କରୋନା ମୁକାବିଲା ବ୍ୟବସ୍ଥାକୁ ନେଇ ସନ୍ଦେହ ବଢ଼ିଲା, ଟିଏମ୍‌ସିରୁ ଘରକୁ ଫେରିବା ପରେ ପଜିଟିଭ୍‌

ପୂର୍ବରୁ ୨ ଥର ହୋଇଥିଲା ପରୀକ୍ଷା, ୧୯ରେ ଯାଇଥିବା ସ୍ବାବର ରିପୋର୍ଟ ଆସିଲା ୨୩ରେ

କଟକ/ନରସିଂହପୁର: ୧୭ ଦିନ କାଳ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମସି)ରେ କ୍ବାରାଣ୍ଟିନରେ ରହିବା ପରେ ଗତକାଲି ଘରକୁ ଫେରିଥିବା ଜଣେ ଯୁବକ ଆଜି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏଭଳି ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହିତ କରୋନା ମୁକାବିଲା ବ୍ୟବସ୍ଥା ଓ ସଂକ୍ରମଣ ପରୀକ୍ଷା ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଆଇଁଷିଆ ଗ୍ରାମରେ।

ସୂଚନା ଅନୁଯାୟୀ, ୩୫ ବର୍ଷର ଏହି ଯୁବକ ଜଣକ ମେ ୪ ତାରିଖରେ ସୁରତରୁ ଫେରିଥିଲେ। ସେ ଅନ୍ୟ ୮୫ ଜଣଙ୍କ ସହିତ ସେଦିନ ବସ୍‌ରେ ଆସିଥିଲେ। ସେମାନଙ୍କୁ ଏସସିଏସଟି ଆବାସିକ ବିଦ୍ୟାଳୟ ଟିଏ୍‌ସିରେ ରଖା ଯାଇଥିଲା। ପ୍ରଥମେ ମେ ୫ ତାରିଖ ଦିନ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଅନ୍ୟମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ଏହି ଯୁବକଙ୍କର ରିପୋର୍ଟ ସ୍ପଷ୍ଟ ହୋଇ ନଥିଲା। ତେଣୁ ଦ୍ବିତୀୟ ଥର ମେ ୧୩ ତାରିଖରେ ଅନ୍ୟମାନଙ୍କ ସହିତ ସେହି ଯୁବକଙ୍କର ସ୍ବାବ ସଂଗ୍ରହ କରି ପୁଣି ପରୀକ୍ଷା ପାଇଁ ପଠାଯାଇଥିଲା। ଦ୍ବିତୀୟ ଥର ବି ଯୁବକଙ୍କର ରିପୋର୍ଟ ସ୍ପଷ୍ଟ ନ ହେବାରୁ ତାଙ୍କୁ ସେହି କେନ୍ଦ୍ରରେ ସ୍ବତନ୍ତ୍ର ଭାବେ ରଖାଯାଇଥିଲା। ଏଭଳି ସ୍ଥିତିରେ ସଂପୃକ୍ତ ଯୁବକଙ୍କୁ ଗଲା ୧୯ ତାରିଖ ଦିନ କଟକର ଚାଉଳିଆଗଂଜ ସ୍ଥିତି କେନ୍ଦ୍ରକୁ ଆଣି ସ୍ବାବ ସଂଗ୍ରହ କରାଯାଇଥିଲା। ଗତକାଲି ଅର୍ଥାତ ୨୨ ତାରିଖ ଯାଏ ରିପୋର୍ଟ ନ ମିଳିବାରୁ ତାଙ୍କର ରିପୋର୍ଟ ହୁଏତ ନେଗେଟିଭ୍ ବିଚାର କରି ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସେ ଟିଏମସିରେ ୧୭ ଦିନ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଆଜି ଦିନ ୧୨ଟାରେ ସଂପୃକ୍ତ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣା ପଡ଼ିଥିଲା। ଏଭଳି ରିପୋର୍ଟ ମିଳିବା ପରେ ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କର ବି ନିଦ ହଜି ଯାଇଥିଲା। ତାଙ୍କୁ ତୁରନ୍ତ କଟକ ସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ପରିବାରର ୭ ଜଣ ଏବଂ ସଂପର୍କରେ ଆସିଥିବା ୯ ଜଣଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି। ସେହି ଟିଏମସି କେନ୍ଦ୍ର ଏବଂ ଗାଁକୁ ସାନିଟାଇଜ୍ କରାଯାଇଛି। ଆଜି ସଂଧ୍ୟାରୁ ଆସନ୍ତା ୨୫ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଭଳି ସ୍ଥିତି ଉପୁଜିବା ପରେ ବିଧାୟକ ଦେବୀପ୍ରସାଦ ମିଶ୍ର ବି ସେଠାକୁ ଯାଇ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେବା ସହିତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏଭଳି ଏକ ଘଟଣା ରାଜ୍ୟରେ ପ୍ରଥମ ହୋଇଥିବାରୁ ଏହାକୁ ନେଇ ପୁଣି ଅଜଣା ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର