କମିବ ମାଟ୍ରିକ ପାସ୍ ହାର! ପାସ୍ ନିୟମ, ସମାନ୍ତରାଳ ପ୍ରଶ୍ନକୁ ନେଇ ଚିନ୍ତା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୯ ଆରମ୍ଭ ହେବ ଫେବ୍ରୁଆରି ୨୨ ତାରିଖରେ। ଏଥିପାଇଁ ୨ ମାସରୁ କମ ସମୟ ଥିବା ବେଳେ ପରୀକ୍ଷା ପ୍ରସ୍ତୁତି ଏବଂ ଫଳାଫଳକୁ ନେଇ ଆଶଙ୍କାରେ ପଡିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାବିତ। ପୂର୍ବ ବର୍ଷ ତୁଳନାରେ ପାସ ହାର କମିବା, ଖାତା ଦେଖାରେ ତ୍ରୁଟି ହେବା ଏବଂ ପରୀକ୍ଷା ଫଳାଫଳକୁ ନେଇ ଅଦାଲତକୁ ଅଧିକ ମାମଲା ଯିବାକୁ ନେଇ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ସହ ଜଡିତ ଅନେକ ଶିକ୍ଷାବିତ ଆଶଙ୍କା ପ୍ରକାଶ କରୁଛନ୍ତି। ୨୦୧୯ ମାଟ୍ରିକ ପରୀକ୍ଷାରେ ବୋର୍ଡ କର୍ତ୍ତୃପକ୍ଷ ନୂଆ ଢାଞ୍ଚାରେ ପରୀକ୍ଷା କରିବାକୁ ଯାଉଛନ୍ତି। ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କପି ଉପରେ ନିୟନ୍ତ୍ରଣ ଆଣିବାକୁ ଏଥର ଚାରି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି। ଅତି ସଂକ୍ଷିପ୍ତ (ଅବଜେକ୍ଟିଭ) ପ୍ରଶ୍ନପତ୍ର ୪ ସେଟରେ ଏଥର ସମାନ ପ୍ରଶ୍ନ ବଦଳରେ ସମାନ୍ତରାଳ ପ୍ରଶ୍ନ ରହିବ। ଅର୍ଥାତ ପୂର୍ବରୁ ୩ ସେଟ ପ୍ରଶ୍ନପତ୍ରରେ ପ୍ରଶ୍ନ ସମାନ ରହୁଥିଲା କିନ୍ତୁ ତା’ର କ୍ରମିକ ନମ୍ବର ବିଭିନ୍ନ ସେଟରେ ଅଲଗା ଅଲଗା ରହୁଥିଲା। ନୂଆ ବ୍ୟବସ୍ଥାରେ ଆଉ ସମାନ ପ୍ରଶ୍ନ କୌଣସି ସେଟରେ ରହିବ ନାହିଁ। ସମାନ ଧରଣର ୪ଟି ପ୍ରଶ୍ନ ଗୋଟିଏ ବିଷୟରୁ ଆସିବ। ଏଥିରେ କପି ନିୟନ୍ତ୍ରଣ ହୋଇପାରିବ କିନ୍ତୁ ଏହା ଦ୍ବାରା ପାସ ହାର କମିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ସମାନ୍ତରାଳ ପ୍ରଶ୍ନରେ ସହଜ ଏବଂ କଷ୍ଟ ପ୍ରଶ୍ନକୁ ନେଇ କମ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ଅଭିଭାବକଙ୍କର ଅଭିଯୋଗ ରହିବ। ଏତେ ପରିମାଣର ସମାନ୍ତରାଳ ନିର୍ଭୁଲ ପ୍ରଶ୍ନ ପ୍ରସ୍ତୁତ କରିବା ବି ଏତେ ସହଜ ରହିବ ନାହିଁ। ସମାନ୍ତରାଳ ପ୍ରଶ୍ନ ସଂପର୍କରେ ଅନେକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ନିଜେ ବି ସଂପୂର୍ଣ୍ଣ ସ୍ପଷ୍ଟ ନାହାନ୍ତି। ଓଏମଆର ବ୍ୟବସ୍ଥା ରହିବା, ନରହିବାକୁ ନେଇ ଶିକ୍ଷା ବର୍ଷ ଆରମ୍ଭରୁ ସ୍ପଷ୍ଟ ହେଲା ନାହିଁ। ପରବର୍ତ୍ତୀ ସମୟରେ ଏଭଳି ନୂଆ ବ୍ୟବସ୍ଥା ସଂପର୍କରେ ଘୋଷଣା କରାଗଲା। ୨୦୧୯ରେ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭରେ ଅତି କମରେ ଛାତ୍ରଛାତ୍ରୀ ୧୫ ନମ୍ବର ଲେଖାଏଁ ରଖିବାକୁ ପଡିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର