ନୂଆପଡ଼ାରୁ ଚୌଧୁରୀ ଅମିତାଭ ଦାସ
ନୂଆପଡ଼ା: ଉପନିର୍ବାଚନରେ ‘ମ୍ୟାନେଜ୍ମେଣ୍ଟ୍’ ରଣନୀତି କେବଳ ଭୋଟରଙ୍କ ପାଖରେ ସୀମିତ ନାହିଁ। ନିଜ ଦଳର ଅସନ୍ତୁଷ୍ଟଙ୍କୁ ଜଗିବା ଓ ସେମାନଙ୍କୁ ‘ମ୍ୟାନେଜ୍’ କରିବା ଏବେ ତିନି ଦଳ ପାଇଁ କାଠିକର ପାଠ ହେଲାଣି। ଦିନ ଯେତିକି ପାଖେଇ ଆସୁଛି, ଅବିଶ୍ବାସର ବାତାବରଣ ସେତିକି ବଢ଼ୁଛି। ନିଜ ଲୋକଙ୍କ ଉପରେ ସନ୍ଦେହର ଚକ୍ଷୁ ଅଧିକ ରହୁଛି। ଏହା ଦଳ ଭିତରେ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରୁଛି। ରାଜନୀତି ଓ ରାଜନେତା ଯେ କେତେ ଅସ୍ଥିର, ତାହା ନୂଆପଡ଼ା ଉପନିର୍ବାଚନ ସ୍ପଷ୍ଟ ଭାବେ ସୂଚାଇ ଦେଉଛି।
କଂଗ୍ରେସ ତୁଳନାରେ ବିଜେପି ଓ ବିଜେଡିରେ ସନ୍ଦେହ, ଅବିଶ୍ବାସ ଅଧିକ ରହିଛି। ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ହିଁ ଏହାର ଏକମାତ୍ର କାରଣ ପାଲଟିଛି। ଦଳର ନିଷ୍ପତ୍ତି ହିଁ ଉଭୟ ଦଳରେ ଅସନ୍ତୋଷର ମାତ୍ରା ବଢ଼ାଇଛି; ଯାହା ଏବେ ସେମାନଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଦୁଇ ଦଳ ପ୍ରଚାର ବେଳେ ପରସ୍ପରକୁ କଡ଼ା ମୁକାବିଲା କରୁଛନ୍ତି। ହେଲେ ଦଳ ଭିତରେ ଥିବା ବିଭୀଷଣଙ୍କ ଭୟ ଘାରୁଛି। ବିଜେପି ଜୟ ଢୋଲକିଆଙ୍କୁ ଅଚାନକ ବିଜେଡିରୁ ଆଣି ପ୍ରାର୍ଥୀ କଲା। ଫଳରେ ବିଜେପିର ପୁରୁଣା ଆଶାୟୀମାନେ ହତାଶ ହେଲେ। ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ପୁଣି ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀଙ୍କ ପରି ନେତା ବି ଲବି ଚଳାଇଥିଲେ। ଜୟଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ଏହି ଅସନ୍ତୁଷ୍ଟ ପୁରୁଣା ବିଜେପି ନେତାମାନଙ୍କୁ ରାଜ୍ୟ ନେତୃତ୍ବ ବୁଝାସୁଝା କରିଛନ୍ତି। ବସନ୍ତଙ୍କୁ ରାଜ୍ୟସଭା
ଲୋଭ ବି ଦେଖାଇଥିବା କୁହାଯାଉଛି। କିନ୍ତୁ ଅସନ୍ତୁଷ୍ଟ ନେତାମାନେ କେତେ ପ୍ରତିଶତ ଜୟଙ୍କୁ ଗ୍ରହଣ କଲେ, ତାହା ଫଳାଫଳ ଦିନ ହିଁ ଜଣାପଡ଼ିବ। ସନ୍ଦେହ ପଛର କାରଣ ହେଲା, ଜୟ ଜିତିଲେ ଅନେକ ପୁରୁଣା ବିଜେପି ନେତାଙ୍କ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯିବ। ଏବେ ସୁଦ୍ଧା ଦେଖାଯାଉଛି ଯେ ପ୍ରମୁଖ ଅସନ୍ତୁଷ୍ଟ ନେତା ଖୋଲାଖୋଲି ପ୍ରଚାର ମଇଦାନରେ ଅଛନ୍ତି। ବସନ୍ତ ପଣ୍ଡାଙ୍କୁ ବିଜେପି ପ୍ରଚାର କାର୍ଯ୍ୟରେ ଅଗ୍ର ଭାଗରେ ରଖୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନଙ୍କର ଖାସ୍ ସମର୍ଥକମାନଙ୍କ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି। ଯାହା ବିରୋଧରେ ସେମାନେ ଲମ୍ବା ସମୟ ଧରି ଲଢ଼େଇ କରୁଥିଲେ ତାଙ୍କରି ପୁଅଙ୍କୁ ଗ୍ରହଣ କରିବା ମୁଡ୍ରେ ସେମାନେ ଏବେ ବି ଆସିନାହାନ୍ତି। ପୁଣି ବିଜେଡିରେ ଥିବା ଢୋଲକିଆଙ୍କର କିଛି ଅନୁଗତ ଏବେ ବିଜେପିରେ ଜୟଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବାରୁ ବିଜେପି ନେତାମାନଙ୍କୁ ତାହା ହଜମ ହେଉନି।
ବିଜେଡିରେ ବି ସ୍ଥିତି ସମାନ। ଜୟ ଢୋଲକିଆ ବିଜେପିକୁ ଗଲା ପରେ ବିଜେଡିରେ ଆଶାୟୀ କମ୍ ନଥିଲେ। ବର୍ଷ ବର୍ଷ ଧରି ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ଅନେକ ନେତା ବଡ଼ ଭୂମିକା ନେଇଥିଲେ। କିନ୍ତୁ ବିଜେଡି ଜିଲ୍ଲା ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଲା। ପରବର୍ତ୍ତୀ ସମୟରେ ବିଜେଡି ତା’ର ସବୁ କଳବଳ କୌଶଳ ଖଟାଇ ସ୍ନେହାଙ୍ଗିନୀଙ୍କ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାରେ ସକ୍ଷମ ହୋଇଛି। କିନ୍ତୁ ଅନ୍ୟ ଆଶାୟୀମାନେ ତାଙ୍କ ସହ ବୁଲୁଥିଲେ ବି ଦଳ ସମ୍ପୂର୍ଣ୍ଣ ଭରସା କରିପାରୁନି। ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ତାରେଶ୍ବରୀ ସାହୁ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂହମାଝୀଙ୍କ ଉପରେ ଦଳ ପୂରା ନଜର ରଖିଛି। ବାହାରୁ ଯାଇଥିବା ବରିଷ୍ଠ ନେତାମାନେ ଏମାନଙ୍କ ସହ ଛାଇ ପରି ରହୁଛନ୍ତି। ଏହି ନେତାମାନେ ଯେପରି ବିରୋଧୀ ପକ୍ଷ ସହ କଥା ହେବାର ସୁଯୋଗ ନ ପାଇବେ, ସେଥି ପାଇଁ ଦଳ ବେଶ୍ ସତର୍କ ରହିଛି।
କଂଗ୍ରେସରେ ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭରୁ ଅସନ୍ତୋଷ ସୃଷ୍ଟି ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଗତ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ପୂର୍ଣ୍ଣ ନିରବ ଅଛନ୍ତି। ଉପକୂଳ ଅଞ୍ଚଳର ବହୁ ବରିଷ୍ଠ ନେତା ନୂଆପଡ଼ାକୁ ଯାଇଥିଲେ ବି ଶ୍ରୀ ପଟ୍ଟନାୟକ ପ୍ରଚାର ମଇଦାନରେ ଏ ଯାଏଁ ଦେଖା ଦେଇନାହାନ୍ତି। କଂଗ୍ରେସର କିଛି ଆଗ ଧାଡ଼ିର ସ୍ଥାନୀୟ ନେତା ସନ୍ଦେହରେ ରହିଛନ୍ତି। ସେମାନଙ୍କୁ ନିଜ ପଟକୁ ନେବା ପାଇଁ ବିଜେଡି ଓ ବିଜେପି ଉଦ୍ୟମ ଚଳାଇଛନ୍ତି। ଘାସିରାମଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ନୂଆପଡ଼ାରେ ଡେରା ପକାଇଥିବା ବାହାରର କଂଗ୍ରେସ ନେତାମାନେ ସେମାନଙ୍କୁ ଗୋଡ଼େ ଗୋଡ଼େ ଜଗିଛନ୍ତି। ଆରମ୍ଭରୁ ନୂଆପଡ଼ା ଓ ଆଖପାଖ ନିର୍ବାଚନମଣ୍ଡଳୀ ନେତାଙ୍କୁ ନେଇ କଂଗ୍ରେସ ପ୍ରଚାର ଓ ରଣନୀତି ଚଳାଇଥିଲା। ଏବେ ବିଜେଡି ଓ ବିଜେପି ପରି କଂଗ୍ରେସର ବି ଅନ୍ୟ ଜିଲ୍ଲାର ନେତାଙ୍କ ସୁଅ ନୂଆପଡ଼ାକୁ ଛୁଟୁଥିବା ଦେଖିବାକୁ ମିଳୁଛି। ୯ ତାରିଖରେ ପ୍ରଚାର ଶେଷ ହେବ। ସେହିଦିନ ସନ୍ଧ୍ୟା ପରେ ନୂଆପଡ଼ାରେ ଡେରା ପକାଇଥିବା ବାହାର ନେତା ନିର୍ବାଚନମଣ୍ଡଳୀର ସୀମା ବାହାରକୁ ଯିବେ। ନିର୍ବାଚନ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନେ ବାହାରେ ରହି ମତଦାନର ପୂର୍ବ ୩୬ ଘଣ୍ଟାର ରଣନୀତିକୁ ପରିଚାଳନା କରିବେ। ଅର୍ଥାତ୍ କେବଳ ସ୍ଥାନୀୟ ନେତାମାନେ ହିଁ ଏହି ଶେଷ ରଣନୀତିକୁ କାର୍ଯ୍ୟକାରୀ କରାଇବେ। ସେତେବେଳେ ଯଦି ଅସନ୍ତୁଷ୍ଟ ନେତାମାନେ ନିଜ ଦଳ ଉପରେ ରାଗ ଶୁଝାନ୍ତି, ତେବେ ସବୁ ଅଙ୍କ ଓଲଟପାଲଟ ହୋଇଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/bjp-bjd-congress-2025-11-08-00-30-37.jpg)