ଡିପି ଫୁଡସକୁ ସିଲ୍ କଲା ପ୍ରଶାସନ 

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁୁରିଆ ପଞ୍ଚାୟତ ଷଣ୍ଢପୁର ଗ୍ରାମରେ ଚାଲିଥିବା ନକଲି ସସ୍‌ କାରଖାନା ଡିପି ଫୁଡସକୁ ସିଲ୍ କଲା ପ୍ରଶାସନ। ପୁଲିସ୍‌ ୨୯/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଜିଲ୍ଲା ଖାଦ୍ୟ ନିରୀକ୍ଷକ ବିଭୁଦତ୍ତ ତ୍ରିପାଠୀ ଗତକାଲି ବିଳମ୍ବିତ ରାତିରେ ଜବତ ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛନ୍ତି। ଷଣ୍ତପୁର ଗ୍ରାମର ଏକ ଭଡ଼ାଘରେ ବଡ଼ବାଲିକୁଦା ଅଞ୍ଚଳର ଦିଲୀପ କୁମାର ଜେନା ପ୍ରାୟ ୨ବର୍ଷ ହେଲା ଡିପି ଫୁଡସ୍‌ ନାମରେ ଏକ ସସ୍‌ କାରଖାନା ଚଳାଇଥିଲେ। ଏଠାରେ ମୁଖ୍ୟତଃ କଖାରୁ, ରଙ୍ଗ ଆଦି ରାସାୟନିକ ସାମଗ୍ରୀ ବ୍ୟବହାର କରି ଟମାଟୋ ସସ୍‌, ଚିଲି ସସ୍‌, ବିଭିନ୍ନ ପ୍ରକାର ଆଚାର ଓ ଲିଚି ଥଣ୍ତା ପାନୀୟ ପ୍ରସ୍ତୁତ କରାଯାଉଥିଲା। ପରେ ଏହାକୁ ପ୍ୟାକିଂ କରାଯାଇ ବଜାର‌ରେ ବିକ୍ରି କରାଯାଉଥିଲା।

କୌଣସି ସୂତ୍ରରୁ ଖବରପାଇ ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁଙ୍କ ସମେତ ପୁଲିସ୍‌ର ଏକ ଟିମ୍ ଗତକାଲି ସଂଧ୍ୟାରେ ଏଠାରେ ଚଢଉ କରିଥିଲା। ଚଢ଼ଉ ସମୟରେ ଉକ୍ତ ବେଆଇନ କାରଖାନାରେ ପ୍ରସ୍ତୁତ ଟମାଟୋ ସସ୍‌, ଚିଲି ସସ୍‌, ଆଚାର, ଥଣ୍ତା ପାନୀୟ ସମେତ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଠାବ କରାଯାଇଛି। ପରେ ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ପୁଲିସ୍‌ ଏହି କାରଖାନାକୁ ସିଲ୍ କରିଥିଲା। କାରଖାନା ଚଳାଇବା ପାଇଁ ଏ ସଂପର୍କିତ ଅନୁମତି ମିଳିଥିବା ନେଇ ତଦନ୍ତକାରୀ ଟିମକୁ ଶ୍ରୀ ଜେନା କାଗଜପତ୍ର ଦେଖାଇଛନ୍ତି। ସେଠାରୁ ସଂଗ୍ରହ ହୋଇଥିବା ବିଭିନ୍ନ ସାମଗ୍ରୀର ମାନ ପରୀକ୍ଷା ରିପୋର୍ଟ ଏବଂ ସବିଶେଷ ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର