କଟକ: ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଅଧୀନରେ ନ ରଖି ସିଧାସଳଖ ରାଜ୍ୟ ଗୃହ ବିଭାଗ ଅଧୀନରେ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଗଲା ୬ ବର୍ଷ ଭିତରେ ଦୁଇ ଥର ଚିଠି ଲେଖିସାରିଲାଣି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନି। କ୍ରାଇମ୍‌ବ୍ରାଞ୍ଚ ଅଧୀନରେ ଫରେନସିକ୍ ସାଇନ୍ସ ଲାବୋରେଟୋରି ରହୁଥିବାରୁ ଅନେକ ସମୟରେ ପରୀକ୍ଷା ରିପୋର୍ଟର ସ୍ବଚ୍ଛତା ଆଉ ନିରପେକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। କିନ୍ତୁ କେଉଁ କାରଣରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ରାଜ୍ୟ ଏଯାଏ କାର୍ଯ୍ୟକାରୀ କରୁନି, ତାହା ସନ୍ଦେହର କାରଣ ହୋଇଛି।

Advertisment

ସୂଚନା ଅନୁଯାୟୀ, ପ୍ରତ୍ୟେକ ରାଜ୍ୟରେ ଥିବା ଫରେନସିକ୍ ସାଇନ୍ସ ଲାବୋରେଟୋରିରେ ତଦନ୍ତକାରୀ ଅଧିକାରୀମାନେ ଆପରାଧିକ ମାମଲାରେ ଜବତ କରିଥିବା ସାମଗ୍ରୀ ଗୁଡ଼ିକର ପରୀକ୍ଷା କରାଯାଏ। ଏହି ରିପୋର୍ଟ ଆଧାରରେ ଅଦାଲତରେ ମାମଲାର ସମ୍ପୃକ୍ତ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଏ। ତେଣୁ ଏହି ରିପୋର୍ଟର ଗୁରୁତ୍ବ ଅଧିକ ରହିଛି। କିନ୍ତୁ ପୁଲିସ ନିଜେ ଆପରାଧିକ ମାମଲାର ତଦନ୍ତ କରୁଥିବା ବେଳେ ଏହି ଫରେନସିକ୍ ସାଇନ୍ସ ଲାବୋରେଟୋରି ଓଡ଼ିଶା ପୁଲିସ ଅଧୀନରେ ନୁହେଁ କ୍ରାଇମ୍‌ବ୍ରାଞ୍ଚ ଅଧୀନରେ ରହୁଛି। ଏହାଦ୍ବାରା ପରୀକ୍ଷାଗାର ରିପୋର୍ଟ ହେରଫେର୍ ହେବାର ଅନେକ ଆଶଙ୍କା ଥିବା ବେଳେ ଓଡ଼ିଶାରେ ଏହି ରିପୋର୍ଟକୁ ନେଇ ମଧ୍ୟ ଅତୀତରେ ପ୍ରଶ୍ନ ଉଠିଛି।

କ୍ରାଇମ୍‌ବ୍ରାଞ୍ଚ ଅଧୀନରେ ଫରେନସିକ୍ ସାଇନ୍ସ ଲାବୋରେଟୋରି 
ଗୃହ ବିଭାଗ ଅଧୀନକୁ ନେବା ପାଇଁ ୬ ବର୍ଷରେ ୨ ଥର ଚିଠି ଦେଲାଣି କେନ୍ଦ୍ର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ମାଲିମଥ କମିଟିର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ କେନ୍ଦ୍ର କରି 
ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ସରକାରଙ୍କୁ ଚିଠି ଲେଖିଥିଲେ। ଫରେନସିକ୍ ସାଇନ୍ସ ଲାବୋରେଟୋରିର ନିୟନ୍ତ୍ରଣ କ୍ରାଇମବ୍ରାଞ୍ଚ ହାତରୁ କାଢ଼ି ନେଇ ରାଜ୍ୟ ଗୃହ ବିଭାଗ ଅଧୀନରେ ରଖିବାକୁ ଚିଠିରେ ଉଲ୍ଲେଖ ଥିଲା। ଅଧିକ ସ୍ବଚ୍ଛତା ବଜାୟ ରଖିବା ଓ ଲୋକଙ୍କ ବିଶ୍ବାସକୁ ସୁଦୃଢ଼ କରିବା ପାଇଁ ଏଭଳି ସୁପାରିସ କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପ୍ରଥମ ଚିଠି (୨୫୦୧୭/ ୧୪/ ୨୦୧୮- ଡବ୍ଲୁଏସ୍-୩) ୨୦୨୦ ଜୁନ ୫ ତାରିଖରେ ଆସିଥିଲା। ଦ୍ବିତୀୟ ଚିଠି(୨୫୦୧୭/ ୦୪/ ୨୦୨୨- ଡବ୍ଲୁଏସ୍-୩) ୨୦୨୨ ଏପ୍ରିଲ ୨୭ରେ ଆସିଥିଲା। ୨୦୧୮ରେ ଆସିଥିବା ପ୍ରଥମ ଚିଠିକୁ ୬ ବର୍ଷ ବିତିଯାଇଥିବା ବେଳେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଭୁବନେଶ୍ବର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିର ନିର୍ଦ୍ଦେଶକ ପଦବିରେ ଯଦିଓ ଜଣେ ଏଡିଜି ପାହ୍ୟାର ଆଇପିଏସ୍ ଅଫିସର ରହୁଛନ୍ତି, କିନ୍ତୁ ଏହା ସିଧାସଳଖ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ନିୟନ୍ତ୍ରଣରେ ରହୁଛି। ଏବେ ଦେଶରେ ପାଖାପାଖି ୧୫ଟି ରାଜ୍ୟରେ ଫରେନସିକ୍ ସାଇନ୍ସ ଲାବୋରେଟୋରି ଉକ୍ତ ରାଜ୍ୟର ଗୃହ ବିଭାଗ ଅଧୀନକୁ ଚାଲିଆସିଲାଣି। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି ଅଧୀନରେ ୩୬ଟି ପୁଲିସ ଜିଲ୍ଲାର ୩୬ଟି ଜିଲ୍ଲା ଫରେନସିକ୍ ସାଇନ୍ସ ଲାବୋରେଟୋରି(ଡିଏଫ୍‌ଏସ୍‌ଏଲ୍) ସମେତ ୩ଟି ଆଞ୍ଚଳିକ ଲାବୋରେଟୋରି ରହିଛି। ମୋଟ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୨୫୦ ଥିବା ବେଳେ ଏଥିରୁ ୬୧ ପ୍ରତିଶତ ପଦବି ଅନେକ ଦିନ ହେବ ପୂରଣ ହୋଇପାରୁନାହିଁ।