ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତ୍ରୁଟି ସଂଶୋଧନ କଲେ ଡିପିସି

ଭୁବନେଶ୍ବର : ଲୋକସେବା ଭବନର ଉପବିଭାଗ ଅଧିକାରୀ ପଦରୁ ଡେସ୍କ ଅଫିସର ପଦବିକୁ ପଦୋନ୍ନତି ପାଇଁ ଗତକାଲି ବିଭାଗୀୟ ପଦୋନ୍ନତି କମିଟି ବୈଠକରେ ହୋଇଥିବା ତ୍ରୁଟିକୁ ସରକାର ସଂଶୋଧନ କରିବେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହସ୍ତକ୍ଷେପ ପରେ ସାଧାରଣ ବର୍ଗର ଉପବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ତ୍ରୁଟି ସଂଶୋଧନ କରିବାକୁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଗତକାଲି ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପଦୋନ୍ନତି କମିଟି (ଡିପିସି), ଅନୁସୂଚିତ ଜାତିର ଉପବିଭାଗ ଅଧିକାରୀଙ୍କୁ ଅଣସଂରକ୍ଷିତ ପଦବି ବିପକ୍ଷରେ ଡେସ୍କ ଅଫିସର ପଦବିକୁ ପଦୋନ୍ନତି ଦେବାକୁ ସୁପାରିସ୍ କରିଥିଲା। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ସାଧାରଣ ବର୍ଗର ଉପବିଭାଗ ଅଧିକାରୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲେ। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଗୃହ ବିଭାଗ ପ୍ରମୁଖ ସଚିବ ନଥିପତ୍ର ପୁନଃ ତର୍ଜମା କରିଥିଲେ। ଏ ନେଇ ସାଧାରଣ ବର୍ଗର ଉପବିଭାଗ ଅଧିକାରୀମାନେ ଦର୍ଶାଇଥିବା ଯୁକ୍ତି ଆଧାରରେ ଆଇନ ଅନୁଯାୟୀ ତ୍ରୁଟି ହୋଇଥିବା ପରିଲକ୍ଷିତ ହୋଇଥିଲା। ଏବେ ସେ ତ୍ରୁଟିକୁ ସଂଶୋଧନ କରିବାକୁ ଶ୍ରୀ ଚୋପ୍ରା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର