ପଦ୍ମପୁର/ରାୟଗଡ଼ା: ଗୁଣିଗାରେଡ଼ି ସନ୍ଦେହରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ହାଟପଦା ସାହିର ଭୈରବ ସାହୁ (୫୫)ଙ୍କୁ ଲୋକେ ପିଟି ପିଟି ମାରି ଦେଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଆଇଆଇସି ଧରଣୀଧର ପ୍ରଧାନଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ପରିସ୍ଥିତ ଅଣାୟତ୍ତ ହେବାରୁ ଗୁଣପୁର ଏସ୍ଡିପିଓ ବାବୁଲି ନାୟକଙ୍କ ସମେତ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାରେ ପୁଲିସ୍ ୨୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୭ ନାବାଳକ ରହିଛନ୍ତି। ଗିରଫ ଭୟରେ ହାଟପଦା ପୁରୁଷଶୂନ୍ୟ ହୋଇଯାଇଛି।
ସୋମବାର ବିଳମ୍ବିତ ରାତିରେ ଭୈରବ ସାହୁ ଘରେ ଶୋଇଥିବା ବେଳେ ସାହିର କିଛି ଲୋକ ତାଙ୍କୁ ବାହାରକୁ ଟାଣି ଆଣି ନିସ୍ତୁ୍କ ମାଡ଼ ମାରିଥିଲେ। ଗୁଣିଗାରେଡ଼ି କରି କାହିଁକି ମାରୁଛୁ କହି ଗୋଇଠା ସହ ଠେଙ୍ଗାରେ ପିଟିଥିଲେ। ଛାଡ଼ିଦେବା ପାଇଁ କାକୁତି ମିନତି ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ। ଚେତାଶୂନ୍ୟ ହୋଇ ଭୈରବ ତଳେ ପଡ଼ିଥିବା ବେଳେ ପୁଲିସ୍ ପହଞ୍ଚି ଥିଲା। ଆକ୍ରମଣକାରୀମାନେ ପୁଲିସକୁ ମଧ୍ୟ ଛାଡ଼ି ନଥିଲେ। ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ ଥାନା ଅଧିକାରୀ ଶ୍ରୀ ପ୍ରଧାନ।
ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ
ଆଇଆଇସି ଆହତ, ୨୮ ଗିରଫ
ପଦ୍ମପୁର ହାଟପଦା ପୁରୁଷ ଶୂନ୍ୟ
୩ ପ୍ଲାଟୁନ୍ ପୁଲିସ୍ ମୁତୟନ
ପୁଲିସ ଭୈରବଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ୩୩ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରିଛି ଏବଂ ୫ଜଣ ଫେରାର ଅଛନ୍ତି। ଘଟଣା ପରେ ପଦ୍ମପୁର ସହରରେ ଚାପା ଉତ୍ତେଜନା ଲାଗି ରହିଛି। ୩ ପ୍ଲାଟୁନ ପୁଲିସ୍ ଫୋର୍ସ ନିୟୋଜିତ ଅଛନ୍ତି। ଭୈରବଙ୍କ ଝିଅ ରଶ୍ମିତା ସାହୁ ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ରକ୍ତଛିଟା ନମୁନା ସଂଗ୍ରହ ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ସମସ୍ତ ଅଭିଯୁକ୍ତକଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ.ଏସ୍. କୁମାର। ସୂଚନାଯୋଗ୍ୟ, କିଛିଦିନ ତଳେ ସାହିର ଜୈନିକ ବ୍ୟକ୍ତିଙ୍କର ଲିଭର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଭୈରବ ଉକ୍ତ ବ୍ୟକ୍ତିଙ୍କୁ ଗୁଣି କରି ମାରିଥିବା ସନ୍ଦେହ କରି ଏଭଳି କାଣ୍ଡ ଘଟାଇଥିବା ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/23/rvezVJ9NOmuctJnpVHnL.jpg)