ଇଏସ୍‌ଆଇ ହସ୍ପିଟାଲ ପ୍ରସଙ୍ଗ, ବିଜେପି ମିଛ କହୁଛି: କଂଗ୍ରେସ

ବିଜେଡିର ନିରବତା ଉପରେ ବି ଆଙ୍ଗୁଠି ଉଠାଇଲା ଦଳ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଇଏସଆଇ ହସ୍ପିଟାଲ ସଂପର୍କରେ ଯାହା ସବୁ କହିଛନ୍ତି ସେସବୁ ମିଛ । ସତ ହେଲା, ଉପା ସମୟର ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଚକ୍ରାନ୍ତ କରି ୨୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ପ୍ରାରମ୍ଭିକ ଅବସ୍ଥାରେ ୧୫୦ ଶଯ୍ୟା ବିଶିଷ୍ଟ େହବ। ମେଡିକାଲ କଲେଜ ପାଇଁ ଉପା ସରକାର ନେଇଥିବା ନିଷ୍ପତ୍ତିକୁ ପରିବର୍ତ୍ତନ କରି ବର୍ତ୍ତମାନ ୫୦ରୁ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରି ବାହାବା ନେବା ଦୁର୍ଭାଗ୍ୟଜନକ। ଖୋର୍ଦ୍ଧାଠାରେ ଇଏସଆଇ ହସ୍ପିଟାଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଏଭଳି ପ୍ରତିବାଦ କରିଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଇଏସଆଇସି ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ସରକାରୀ ଜାଗାରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଦ୍ବାରା ୧୩.୯୭ କୋଟି ଟଙ୍କା ବ୍ୟୟରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା ।

ଏସମ୍ପର୍କରେ ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ଦ୍ବାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ସରକାରଙ୍କ ଠାରୁ ୨୦୧୫ ଅକ୍ଟୋବର ୯ ତାରିଖରେ ଓଡ଼ିଶା ଶ୍ରମ ଓ ନିଯୁକ୍ତି ବିଭାଗକୁ ଲେଖାଯାଇଥିବା ପତ୍ର ଅନୁଯାୟୀ ପ୍ରକଳ୍ପଟିକୁ ବର୍ତ୍ତମାନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଉକ୍ତ ଆବଣ୍ଟିତ ଜମିରେ ଏକ ୫୦୦ ଶଯ୍ୟାବିଶିଷ୍ଟ ସୁପର ସ୍ପେଶାଆଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି । ଏହାରି ଭିତରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଗତ ୧୬.୦୨.୧୦୧୮ ତାରିଖରେ ୧୭୩ ତମ ବୈଠକର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ନିକଟ ଅନ୍ଧାରୁଆ ଠାରେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲାଯିବା ପାଇଁ ମଞ୍ଜୁର ହୋଇଅଛି,ଯାହାକି ଧୀରେ ଧୀରେ ୨୫୦ ଶଯ୍ୟାକୁ ଉନ୍ନୀତ କରାଯିବ । ଏଣୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜମିରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରାଜ୍ୟ ବିେରାଧରେ ଏତେ ବଡ଼ ଷଡଯନ୍ତ୍ର ଚାଲିଥିବା ବେଳେ ବିଜୁ ଜନତା ଦଳ ସବୁ ଜାଣି କାହିଁକି ନିରବ ରହିଛି, େସ େନଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେପି ଏବଂ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଓ ଖାସ୍ ସେହି କାରଣରୁ ବିଜେଡି ଚୁପ୍ କି େବାଲି ଦଳ ପ୍ରଶ୍ନ କରିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ବିଭୂ ପ୍ରସାଦ ତରାଇ,ପ୍ରଶାନ୍ତ ଶତପଥୀ,ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର