୨୦୨୪ ସୁଦ୍ଧା ସବୁ ଗାଁକୁ ଜଳଯୋଗାଣ ନେଇ ସନ୍ଦେହ!

ଧିମେଇଛି ସର୍ଭେ କାର୍ଯ୍ୟ, ପାଇପ୍ ବିଛାଇବାରେ ବିଳମ୍ବ, ଅଟକିଛି ୧୫୦୦ କୋଟିର ବୃହତ ଜଳଯୋଗାଣ ପ୍ରକଳ୍ପ

ବାରିପଦା : ଜଙ୍ଗଲ ପାହାଡ଼ଘେରା ମୟୂରଭଞ୍ଜ ଜିଲ୍ଲାରେ ଜଳ ଯନ୍ତ୍ରଣା ଦୂର କରିବା ପାଇଁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ ରାଜ୍ୟ ସରକାର। ‌୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଘୋଷଣା କରିଥିଲେ ସରକାର। ତେବେ ବିଳମ୍ବରେ ଟେଣ୍ଡର ହୋଇଥିବାବେଳେ ଆଜି ସୁଦ୍ଧା ମେଗା ଜଳସେଚନ ପ୍ରକଳ୍ପର ସର୍ଭେ କାମ ସରିନି। ପାଇପ୍ କେବେ ବିଛା ହେବ ସେଥିରେ ବି ଅନିଶ୍ଚିତତା ଲାଗିରହିଛି। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜିଲ୍ଲାରେ ସବୁ ଗାଁକୁ ଜଳଯୋଗାଣ ଲକ୍ଷ୍ୟ ପୂରଣ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମୟୂରଭଞ୍ଜ ଜିଲ୍ଲାର ୨୬ ବ୍ଲକ୍‌ରେ ୩ ହଜାର ୯୬୬ଟି ରାଜସ୍ବ ଗାଁ ଥିବା ବେଳେ ପଞ୍ଚାୟତ ସଂଖ୍ୟା ୪୦୪। ଜନସଂଖ୍ୟା ୨୫ ଲକ୍ଷରୁ ଊର୍ଦ୍ଧ୍ବ। ଏତେସଂଖ୍ୟକ ଲୋକଙ୍କ ପାଇଁ ଜିଲ୍ଲାରେ ମାତ୍ର ୩୦ ହଜାର ନଳକୂପ ରହିଛି। ୭୦୦ରୁ ଊର୍ଦ୍ଧ୍ବ ସ୍ଥାନରେ ଛୋଟବଡ଼ ଜଳଯୋଗାଣ ପ୍ରକଳ୍ପ ରହିଛି। ତେବେ ଏହି ବ୍ୟବସ୍ଥା ନାଁକୁ ମାତ୍ର ଚାଲିଛି। କେଉଁଠି ପାଇପ୍‌ ଫାଟିଯାଇଛି ତ କେଉଁଠି ମୋଟର ଖରାପ। ଆଉ କେଉଁଠି ଲୋ ଭୋଲ୍‌ଟେଜ ସମସ୍ୟା ପାଇଁ ଟାଙ୍କିକୁ ପାଣି ଉଠୁନି। ବର୍ଷ ବର୍ଷ ଧରି ପ୍ରକଳ୍ପର ମରାମତି ହେଉନି। ଫଳରେ ୭ ଶହରୁ ଅର୍ଦ୍ଧାଧିକ ପ୍ରକଳ୍ପ ଅଚଳ। ଏମିତି ସ୍ଥିତିରେ ପୁରୁଣା ପ୍ରକଳ୍ପ ଉପରେ ଭରସା ନକରି ସବୁ ଗାଁକୁ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରିବା ଲକ୍ଷ୍ୟରେ ୧୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଗ୍ରାମ୍ୟ ଜଳଯୋଗାଣ ବିଭାଗ ବାରିପଦା ଡିଭିଜନ୍‌ ଅଧୀନ ୧୪ଟି ବ୍ଲକ୍‌ରେ ୧୧ ଶହ କୋଟି ଓ ରାଇରଙ୍ଗପୁର ଡିଭିଜନ୍‌ର ୧୨ଟି ବ୍ଲକ୍‌ରେ ୪ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମେଗା ଜଳଯୋଗାଣ ପ୍ରକଳ୍ପ କାମ ହେବାକଥା। କିନ୍ତୁ, ସରକାରଙ୍କ ଘୋଷଣା ମୁତାବକ କାମ ହେଉନି। ସର୍ଭେ ଓ ପାଇପ୍‌ ବିଛା କାମ ପାଇଁ ବାହାର ରାଜ୍ୟର ସଂସ୍ଥା ଟେଣ୍ଡର ନେଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ସେମାନେ କାମ ବିଳମ୍ବ କରୁଛନ୍ତି। ସର୍ଭେ କେବେ ସରିବ, ଆ‌ଉ ପାଇପ୍ ବିଛା କାମ କେବେ ଆରମ୍ଭ ହେବ; ସେ ନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ବି ନାହିଁ। ଏବେଠାରୁ ପ୍ରକଳ୍ପ କାମ ତ୍ବରାନ୍ବିତ ହେଲେ ଯାଇ ୨୦୨୪ ସୁଦ୍ଧା କାମ ସରିବ। ହେଲେ ଟେଣ୍ଡର ନେଇଥିବା ସଂସ୍ଥା ଏଥିପ୍ରତି ଗୁରୁତ୍ବ ଦେଉନି। ତେଣୁ ସରକାରଙ୍କ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଜିଲ୍ଲାର ସହସ୍ରାଧିକ ଜନତା।

ସମ୍ବନ୍ଧିତ ଖବର