ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସନ୍ଦେହ ବଢ଼ୁଛି: ନକ୍‌ସା ବଦଳାଇଦେଲେ!

କାହା ଚାପରେ ଏଏସ୍ଆଇ ଚୁପ୍? କୋର୍ଟ କହିବା ପରେ ବି ଅନୁଧ୍ୟାନ ପାଇଁ ଆସିଲାନି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ଖନନ ଓ ନିର୍ମାଣ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଅଭିଯୋଗ ହୋଇ ଆସୁଥିଲେ ବି ବେଫିକର ଭାବେ ପ୍ରଶାସନ, ଓବିସିସି, ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଖନନସ୍ଥଳରେ ଯେଉଁ ପୁରୁଣା ଫଳକ ଲାଗିଥିଲା ଓ ଏହା ବଦଳରେ ଏବେ ଯେଉଁ ନୂଆ ଫଳକ ଲାଗିଛି, ସେଥିରେ ତାଳମେଳ ନାହିଁ। ପୁରୁଣା ନକ୍ସାରେ ନିର୍ମାଣଧୀନ ଘରର ଯେଉଁ ନକ୍ସା ଅଙ୍କାଯାଇଥିଲା ଓ ଏବେ ଯେଉଁ ନକ୍ସା ଲାଗିଛି, ତାହା ସମ୍ପୂର୍ଣ୍ଣ ଭିନ୍ନ ଥିବା ଦେଖିବାକୁ ମିଳିଛି। ଏହା ପୁଣିଥରେ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହ ବଢ଼ାଇଛି ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା କ୍ରମଶଃ ବୃଦ୍ଧି ପାଇଲାଣି।

ସେପଟେ ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ଏବେ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର କୌଣସି ଅଧିକାରୀ ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନରେ ଆସିନାହାନ୍ତି। ଏହା ପ୍ରତ୍ନତତ୍ତ୍ବ ବିଭାଗର କାର୍ଯ୍ୟକଳାପକୁ ବି ସନ୍ଦେହ ଘେରକୁ ଟାଣି ଆଣିଛି। ଶ୍ରୀମନ୍ଦିର ମରାମତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ଏଏସଆଇ କର୍ତ୍ତୃପକ୍ଷ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଯେଉଁ ଆଭିମୁଖ୍ୟ ଆପଣାଉଛନ୍ତି, ତାହାକୁ କେହି ଗ୍ରହଣ କରିପାରୁନାହାନ୍ତି। ପ୍ରଶ୍ନ ଉଠୁଛି, କାହା ଚାପରେ ଏଏସଆଇ କର୍ତ୍ତୃପକ୍ଷ ଚୁପ୍। ଯଦି ନିର୍ମାଣରେ ତ୍ରୁଟି ନାହିଁ, ତେବେ କର୍ତ୍ତୃପକ୍ଷ ଆପତ୍ତି କରି ଚିଠି ଲେଖୁଛନ୍ତି କାହିଁକି? ଯଦି ନିର୍ମାଣ ନିଷିଦ୍ଧାଞ୍ଚଳରେ ହେଉଛି, ତେବେ ଏହାକୁ ରୋକିବା କ୍ଷେତ୍ରରେ ଏଏସ୍ଆଇ ପଛଘୁଞ୍ଚା ଦେଉଛି କାହିଁକି?

ଏଠାରେ ଉଲ୍ଲେଖଥାଉକି, ଦୁଇ ଦିନ ତଳେ ଯେଉଁ ନୂଆ ଫଳକ ତଥା ହୋର୍ଡିଂ ପ୍ରଶାସନ ନିର୍ମାଣସ୍ଥଳରେ ଲଗାଇଛି, ତାହ ସନ୍ଦେହ ସୃଷ୍ଟି କଲାଣି। ନୂଆ ନକ୍ସାରେ ମହିଳା ଓ ପୁରୁଷ ଶୌଚାଳୟର ଯେଉଁ ଫଟୋ ରହିଛି, ତାହା ପୁରୁଣା ଫଳକରେ ଲାଗିଥିବା ଫଟୋ ଭଳି ନୁହେଁ। ଏହି ପ୍ରକଳ୍ପରେ ଏକ ତିନିକୋଣିଆ ଜାଗା ସମ୍ମୁଖ ଭାଗରେ ରହିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ନୂଆ ଚିତ୍ରରେ ସେଭଳି କିଛି ନାହିଁ। ସେବାୟତ ଶୌଚାଳୟ କ୍ଷେତ୍ରରେ ବି ନୂଆ-ପୁରୁଣା ମେଳ ଖାଉନି। ପୂର୍ବରୁ ସେଲ୍‌ଟର ପାଭିଲିୟନ୍‌ ପାଇଁ ବି ଚିତ୍ର ଅଲଗା ଥିଲା। ଏଥିରେ ୪ଟି ଖୁମ୍ବରେ ଛାତ ପଡ଼ିଥିବାର ଡିଜାଇନ୍‌ ଦେଖିବାକୁ ମିଳିଥିଲା। ଏବେ ନୂଆ ଫଳକରେ ଲାଗିଥିବା ଚିତ୍ର ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଦୁଇ ପ୍ରକାରର ସେଲ୍‌ଟର ପାଭିଲିୟନ୍‌(ଟାଇପ୍‌-୧ ଓ ୨) ନିର୍ମାଣ କରାଯିବାର ପ୍ରସ୍ତାବ ରହିଥିବା ଚିତ୍ରରେ ଦର୍ଶାଯାଇଛି। ସେଥିପାଇଁ ଭିନ୍ନ ଭିନ୍ନ ଚିତ୍ର ବି ଲଗାଯାଇଛି।

