ସେମିଳିଗୁଡ଼ା/ପଟ୍ଟାଙ୍ଗି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡବଲ ମର୍ଡର। ପରିବା ବିକାଳିଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂପର୍କୀୟ ଓ ଗ୍ରାମବାସୀଙ୍କ ପାଲଟା ଆକ୍ରମଣରେ ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ପରିବା ବିକାଳିଙ୍କ ବାପା ଏବଂ ଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦାଠାରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବ ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, କୁନ୍ଦୁଲି ହାଟପଦାଠାରେ ରାଜକୁମାର ରୁଡି ନାମକ ଯୁବକ ପରିବା ଦୋକାନ କରିଛନ୍ତି। ଗତକାଲି ରାତିରେ ବଡ଼ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା କୁନ୍ଦୁଲି ହାଟପଦାଠାରେ ଦଶହରା ଉତ୍ସବ ଦେଖି ଘରକୁ ଫେରିଯାଇଥିଲେ। ଆଜି ସକାଳ ପ୍ରାୟ ୬ଟା ସମୟରେ ଗୋବର୍ଦ୍ଧନ ପାଣ୍ଡକା କୁନ୍ଦୁଲି ହାଟପଦାକୁ ଲାଗି ରହିଥିବା ନିଜ ଚାଷ ଜମିକୁ ଘାସ ବାହାର କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋବର୍ଦ୍ଧନଙ୍କୁ ଏକୁଟିଆ ପାଇ ରାଜକୁମାର ରୁଡ଼ି ବର୍ଚ୍ଛାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମୃତକଙ୍କ ସଂପର୍କୀୟ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କୁନ୍ଦୁଲି ହାଟପଦାରେ ପହଞ୍ଚି ହତ୍ୟାକାରୀ ରାଜକୁମାର ରୁଡ଼ି ଓ ତାଙ୍କ ପରିବାର ଉପରେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ରାଜକୁମାରଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥି ସହିତ ରାଜକୁମାରଙ୍କ ବାପା ଓ ଭାଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦଶହରା ପଡ଼ିଆ ମଧ୍ୟ ଜନଶୂନ୍ୟ ହୋଇପଡ଼ିଥିଲା।
ଖବର ପାଇ ପଟ୍ଟାଙ୍ଗି ଓ ସୁନାବେଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋରାପୁଟ ଏସପି ଅଭିନବ ସୋନକାର, ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା ପହଞ୍ଚି କଣ ପାଇଁ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଲା ତାହାର ଛାନଭିନ୍ କରିଥିଲେ। ଏହି ଘଟଣାରେ ପୁଲିସ ଉଭୟ ପକ୍ଷରୁ କେତେକ ଲୋକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।