ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଏବଂ ଏମଭି-୭୯ ଥାନା ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ସ୍ଥାନରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ହିଁ ଉଭୟଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ଘର୍ଷାପାଲୀ ଗାଁର ବାଡ଼ଛି ଚିନ୍ତା ୧୦ବର୍ଷ ହେଲା ୱାର୍ଡସଭ୍ୟ ଭାବେ ନିର୍ବାଚିତ ହୋଇ ଆସୁଥିବା ବେଳେ ଗାଁର ମୁଖିଆ ମଧ୍ୟ ଥିଲେ। ଗତକାଲି ରାତିରେ ସେ ଖାଇ ସାରିବା ପରେ ନିଜ ଚାଷ ଜମି ସ୍ଥିତ କୁଡ଼ିଆକୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ସେହି କୁଡ଼ିଆ ମଧ୍ୟରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗଳାକାଟି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ସେହିପରି ଏମଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତର ତମଗୁଡ଼ା ଗାଁର ମୁକା ମାଡ଼କାମୀଙ୍କୁ ମଧ୍ୟ ଗତକାଲି ରାତିରେ ତଣ୍ଟି କାଟି ହତ୍ୟା କରାଯାଇଛି। ଗତକାଲି ରାତିରେ ନିଜ ଫସଲ ଜଗିବାକୁ ମୁକା ଚାଷ ଜମି ନିକଟସ୍ଥ କୁଡ଼ିଆକୁ ଶୋଇବାକୁ ଯାଇଥିଲେ। ଆଜି ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଶବ ଠାବ କରାଯାଇଥିଲା। ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦେଇଛନ୍ତି। ଶେଷ ଖବର ସୁଦ୍ଧା ମାମଲା ରୁଜୁ ହୋଇ ନଥିଲେ ସୁଦ୍ଧା ପୁଲିସ ସନ୍ଦିଗ୍ଧଙ୍କ ଉପରେ ନଜର ରଖି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/murder-faf.jpg)