କୃଷ୍ଣପ୍ରସାଦ ଦାସ
କଟକ: ୩୨ଟି ସଂପୂର୍ଣ୍ଣ ଚାନ୍ଦି ମେଢ଼, ୧୦ଟି ମେଢ଼ରେ ସୁନାର ସାଜସଜ୍ଜା, ଗୋଟିଏ ସଂପୂର୍ଣ୍ଣ କାଚ ଓ ଗୋଟିଏ ସଂପୂର୍ଣ୍ଣ ପିତଳ ମେଢ଼। ନିଆରା ପରଂପରା ଓ ଆଉ ସ୍ବତନ୍ତ୍ର ସାଜସଜ୍ଜାକୁ ନେଇ ସାରା ବିଶ୍ବରେ ଅନନ୍ୟ କଟକର ଗଣପର୍ବ ଦଶହରା ଆଜିଠାରୁ ଆରମ୍ଭ ହୋଇଛି। ସାରା କଟକ ସହର ଆଲୋକ ମାଳାରେ ଝଲସୁଥିବା ବେଳେ କଟକର ୫ଟି ସ୍ଥାନରେ ଅତ୍ୟନ୍ତ ଆକର୍ଷଣୀୟ ଆଉ ସୁଉଚ୍ଚ ତୋରଣ କଟକର ରୂପ ବଦଳାଇ ଦେଇଛି। କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଭୁକ୍ତ ୧୭୦ଟି ମଣ୍ଡପରେ ଚଳିତ ବର୍ଷ ପୂଜା ଆୟୋଜନ ହେଉଛି। ଅନ୍ୟ ଅଣପଂଜୀକୃତ ଅଥବା ଘରୋଇ ମେଢ଼କୁ ମିଶାଇଲେ ଏହି ସଂଖ୍ୟା ୧୮୦ ଟପି ଯାଇଛି। ସୁନା, ଚାନ୍ଦି ସହ ଏଥର ପିତଳ ଆଉ କାଚ ମେଢ଼କୁ ନେଇ ରୌପ୍ୟନଗରୀ କଟକ ଝଲସୁଛି। ତଥ୍ୟ ଅନୁଯାୟୀ ବିଭିନ୍ନ ମଣ୍ଡପରେ ୧୧୦ କ୍ବିଣ୍ଟାଲରୁ ଅଧିକ ଓଜନର ଚାନ୍ଦି, ୫୭ କିଲୋରୁ ଅଧିକ ଓଜନର ସୁନା ବ୍ୟବହାର ହୋଇଛି। କଟକର ବିଭିନ୍ନ ପୂଜା ମଣ୍ଡପରେ ବ୍ୟବହାର ହେଉଥିବା ସୁନା ଓ ଚାନ୍ଦିର ମୂଲ୍ୟ ବର୍ତ୍ତମାନର ବଜାର ଦର ଅନୁସାରେ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ୨୦୨୨ରେ କଟକର ୨୮ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ଼ ଶୋଭା ପାଉଥିବା ବେଳେ ଚଳିତ ବର୍ଷ ୪ଟି ନୂଆ ଚାନ୍ଦି ମେଢ଼ ଏଥିରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ନୂଆ ଚାନ୍ଦି ମେଢ଼ ପ୍ରସ୍ତୁତ କରିଥିବା ମଣ୍ଡପ ମଧ୍ୟରେ ରହିଛନ୍ତି ମହମ୍ମଦିଆ ବଜାର, ନିମଚୌଡ଼ି, ନିମସାହି ଓ କାଫଲାବଜାର। ସାଜସଜ୍ଜାକୁ ନୂଆ ରୂପ ଦେବାକୁ ଯାଇ ଚଳିତ ବର୍ଷ ରାଉସାପାଟଣା କାଚରେ ମେଢ଼ ପ୍ରସ୍ତୁତ କରିଥିବା ବେଳେ ତେଲେଙ୍ଗା ବଜାର ପୂଜା କମିଟି ପିତଳରେ ମେଢ଼ ପ୍ରସ୍ତୁତ କରିଛି।