ପୂର୍ବରୁ ସେଲ୍‌ଟର ପାଭିଲିୟନ୍‌ର ଯେଉଁ ଚିତ୍ର ରହିଥିଲା, ତାକୁ ଟାଇପ୍‌-୧ ସେଲ୍‌ଟର ପାଭିଲିୟନ୍‌ ବୋଲି ଦର୍ଶାଯାଇଛି। ସେଲ୍‌ଟର ପାଭିଲିୟନ୍‌ର ନୂଆ ଚିତ୍ରକୁ ଟାଇପ୍‌-୨ ବୋଲି ଦର୍ଶାଯାଇଛି। ଲାଗିଥିବା ଚିତ୍ରରେ ଏଭଳି ସାମଞ୍ଜସ୍ୟ ନ ରହିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ମତ ପ୍ରକାଶ ପାଇଛି। ଯଦି ପୁରୁଣା ନକ୍ସା ଓ ଚିତ୍ର ଆଧାରରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା, ତେବେ ନୂଆ ନକ୍ସା ଓ ଚିତ୍ର ଆଧାରରେ କିଭଳି ନୂଆ ନିର୍ମାଣ କରାଯିବ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି। ଏହା କେବଳ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଅନ୍ତତଃ ହାଇକୋର୍ଟଙ୍କ ଆଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ଦାବି କରିଛନ୍ତି।

ପୁରୀ ସବ୍‌ଜଜ୍‌ଙ୍କ କୋର୍ଟଙ୍କ ଦ୍ବାରସ୍ଥ ହେଲା ଓକିଲ ସଂଘ: ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଣାଣି
ପୁରୀ ସବ୍‌ଜଜ୍‌ଙ୍କ କୋର୍ଟଙ୍କ ଦ୍ବାରସ୍ଥ ହେଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ ଗୁରୁବାର ଏ ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ହେବାକୁ ଯାଉଛି। ଏଣୁ ମାନ୍ୟବର ହାଇକୋର୍ଟ ଏହି ମାମଲାରେ କେଉଁ ରାୟ ଦେଉଛନ୍ତି, ତାହାକୁ ଅଣଗିତ ଶ୍ରୀଜଗନ୍ନାଥପ୍ରେମୀ ଅପେକ୍ଷା ରହିଛନ୍ତି। ଅନ୍ୟପଟେ ଆଜି ପୁରୀ ଓକିଲ ସଂଘ
ସବ୍‌ ଜଜ୍‌ଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏ ଉପରେ ସଂଘ ଆଜି ପୁରୀ ସବ୍‌ଜଜ୍‌ଙ୍କ କୋର୍ଟରେ ଏକ ଦେୱାନୀ ମାମଲା ଦାୟର କରିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବେଆଇନ୍‌ ଦର୍ଶାଇ ଏହା ଉପରେ ରହିତାଦେଶ ଜାରି କରିବାକୁ ସଂଘ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଛି।

ଓକିଲ ସଂଘ ଅଭିଯୋଗରେ ଦର୍ଶାଇଛି, ଆମ୍‌ସାର ଆଇନକୁ ଖୋଲା ଉଲ୍ଲଂଘନ କରି ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା କମ୍ପାନି, ଓବିସିସି, ଯେଉଁଭଳି ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଛନ୍ତି, ତାକୁ ଏଏସ୍‌ଆଇ, ଏନ୍‌ଏମ୍‌ଏ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଣଦେଖା କରୁଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କ ବି‌ରୋଧରେ କୌଣସି ପଦକ୍ଷେପ ନ ନେଇ ଚୁପ ବସିଛନ୍ତି। ଏଣୁ ଓକିଲ ସଂଘ ଦେୱାନୀ ଆଇନର ଧାରା- ୯୧ ଓ ଅର୍ଡର-୧, ରୁଲ୍‌-୮ରେ ୧୧ଜଣଙ୍କୁ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନିବେଦନ କରିଛି। ଏଥିରେ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତରେ ରାଜ୍ୟ ସରକାର, ଟାଟା କମ୍ପାନି, ଓବିସିସି, ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷଭୁକ୍ତ କରି କାମ ବନ୍ଦ ପାଇଁ ପ୍ରାର୍ଥନା କରିଛି। ଓକିଲ ସଂଘ ମୂଳ ମୋକଦ୍ଦମାରେ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଅନୁମତି ନ ଥାଇ ନିର୍ମାଣ କାମ ଜାରି ରହିଥିବାରୁ ଏଥିରେ କୋର୍ଟଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ବେଆଇନ୍‌ ଦର୍ଶାଇ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାନ୍ୟବର ହାଇକୋର୍ଟ ଏହାର ପ୍ରଥମ ଶୁଣାଣି କରିଥିଲେ। ଗୁରୁବାର ଏହାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି।

ସମ୍ବନ୍ଧିତ ଖବର