ବାଙ୍କୀରେ ଲୋମଟାଙ୍କୁରା ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ, ସାମ୍ବାଦିକଙ୍କୁ ହତ୍ୟା

ଗୋଡ଼େଇ ଗୋଡ଼େଇ ହାଣିଲେ, ରାଜନୈତିକ ଶତ୍ରୁତା, ଠିକା କାମ ବିବାଦରୁ ହତ୍ୟା ସନ୍ଦେହ

ବାଙ୍କୀ : ବାଙ୍କୀ ବୈଦେଶ୍ବର ଥାନା ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଡବଲ୍ ମର୍ଡର। ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଯୁବ ସାମ୍ବାଦିକ ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ସରପଞ୍ଚଙ୍କ ସ୍ବାମୀ। ତେବେ ରକ୍ତମୁଖା ହତ୍ୟାକାରୀଙ୍କ କବଳରୁ ଜଣେ ନାବାଳକ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ବାଙ୍କୀ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ କଟକ ଜିଲ୍ଲା ଏସପି ରାଧାବିନୋଦ ପାଣିଗ୍ରାହୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରପଞ୍ଚଙ୍କ ମୃତ ସ୍ବାମୀ କଂଗ୍ରେସର ଜଣେ ଟାଣୁଆ କର୍ମୀ ହୋଇଥିବା ବେଳେ ଏହାକୁ ନେଇ ରାଜନୈତିକ ଛକାପଞ୍ଝା ବି ଆରମ୍ଭ ହୋଇଯାଇଛି।

ଆଜି ଦିନ ପ୍ରାୟ ୩ଟା ସମୟରେ ବାଙ୍କୀ ବ୍ଲକ୍ ନୂଆଗାଁ ପଞ୍ଚାୟତର ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ (୫୦), ଏକ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ (୩୫) ଓ ଅନ୍ୟ ଜଣେ ୧୬/୧୭ ବର୍ଷର ନାବାଳକ ଏକ ବାଇକରେ ବସି ବାଙ୍କୀ-କଳାପଥର ରାସ୍ତାରେ ଯାଉଥିଲେ। ଜୋକଲାଞ୍ଜି ଡ୍ୟାମ୍‌ ନିକଟ ନିଛାଟିଆ ରାସ୍ତାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଦୁର୍ବୃତ୍ତ ରାସ୍ତା ମଝିରେ ସରୁ ଜିଆଇ ତାର ଭିଡ଼ି ଦେଇଥିଲେ। ବାଇକ୍‌ ଚଳାଉଥିବା ଭଗବାନ ସ୍ବାଇଁ ଏହା ଜାଣି ପାରି ନଥିବା ବେଳେ ତାରରେ ବାଇକ୍ ଲାଗିଯିବାରୁ ସେମାନେ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ରାସ୍ତାରେ ଛକି ରହିଥିବା ୫/୬ ଜଣ ଦୁର୍ବୃତ୍ତ ଭଗବାନ ଓ ଆଦିତ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଜୀବନ ବଞ୍ଚାଇବାକୁ ଉଭୟ ରାସ୍ତ‌ାରେ ଦୌଡୁ ଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଅତି ନୃଶଂସ ଭାବେ ଭଗବାନ ଓ ଆଦିତ୍ୟଙ୍କର ଗୋଟିଏ ଗୋଟିଏ ଗୋଡ଼ ହାଣି ସେମାନେ ଶରୀରରୁ ଅଲଗା କରି ଦେଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପରେ ଚୋଟ ମାରିଥିଲେ। ସେହି ସମୟରେ କିନ୍ତୁ ୧୬/୧୭ ବର୍ଷର ନାବାଳକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ରାସ୍ତାରେ ଭଗବାନ ଓ ଆଦିତ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ଖସି ଯାଇଥିବା ବାଳକଠାରୁ ସୂଚନା ପାଇ ଲୋକେ ସେଠାରେ ପହଞ୍ଚିଥିଲେ। ବୈଦେଶ୍ବର ଥାନା ପୁଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କୁ ପ୍ରଥମେ ବାଙ୍କୀ ‌ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଆଦିତ୍ୟଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଗୁରୁତର ଭଗବାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠା ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କଟା ଗୋଡ଼କୁ ଘଟଣାସ୍ଥଳରୁ ଉଦ୍ଧାର କରି ପଲିଥିନରେ କଟକ ବଡ଼ଡାକ୍ତରଖାନା ନିଆଯିବା ଦୃଶ୍ୟ ଦେଖି ଲୋକେ ସ୍ତବ୍ଧ ହୋଇ ଯାଇଥିଲେ। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ମୃତ ଭଗବାନ ଓ ଆଦିତ୍ୟ ହେଉଛନ୍ତି ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗ୍ରାମର ବାସିନ୍ଦା। ଉଭୟଙ୍କ ଭିତରେ ଘନିଷ୍ଠତା ରହି ଆସିଛି। ଅନେକ ସମୟରେ ସେମାନେ ଏକାଠି ବୁଲାବୁଲି କରନ୍ତି। ଆଜି ସେମାନେ ବ୍ଲକ୍‌ ଅଫିସରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ପୂର୍ବରୁ ବି କଳାପଥର ନିକଟରେ ଆଦିତ୍ୟଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେ ବର୍ତ୍ତି ଯାଇଥିଲେ। ରାଜନୈତିକ ବିବାଦ, ଠିକା କାମ, ଫଲ୍ସ ବିଲ୍ ଇତ୍ୟାଦିକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ହତ୍ୟାକାଣ୍ଡର କାରଣ ବୋଲି ସନ୍ଦେହ କରାଯାଉଛି। ଖସି ଯାଇଥିବା ନାବାଳକକୁ ହେପାଜତରେ ରଖି ପୁଲିସ ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି।

୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ କାଳିପୋଇ ପଞ୍ଚାୟତରୁ ଅଲଗା ହୋଇ ନୂଆଗାଁ ପଞ୍ଚାୟତ ନୂଆ କରି ଗଠନ ହୋଇଥିଲା। ଏହା ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ମମତା ମହାପାତ୍ର ଅପ୍ରତିଦ୍ବନ୍ଦ୍ବୀ ଭାବେ ଏଠାରୁ ନିର୍ବାଚିତ ହୋଇଥିଲେ। ଖବର ପାଇ ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ଦେବାଶିଷ ପଟ୍ଟନାୟକ ବାଙ୍କୀ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ରାଜନୈତିକ ରଙ୍ଗ ଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ପୁଲିସକୁ ଦୁଇ ଦିନ ସମୟ ଦିଆଯାଉଛି। ଯଦି ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ବିଫଳ ହୁଏ, ତେବେ ବାଙ୍କୀ କଂଗ୍ରେସ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ।

ସମ୍ବନ୍ଧିତ ଖବର