କଟକ ଦଶହରା ଇତିହାସ ଅନୁଯାୟୀ ପାରମ୍ପରିକ ଜରି ମେଢ଼ରୁ ଦୂରେଇ ଯାଇ ପ୍ରଥମେ ୧୯୫୬ ମସିହାରେ ଚୌଧୁରୀ ବଜାର ପୂଜା କମିଟି ପ୍ରଥମ ଚାନ୍ଦି ମେଢ ତିଆରି କରିଥିଲେ। ତା’ ପରକୁ ୧୯୯୧ରେ ଦ୍ବିତୀୟ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିଲା ଶେଖ୍ ବଜାରରେ। ସହରର ସଂପୂର୍ଣ୍ଣ ଚାନ୍ଦି ମେଢ଼ ପ୍ରସ୍ତୁତ କରିଥିବା ଅନ୍ୟ ପୂଜା ମଣ୍ଡପ ମଧ୍ୟରେ ରହିଛନ୍ତି ଖଟବିନ୍ ସାହି, ତୁଳସୀପୁର ମହାଦେବ, ବିଡ଼ାନାସୀ ଦୁର୍ଗା ପୂଜା କମିଟି, ବୁଢ଼ୀ ଠାକୁରାଣୀ କାଳୀଗଳି, ଚାନ୍ଦିନୀଚୌକ, ହରିପୁର-ଦୋଳମୁଣ୍ଡାଇ, ପିଠାପୁର କାଳୀୟଦଳନ, ମଙ୍ଗଳବାଗ, ମାଛୁଆ ବଜାର ସର୍ପାଦୁର୍ଗା, ଗଙ୍ଗା ମନ୍ଦିର, ଦରଘା ବଜାର, ଶଙ୍କରପୁର-ବାଦାମବାଡି, ଗଣେଶ ଘାଟ, କାଠଗଡ଼ା ସାହି, ବାଲୁବଜାର-ବିନୋଦବିହାରୀ, ଅଲିଶା ବଜାର, ନୟାସଡ଼କ, ଫିରିଙ୍ଗ ବଜାର, କାଜିବଜାର, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି, ରାଣୀହାଟ, ଛତ୍ରବଜାର, ବାଖରାବାଦ୍, ଚାଉଳିଆଗଞ୍ଜ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ଓ କଲେଜ ଛକ ପୂଜା ମଣ୍ଡପ। ହାରାହାରି ଭାବେ ଦେଖିଲେ ପ୍ରତି ମେଢ଼ରେ ୩ କ୍ବିଣ୍ଟାଲ୍ ଚାନ୍ଦି ବ୍ୟବହାର ହେଉଛି। ସଂପୂର୍ଣ୍ଣ, ଅସଂପୂର୍ଣ୍ଣ ଚାନ୍ଦି ମେଢ଼, ଚାନ୍ଦି ଅଳଙ୍କାର ଇତ୍ୟାଦିକୁ ମିଶାଇଲେ ମେଢ଼ରେ ବ୍ୟବହୃତ ଚାନ୍ଦିର ପରିମାଣ ୧୧୦ କୁଇଣ୍ଟାଲରୁ ଅଧିକ ହେବ ବୋଲି କୁହାଯାଉଛି।
୧୦୦ କୋଟିରୁ ଅଧିକ ଟଙ୍କାରେ ସୁନାଚାନ୍ଦିର ସାଜସଜ୍ଜା
୩୨ରେ ଚାନ୍ଦି; ୧୦ ମେଢ଼ରେ ସୁନା
ପ୍ରଥମ ଥର ପିତଳ ଆଉ କାଚ ମେଢ଼
ବ୍ୟବହାର ହୋଇଛି ୫୭ କିଲୋରୁ ଅଧିକ ସୁନା,
୧୧୦ କୁଇଣ୍ଟାଲରୁ ଅଧିକ ଚାନ୍ଦି
ଅନ୍ୟପଟେ ମେଢ଼ରେ ସୁନା ବ୍ୟବହାର ବି ପ୍ରଥମେ ଚୌଧୁରୀ ବଜାର ପୂଜା ମଣ୍ଡପ ଆରମ୍ଭ କରିଥିଲା। ଚୌଧୁରୀ ବଜାର ମେଢ଼ରେ ୯ଟି ସୁନା କଲିରେ ୯ କିଲୋ ସୁନା ବ୍ୟବହାର ହୋଇଛି। ମେଢ଼ରେ ଏକ କିଲୋ ଓଜନର ଗୋଟିଏ ସୁନାର ଓଁ ବି ଲାଗିଛି। ମା’ଙ୍କ ହାର, ମୁକୁଟ, ଅନ୍ୟ ଅଳଙ୍କାରକୁ ହିସାବ କଲେ ମେଢ଼ରେ ୩୦ କିଲୋରୁ ଅଧିକ ଓଜନର ସୁନା ଲାଗିଛି। ଇତିମଧ୍ୟରେ ଚୌଧୁରୀ ବଜାର ଅଧିକ ସୁନାର କଲି ପ୍ରସ୍ତୁତ କରିଥିଲେ ବି ଆସନ୍ତା ବର୍ଷରୁ ହୁଏତ ତାହାକୁ ବ୍ୟବହାର କରିବ ବୋଲି ସୂଚନା ରହିଛି। ଶେଖ ବଜାର ମେଢ଼ରେ ୫ କିଲୋରୁ ଅଧିକ ସୁନା ଲାଗିଛି। କାଠଗଡ଼ା ସାହି, ମଙ୍ଗଳାବାଗ, ଚାଉଳିଆଗଂଜ, ରାଣୀହାଟ, ଖାନନଗର, ହରିପୁର-ଦୋଳମୁଣ୍ଡାଇ ଓ କଲେଜ ଛକ ଭଳି ମୋଟ ୯ଟି ମଣ୍ଡପର ମେଢ଼ରେ ସୁନା ମୁକୁଟ, ସୁନା ମୟୂର ଇତ୍ୟାଦି ବ୍ୟବହାର ହୋଇଛି। ଚୌଧୁରୀ ବଜାର ଓ ଶେଖ୍ ବଜାରକୁ ବାଦ୍ ଦେଲେ ଅନ୍ୟ ୭ଟି ମଣ୍ଡପରେ ହାରହାରି ଭାବେ ୪ କିଲୋ ସୁନା ବ୍ୟବହାର ହୋଇଛି। ବିଭିନ୍ନ ମଣ୍ଡପରେ ମା’ଙ୍କର ସୁନାର ଅଳଙ୍କାର ବ୍ୟବହାର ହେଉଛି। ମୋଟାମୋଟି ଆକଳନରୁ ସହରର ବିଭିନ୍ନ ପୂଜା ମଣ୍ଡପରେ ୫୭ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଥିବା କୁହାଯାଉଛି। ବର୍ତ୍ତମାନର ବଜାର ଦର ଅନୁସାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୫୫ ହଜାର ୫ଶହ ଟଙ୍କା ରହିଥିବା ବେଳେ ୫୭ କିଲୋ ସୁନାର ବର୍ତ୍ତମାନର ବଜାର ଦର ପ୍ରାୟ ୩୫ କୋଟି ଟଙ୍କାରୁ ଅଧିକ ହେବ। ସେହିଭଳି ବିଭିନ୍ନ ମେଢ଼ରେ ବ୍ୟବହୃତ ୧୧୦ କୁଇଣ୍ଟାଲରୁ ଅଧିକ ଚାନ୍ଦିର ମୂଲ୍ୟ ୬୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ୧୦୦ କୋଟିରୁ ଅଧିକ ଟଙ୍କାର ସୁନା-ଚାନ୍ଦି ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ପିତଳ ଓ କାଚ ମେଢ଼ କଟକ ଦଶହରାକୁ ସ୍ବତନ୍ତ୍ର ସ୍ତରରେ ପହଞ୍ଚାଇଥିବା ବେଳେ ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି (ଜନକପୁରୀ ତୋରଣ), ମାଲଗୋଦାମ (କେଦାରନାଥ ତୋରଣ), ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ (ମୀନାକ୍ଷୀ ମନ୍ଦିର ତୋରଣ), ଶିଖରପୁର-ଗଣ୍ଡରପୁର-ମହାନଦୀବିହାର (ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ତୋରଣ), ନୂଆପଡ଼ା (ପଂଜାବ ପ୍ୟାଲେସ ତୋରଣ)ର ସୁଉଚ୍ଚ ଆକର୍ଷଣୀୟ ତୋରଣ କଟକର ଗଣପର୍ବ ଦଶହରାକୁ ଉଭୟ ପରମ୍ପରା ଓ ସାଜସଜ୍ଜା ଦୃଷ୍ଟିରୁ ବିଶ୍ବରେ ଅନନ୍ୟ କରିଛି।