ମହିଳାଙ୍କୁ ଯୌତୁକ ନିର୍ଯାତନା: ସ୍ୱାମୀ, ଶାଶୁଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା

ରାଉରକେଲା : ମହିଳାଙ୍କୁ ଯୌତୁକ ନିର୍ଯାତନା, ମାଡ ମାରିବା ଘଟଣାରେ ମହିଳା ଥାନା ପୁଲିସ ସ୍ୱାମୀ, ଶାଶୁ, ଶ୍ବଶୁର, ନଣଦ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ମହିଳାଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମହିଳା ସୁଚିତ୍ରା ସ୍ବାଇଁ ଏତଲାରେ ଦର୍ଶାଇଛନ୍ତି, ସେ ଗତ ୨୦୨୧ ଫେବ୍ରୁଆରି ୧୪ରେ ଛେଣ୍ଡ ଥାନା ଅନ୍ତର୍ଗତ ବନ୍ଧପୋଷ, ପ୍ରଧାନପାଲୀର ଅଜୟ କୁମାର ନାୟକଙ୍କୁ ବିବାହ କରିଥିଲେ। ଶାଶୁ ଘରଲୋକଙ୍କ ଦାବି ମୁତାବକ ଦୁଇ ଲକ୍ଷ ଟଙ୍କା, ତିନି ଭରି ଓଜନର ସୁନା ଅଳଙ୍କାର, ୧୧ ଭରି ଓଜନର ସୁନା ଅଳଙ୍କାର ସମେତ ଖଟ, ଷ୍ଟିଲ ଆଲମିରା, ଟିଭି, ଫ୍ରିଜ, ସମେତ ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ। ବିବାହର ୫ ଦିନ ପରେ ଶାଶୁ ଘର ଲୋକ ଆଉ ୫ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ସେ ଏ ସଂକ୍ରାନ୍ତରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ବାହାଘରର ଆଠଦିନ ପରେ ତାଙ୍କ ମାମୁଁ ଓ ଭାଇ ୫୦ ହଜାର ଟଙ୍କା, ଡାଇନିଂ ଟେବୁଲ ପଠାଇଥିଲେ। ଅବଶିଷ୍ଟ ସାଢ଼େ ଚାରି ଲକ୍ଷ ଟଙ୍କା ନ ଦେବାରୁ ଶାଶୁ, ଶ୍ବଶୁର, ନଣଦ, ଦେଢ଼ଶ୍ବର, ନଣଦେଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏମିତି କିଛି ମାଡ ମଧ୍ୟ ମାରୁଥିଲେ। ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ପେଟପୁରା ଖାଇବାକୁ ଦେଉନଥିଲେ।

ଗତ ଜୁଲାଇ ୧୧ ତାରିଖରେ ପାରିବାରିକ କଥାକୁ କେନ୍ଦ୍ରକରି ଦେଢ଼ଶୁର ହିଂମାଶୁ କୁମାର ନାୟକ ତାଙ୍କୁ ମାଡ ମାରିଥିଲେ। ନଣଦ ସୁସ୍ମିତା ମଧ୍ୟ ଛୁରିରେ ଆକ୍ରମଣ କରିଥିଲେ। ଶାଶୁ ପ୍ରମିଳା ନାୟକ ମଧ୍ୟ ଗଳାକୁ ଚିପି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ କରିବାକୁ ସେକ୍ଟର-୪ ମହିଳା ଥାନାରେ ପହଞ୍ଚିଥିଲେ। ଥାନାରେ ଥିବା ଏଏସ୍‌ଆଇ ତାଙ୍କୁ ଥାନା ଅଧିକାରୀ ଛୁଟିରେ ଅଛନ୍ତି। ଚାରି ପାଞ୍ଚ ଦିନ ପରେ ଆସନ୍ତୁ ବୋଲି କହିଥିଲେ। ପରେ ସୁଚିତ୍ରା ନ୍ୟାୟ ପାଇଁ ଅନ୍‌ ଲାଇନରେ ନିଜର ଏତଲା ଦେଇଥିଲେ। ପୁଲିସ ତାଙ୍କ ଏତଲା ଆଧାରରେ ସ୍ବାମୀ ଅଜୟ କୁମାର ନାୟକ, ଶାଶୁ ପ୍ରମିଳା ନାୟକ, ନଣଦ ସୁସ୍ମିତା, ଦେଢ଼ଶୁର ହିମାଂଶୁ ନାୟକ ଓ ଶ୍ବଶୁର ଜଗନ୍ନାଥଙ୍କ ନାଁରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର