ଫୁଲବାଣୀ: କନ୍ଧମାଳ ମେଡ଼ିକାଲ୍‌ କଲେଜ ନିର୍ମାଣ କାମ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଡେଡ୍‌ଲାଇନ୍‌ ଅଛି। ହେଲେ କାମ ‌ଶେଷ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମେଡ଼ିକାଲ୍‌ କଲେଜ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ଆସିଲାଣି। ତେବେ ବାକି ୫୦ ପ୍ରତିଶତ କାମ ଆଉ ୨ ମାସରେ ଶେଷ ହେବା ନେଇ ସନ୍ଦେହ ରହିଛି। ଏହା ମଧ୍ୟରେ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାମନ୍ତରାୟଙ୍କର ଭୁବନେଶ୍ବର ବଦଳି ନିର୍ଦ୍ଦେଶ ଆସିଛି। ତାଙ୍କ ସ୍ଥାନରେ କେହି ସ୍ଥାୟୀ ଅଧୀକ୍ଷଣ ଯନ୍ତ୍ରୀ ଏଠାକୁ ଆସିନାହାନ୍ତି। ବୌଦ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଫୁଲବାଣୀ ଅଧୀକ୍ଷଣ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Advertisment

ଏଭଳି କାମଚଳା ଫର୍ମୂଲାରେ କନ୍ଧମାଳ ମେଡ଼ିକାଲ୍‌ କଲେଜ କୋଠା ନିର୍ମାଣ କାର୍ଯ୍ୟ ନିର୍ଧାରିତ ଅବଧି ଭିତରେ ଶେଷ ହେବା ନେଇ ପ୍ରଶ୍ନବାଚୀ ଦେଖାଦେଇଛି। ତେବେ ଅଧୀକ୍ଷଣ ଯନ୍ତ୍ରୀ ସାମନ୍ତରାୟଙ୍କ କହିବା ଅନୁସାରେ, ଅଡ଼ିଟୋରିୟମ୍‌, ଗାର୍ଲସ୍‌ ଓ ବଏଜ୍‌ ହଷ୍ଟେଲ୍‌, ଷ୍ଟାଫ୍‌ କ୍ବାର୍ଟର୍ସ, ଇଣ୍ଟର୍ନ ହ‌ଷ୍ଟେଲ୍‌, ଷ୍ଟାଫ୍‌ନର୍ସ ହଷ୍ଟେଲ୍‌ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମାତ୍ର, ୧୦୦ ସିଟ୍‌ ବିଶିଷ୍ଟ ମୁଖ୍ୟ ମେଡିକାଲ କଲେଜ ବିଲ୍‌ଡିଂ କାମ ମାତ୍ର ୨୦ରୁ ୩୦ ପ୍ରତିଶତ ସରିଛି। ଅନ୍ୟପକ୍ଷରେ, ମେଡିକାଲ କଲେଜ କୋଠା ନିର୍ମାଣ ପାଇଁ ୫୪୮ କୋଟି ଟଙ୍କା ବ୍ୟୟ ଅଟକଳ କରା ଯାଇଥିବା ବେଳେ ‌ଏବେ ଏହା ବୃଦ୍ଧି ପାଇ ୭୦୦ କୋଟିରେ ପହଞ୍ଚିଲାଣି। ତେବେ କାମ କେବେ ଶେଷ ହେବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପ୍ରାଥମିକ ପର୍ଯ୍ୟାୟରେ ୫୪୮ କୋଟି ଟଙ୍କା ବ୍ୟୟ ଅଟକଳରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ଉପକଣ୍ଠରେ ୫୨ ଏକର ଜମି ଉପରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହା ସହିତ ୬୫୦ ସିଟ୍‌ କ୍ଷମତାବିଶିଷ୍ଟ ଅଡ଼ିଟୋରିୟମ୍‌, ୫୦୦ ଶଯ୍ୟାର ହସ୍ପିଟାଲ, ହଷ୍ଟେଲ୍‌, ଷ୍ଟାଫ କ୍ବାର୍ଟର୍ସ ଓ ସର୍ଭିସ ବିଲ୍‌ଡିଂ ନିର୍ମାଣ କାମ ମଧ୍ୟ ଆଗେଇ ଚାଲିଛି। ୨୦୨୧ ଫେବ୍ରୁଆରି ୨୬ ତାରିଖରେ ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୨୩ ଅଗଷ୍ଟ ୨୬ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ଯେଉଁ ଗତିରେ କାମ ଚାଲିଛି, ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେବାର ସମ୍ଭାବନା ନାହିଁ। ମେସର୍ସ ସାପୋର୍‌ଜି ପାଲୋଞ୍ଜି ଆଣ୍ଡ୍‌ କୋ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଏହି ମେଡ଼ିକାଲ୍‌ କଲେଜ କୋଠା ନିର୍ମାଣ କାମ କରୁଛି।

ସୂଚନା ଥାଉକି, କନ୍ଧମାଳ ମେଡ଼ିକାଲ କଲେଜ ନିର୍ମାଣ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାକୁ ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ ଫୁଲବାଣୀ ଗସ୍ତରେ ଆସିଥିଲେ। ମେଡିକାଲ କଲେଜ ପାଇଁ ପ୍ରଥମେ ପ୍ରସ୍ତୁତ ମାଷ୍ଟର୍‌ପ୍ଲାନ୍‌ରେ କିଛି ତ୍ରୁଟି ରହିଥିବାରୁ ଏହା ଡିଏମ୍‌ଇଟି ପକ୍ଷରୁ ଅନୁମୋଦନ ଲାଭ କରି ନଥିଲା। ମାତ୍ର ପରବର୍ତ୍ତୀ ସମୟରେ ୨୦୨୧ ମେ ୨୫ ତାରିଖରେ ଡିଏମ୍‌ଇଟି ଦ୍ବାରା ଅନୁମୋଦନ ଲାଭ କରିଥିଲା। ଏଥିପାଇଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଥିଲା ବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ମଧ୍ୟରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ବହୁବାର ଗସ୍ତ କରି ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ତେବେ ଆସନ୍ତା ଅଗଷ୍ଟ ମାସ ୨୬ ତାରିଖ ସୁଦ୍ଧା ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଅନ୍ୟପଟେ କନ୍ଧମାଳ ମେଡ଼ିକାଲ କଲେଜର ନାମକରଣକୁ ନେଇ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।