ତୁଷୁରା ନୂଆପଡ଼ାରେ ଡବଲ ମର୍ଡର: ଗଳାକାଟି ଶାଶୂ-ବୋହୂଙ୍କୁ ହତ୍ୟା

କାରଣ ଅସ୍ପଷ୍ଟ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ବଲାଙ୍ଗୀର/ତୁଷୁରା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ାରେ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଗୋଟିଏ ପରିବାରର ଦୁଇ ଜଣ ମହିଳାଙ୍କୁ ଦୁର୍ବୃତ୍ତମାନେ ବୀଭତ୍ସ ଭାବେ ଗଳାକାଟି ହତ୍ୟା କରି ଫେରାର ମାରିଛନ୍ତି। ମୃତକ ଦ୍ବୟ ଶାଶୂ ପ୍ରେମଶିଳା ମେହେର ଓ ବୋହୂ ଅମ୍ବିକା ମେହେର ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ପ୍ରତିଦିନ ଭଳି ନୂଆପଡ଼ା ଗ୍ରାମ ବସ୍ତିରେ ରହୁଥିବା ପ୍ରେମଶିଲାଙ୍କ ପୁଅ ସୁଧାଂଶୁ ମେହେର ତାଙ୍କ ଔଷଧ ଦୋକାନକୁ ଯାଇଥିଲେ। ପାଖଘରେ ରହୁଥିବା ସୁଧାଂଶୁଙ୍କ ପୁତୁରା ଦିବ୍ୟସିଂଦେବ ମେହେର ଓ ପୁତୁରାବୋହୂ ଡାହିମାଳସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏକ ବୈଠକକୁ ଯାଇଥିଲେ। ସେ ଦୁହେଁ ଦିନ ପ୍ରାୟ ୧୧ଟା ୧୦ ମିନିଟ୍‌ରେ ଘରକୁ ଫେରିଥିଲେ। ଘରେ କାହାରି ପାଟି ଶୁଣା ନଯିବାରୁ ଏଣେତେଣେ ବୁଲି ଡାକିଥିଲେ। କେହି ଉତ୍ତର ନଦେବାରୁ ଭିତରକୁ ଯାଇ ଦେଖିଥିଲେ। ଘର ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ଶାଶୂ ଓ ବୋହୂଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଦିବ୍ୟସିଂଦେବ କାକା ସୁଧାଂଶୁଙ୍କୁ ଫୋନ୍‌ କରି ଶୀଘ୍ର ଘରକୁ ଆସିବାକୁ କହିଥିଲେ। ସୁଧାଂଶୁ ପ୍ରାୟ ୧୧ଟା ୫୦ ମିନିଟରେ ତୁଷୁରା ଥାନାଧିକାରୀଙ୍କୁ ଫୋନ୍‌ ଯୋଗେ ସବୁ ଖବର ଦେଇଥିଲେ। ତୁଷୁରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲା।

ତେବେ ହତ୍ୟା ପରେ ଘରରୁ କୌଣସି ସାମଗ୍ରୀ ବା ଟଙ୍କା ସୁନା ବି ଚୋରି ହୋଇ ନାହିଁ ବୋଲି ସୁଧାଂଶୁ କହିଛନ୍ତି। ଏଣୁ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା? ଘଟଣା ପଛର କାରଣ କଣ ଥାଇପାରେ? ସାଇଣ୍ଟିଫିକ ଟିମ ଓ ଡଗସ୍କ୍ୱାଡ ବି ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୁଲିସ ସମଗ୍ର ଘଟଣାରେ ପରିବାର ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତୁଷୁରା ପୁଲିସ କହିଛି।

ସମ୍ବନ୍ଧିତ ଖବର