ଜଳେଶ୍ୱର : ରଜରେ ବାପପୁଅଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଅଭିଯୁକ୍ତମାନେ ମୃତକଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ରାଇବଣିଆ ଥାନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ଆକ୍ରମଣରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ; ପହିଲି ରଜ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଳେଶ୍ବର ଥାନା ବଡ଼ଟିକାୟତପୁର ଗ୍ରାମର ହାରୁ ବିନ୍ଧାଣୀଙ୍କ ପୁଅ କ୍ରିଷ୍ଣା ରାଇବଣିଆ ଥାନା କବାଟଘାଟି ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟ କକା ଜଗନ୍ନାଥ ବିନ୍ଧାଣୀଙ୍କ ଘରକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଜଗନ୍ନାଥ ଓ ତାଙ୍କ ପୁଅ ପ୍ରଫୁଲ୍ଲଙ୍କ ସହ କ୍ରିଷ୍ଣାଙ୍କର କଥା କଟାକଟି ହୋଇଥିଲା। କ୍ରିଷ୍ଣା ନିଜ ଘରକୁ ଫେରି ଝଗଡ଼ା କଥା କହିବାରୁ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ। ରାଗ ତମତମ ହୋଇ କ୍ରିଷ୍ଣାଙ୍କ ସହ ତାଙ୍କ ବାପା ହାରୁ, ପତ୍ନୀ ବର୍ଷା, ଭିଣୋଇ ମଙ୍ଗଳ ଓ ଅନ୍ୟ ଜଣେ ସମ୍ପର୍କୀୟ ଚନ୍ଦନ ଦୁଇଟି ବାଇକ୍‌ରେ ଜଗନ୍ନାଥଙ୍କ ଘରକୁ ବାହାରି ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଚାଲିଥିବା ବେଳେ ପ୍ରଫୁଲ୍ଲ ହଠାତ ଘର ଭିତରୁ ଏକ କାତି ଆଣି ପ୍ରଥମେ କ୍ରିଷ୍ଣାଙ୍କୁ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ କ୍ରିଷ୍ଣାଙ୍କ ସହ ତାଙ୍କ ବାପା ହାରୁ ଓ ଅନ୍ୟମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପ୍ରଫୁଲ୍ଲ ଗୋଡ଼ାଇ ଗୋଡ଼ାଇ କ୍ରିଷ୍ଣା ଓ ହାରୁଙ୍କୁ ଅତି ବୀଭତ୍ସ ଭାବେ ହାଣି ପକାଇଥିଲେ। ବାପପୁଅଙ୍କୁ ପ୍ରଫୁଲ୍ଲ ହାଣୁଥିବା ବେଳେ ତାଙ୍କ ବାପା ଜଗନ୍ନାଥ ସହାୟତା କରିଥିବା କୁହାଯାଉଛି। ଆକ୍ରମଣରେ ବର୍ଷା, ମଙ୍ଗଳ ଓ ଚନ୍ଦନଙ୍କ ସହ ରାସ୍ତାରେ ଯାଉଥିବା କବାଟଘାଟି ଗାଁର ହାଡୁ ସିଂ ନାମକ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। କ୍ରିଷ୍ଣାଙ୍କ ଘରଲୋକ ଆଣିଥିବା ବାଇକ୍‌ ଦୁଇଟିକୁ ମଧ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପରିବାର ଭାଙ୍ଗି ଦେଇଛନ୍ତି।

ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀ ହାରୁ ଓ କ୍ରିଷ୍ଣାଙ୍କ ସହ ଅନ୍ୟ ଆହତମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ବାପପୁଅଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଇବଣିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ପ୍ରଫୁଲ୍ଲ, ଜଗନ୍ନାଥଙ୍କ ସହ ତାଙ୍କ ପରିବାର ଫେରାର୍‌ ହୋଇ ଯାଇଛନ୍ତି। ତେବେ ହତ୍ୟାକାଣ୍ଡ କାହିଁକି ଘଟିଲା, ସେ ସଂପର୍କରେ କିଛି ଜଣାପଡ଼ିନାହିଁ। ଜମିଜମା ବିବାଦ ଏହାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।