲ କରାଯାଇଥିଲା। ଏହି ପ୍ରୋଟେଷ୍ଟ୍ ପିଟିସନର ଅଦାଲତ ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଜେନାଙ୍କ ଆବେଦନରେ ଦର୍ଶାଯାଇଛି। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପି.କେ.ଭୂୟାଁ, ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/dc5d4266-f5ed-4f10-a70a-b62b489dd562.jpeg)